ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପ୍ରତିଷ୍ଠା ଦିବସରେ ନବୀନଙ୍କ ମନ୍ତବ୍ୟକୁ ନେଇ ରାଜନୀତି ପାଣିପାଗ ଗରମ।

‘‘ମୋ ଉପରେ ପାର୍ଟି ନିର୍ଭରଶୀଳ ନୁହେଁ। କୌଣସି ନେତାଙ୍କ ଉପରେ ବି ପାର୍ଟି ନିର୍ଭରଶୀଳ ନୁହେଁ’’, ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଛନ୍ତି ଏହି ମନ୍ତବ୍ୟ।

ଏବେ ନବୀନଙ୍କ ଏହି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରତିଷ୍ଠା ଦିବସରେ ନବୀନ ଏମିତି ମନ୍ତବ୍ୟ ଦେବା ପଛର କାରଣ ଖୋଜୁଛନ୍ତି ରାଜନୀତି ପଣ୍ଡିତ। ‘ମୋ ଉପରେ ନିର୍ଭରଶୀଳ’ ନୁହେଁ କହି ନବୀନ ଆଉ କିଛି ସଙ୍କେତ ଦେବାକୁ ଚାହୁଁଛନ୍ତି କି ବୋଲି ରାଜନୀତି କରିଡରରେ ଲାଗି ରହିଛି ଚର୍ଚ୍ଚା।

ନିର୍ବାଚନ ପୂର୍ବରୁ ନବୀନଙ୍କ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ନବୀନଙ୍କ ପରେ ବିଜେଡିର ମଙ୍ଗ କିଏ ଧରିବ ବୋଲି ରାଜନୀତି କରିଡରରେ ପ୍ରଶ୍ନବାଚୀ ଉଠିଥିଲା। ଏନେଇ କିଛି ନେତା ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ଉପରେ ନଜର ପକାଇଥିଲେ। ନିର୍ବାଚନ ବେଳେ ସୋସିଆଲ ମିଡିଆରେ ଅରୁଣ ପଟ୍ଟନାୟକ ଫ୍ୟାନ୍‌ କ୍ଲବ ମଧ୍ୟ ଗଠନ ହୋଇଥିଲା। ତେବେ ପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଥିଲେ ନବୀନ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନବୀନ ପରିବାରବାଦ ରାଜନୀତିକୁ ନା କହିଥିଲେ। ଏହାସହ ବିଜେଡିର ଉତ୍ତରାଧିକାରୀ ଦଳ ଭିତରୁ ଆସିବେ ବୋଲି ନବୀନ ଉତ୍ତର ଦେଇଥିଲେ। ତେବେ ନବୀନ କାହାକୁ ଲକ୍ଷ୍ୟ କରି ଏମିତି ଉତ୍ତର ଦେଇଥିଲେ ତାହା ଆଜିଯାଏଁ ସ୍ପଷ୍ଟ ହୋଇପାରୁନି।

ଗୋଟିଏପଟେ ବିଜେଡିର ଉତ୍ତରାଧିକାରୀ ଖୋଜା ଚାଲିଥିବା ବେଳେ ଅନ୍ୟପଟେ ପ୍ରତିଷ୍ଠା ଦିବସରେ ନବୀନ ‘ମୋ ଉପରେ ପାର୍ଟି ନିର୍ଭରଶୀଳ’ ନୁହେଁ କହି ରାଜନୀତି ପାଣିପାଗକୁ ଗରମ କରିଛନ୍ତି। ନବୀନ ବିଜେଡିର ଉତ୍ତରାଧିକାରୀ ସନ୍ଧାନରେ ଅଛନ୍ତି କି ବୋଲି ଆଲୋଚନା ଚାଲିଛି।

ନବୀନଙ୍କ ନେତୃତ୍ୱରେ ଗତ ୬ ମାସ ତଳେ ବିଜେଡି ପଞ୍ଚମ ପାଳି ସରକାର ଗଠନ କରିଛି। ପଞ୍ଚମ ପାଳି ସରକାର ଗଠନ ହେବାର ଏହା ଥିଲା ପ୍ରଥମ ପ୍ରତିଷ୍ଠା ଦିବସ। ଆଉ କିଛି ଦିନରେ ୨୦୧୯ ଶେଷ ହୋଇଯିବ। ୨୦୧୯ ନିର୍ବାଚନରେ ନବୀନଙ୍କ କ୍ରେଜ୍‌ କିଛି କମ ନଥିଲା। ହାଇଟେକ୍‌ ବସ୍‌ରେ ବସି ନବୀନ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ମଣ୍ଡଳୀ ବୁଲି ପ୍ରଚାର କରିଥିଲେ। ସେତେବେଳେ ନବୀନ ଏଭଳି ମନ୍ତବ୍ୟ ଦେଇ ନଥିଲେ। ହେଲେ ପଞ୍ଚମ ପାଳି ସରକାରକୁ ୬ ମାସ ପୂରିବା ପରେ ନବୀନଙ୍କ ଏଭଳି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଲାଗି ରହିଛି।

ବିଜୁ ବାବୁଙ୍କ ଦେହାନ୍ତ ପରେ ୧୯୯୭ ଡିସେମ୍ବର ୨୬ରେ ପ୍ରତିଷ୍ଠା ହୋଇଥିଲା ବିଜେଡି। ସେତେବେଳେ ମଧ୍ୟ ବିଜେଡି ମଙ୍ଗ କିଏ ଧରିବ ତାକୁ ନେଇ ସସ୍‌ପେନ୍ସ ଲାଗି ରହିଥିଲା। ଶେଷରେ ବିଜୁଙ୍କ ସାନ ପୁଅ ନବୀନ ବିଜେଡିର ମଙ୍ଗ ଧରିବାକୁ ଓଡ଼ିଶା ଆସିଥିଲେ। ନବୀନ ରାଜନୀତିକୁ ଆସିବେ ଏବଂ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି କେହି କେବେ କଳ୍ପନା କରି ନଥିଲେ।

ଠିକ୍‌ ସେମିତି ଏବେ ନବୀନଙ୍କ ପରେ ବିଜେଡିର ଉତ୍ତରାଧିକାରୀ ଖୋଜା ଚାଲିଛି। ଏହି କଥା ନବୀନ ତାଙ୍କ ଭାଷଣରେ ପରୋକ୍ଷରେ ସଙ୍କେତ ଦେଇଛନ୍ତି। ନବୀନ ପ୍ରତିଷ୍ଠା ଦିବସରେ ଯେଉଁ କଥା କହିଛନ୍ତି ତାହା ଆଗକୁ କେୁଁ ମୋଡ଼ ନେଉଛି ଦେଖିବାକୁ ବାକି ରହିଲା।

Comment