ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ବିଜୁ ଜନତା ଦଳ ପାଇଁ କେମିତି ଥିଲା? ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ୍‌-୨୦୧୯’ ରିପୋର୍ଟରୁ ଜାଣନ୍ତୁ।

୨୦୧୯ରେ ବଡ଼ ପରୀକ୍ଷା ଦେଇଥିଲା ବିଜୁ ଜନତା ଦଳ। ଗୋଟିଏପଟେ ମୋଦୀଙ୍କ ହାୱା ଏବଂ ଅନ୍ୟପଟେ ବିଜେପିର ସଙ୍ଗଠନ ସୁଦୃଢ଼କୁ ନେଇ ଚାପରେ ରହିଥିବା ବିଜେଡି ନିର୍ବାଚନରେ ଜିତାପଟ କରିଥିଲା। ସବୁ ଆକଳନକୁ ଭୁଲ୍‌ ପ୍ରମାଣିତ କରି ବିଜେଡି ପଞ୍ଚମ ଥର ପାଇଁ ରାଜ୍ୟ ଶାସନର ମଙ୍ଗ ଧରିଥିଲା।

୨୦୧୯ ବର୍ଷଟି ଶାସକ ବିଜୁ ଜନତା ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିଲା ବୋଲି କହିଲେ ଭୁଲ୍‌ ହେବ ନାହିଁ। ଏହାର ଅନେକ କାରଣ ରହିଛି। ପ୍ରଥମ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦଳର ଅଭୂତପୂର୍ବ ସଫଳତା। ଦ୍ୱିତୀୟ ଜଣେ ଅପରାଜେୟ ନେତା ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥିତି ସୁଦୃଢ଼ ହେବା।

ମେ’ ୨୩ ତାରିଖରେ ଯେତେବେଳେ ବିଧାନସଭା ଓ ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇଲା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଯାଇଥିଲା। ଲଗାତର ପଞ୍ଚମ ଥର ପାଇଁ ସରକାର ଗଠନ କରିବା ଦ୍ୱାରା ବିଜେଡି ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇପାରିଥିଲା। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏପ୍ରିଲ-ମେ ନିର୍ବାଚନ ସବୁଠାରୁ ଅଧିକ କଷ୍ଟକର ଥିଲା।

ଯେତେ ପର୍ଯ୍ୟନ୍ତ ସମ୍ଭବ ସେତେ ପରିମାଣରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସେ ନିଜେ ପ୍ରଚାର କରିଥିଲେ। ତୃଣମୂଳ ସ୍ତରରେ କର୍ମୀଙ୍କ ସହାୟତାରେ ନବୀନ କୋଣ ଅନୁକୋଣରେ ଲୋକଙ୍କ ପାଖରେ ପହଞ୍ଚି ଯାଇଥିଲେ। ସୋସିଆଲ ମିଡିଆର ବ୍ୟାପକ ଉପଯୋଗ ବ୍ୟତୀତ ନିଜ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଦୁଇଟି ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀ ଲୋକଙ୍କ ମନରେ ଉଙ୍କି ମାରିଥିବା ସନ୍ଦେହକୁ ଦୂର କରିବା ପାଇଁ ଚେଷ୍ଟା କରିଥିଲେ ଓ ଏଥିରେ ସେ ସଫଳ ମଧ୍ୟ ହୋଇଥିଲେ।

ନବୀନଙ୍କ ପାଇଁ ଅନ୍ୟ ଏକ ଚ୍ୟାଲେଞ୍ଜ ଥିଲା ବିଜେପିର ସମସ୍ତ ଆକ୍ରମଣକୁ ମୁକାବିଲା କରିବା ଓ ବାସ୍ତବରେ ସେ ତାହା କଲେ ମଧ୍ୟ। ୨୦୦୦ ପରଠାରୁ ପ୍ରଥମ ଥର ପାଇଁ ନବୀନଙ୍କ ନେତୃତ୍ୱରେ ବିଜେଡି ନିର୍ବାଚନ ଲଢ଼ିଥିଲା। ଏହି ନିର୍ବାଚନଟି ଶାସକ ଦଳ ପାଇଁ ଅବଶ୍ୟ  ମିଶ୍ରିତ ଫଳ ଆଣିଥିଲା। ୧୧୨ ଆସନରେ ଜିତି ବିଜେଡି ରାଜ୍ୟରେ  ସରକାର ଗଠନ କଲା ସତ, ହେଲେ ଲୋକସଭା ଆସନରେ ଦଳ ପାଇଁ ବିଶେଷ ଫାଇଦା ହୋଇନଥିଲା। ବିଜେଡି ମାତ୍ର ୧୨ ଲୋକସଭା ଆସନ ପାଇଥିବା ବେଳେ ବିଜେପିକୁ ୮ ଆସନ ଛାଡ଼ିବାକୁ ପଡ଼ିଥିଲା।

ନବୀନ ଓ ବିଜେଡି ପାଇଁ ୨୦୧୯ ଉଲ୍ଲେଖଯୋଗ୍ୟ ହେବାର ଅନ୍ୟ ଏକ କାରଣ ହେଉଛି ବିଜେପିର ବହୁଚର୍ଚ୍ଚିତ ମିଶନ ୧୨୦କୁ ଧୂଳି ଚାଟିବାକୁ ପଡ଼ିଥିଲା। ଯଦିଓ ବିଜେଡିକୁ ବେଶ୍  କିଛି ବିଧାନସଭା ଆସନ ହାତଛଡ଼ା କରିବାକୁ ହୋଇଥିଲା, ତେବେ ଓଡ଼ିଶାରେ ତ୍ରିପୁରା ଭଳି ସ୍ଥିତି ହେବ ବୋଲି ଯେଉଁମାନେ ଅନୁମାନ କରୁଥିଲେ ତାହା ଫସର ଫାଟିଯାଇଥିଲା।

ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ନବୀନ ଯେଉଁ ମନ୍ତ୍ରୀମଣ୍ଡଳ ଗଠନ କଲେ ତାହା ଅନେକଙ୍କ ମନରେ ଭ୍ରୁକୁଞ୍ଚନ ସୃଷ୍ଟି କରିଥିଲା। ଅନେକ ନୂଆ ମୁହଁକୁ ମନ୍ତ୍ରିମଣ୍ଡଳରେ ସାମିଲ କରି ନବୀନ ଏହି ବାର୍ତ୍ତା ଦେବାକୁ ଚାହୁଁଥିଲେ ଯେ ଦଳ ଭିତରେ ସେ ହିଁ ସବୁ କିଛି। ଗୋଟିଏ ପଟେ ବିଜେଡିର ସ୍ଥିତି ସୁଦୃଢ଼ ହୋଇଥିବା ବେଳେ ଏହି ବର୍ଷ ଅନେକ ନେତା ସ୍ମୃତିକୁ ଚାଲିଯାଇଥିଲେ।

ନବୀନଙ୍କ ପାଇଁ ୨୦୧୯ ଆଣିଥିବା ସଫଳତାର ଅନ୍ୟ ଏକ ନିଦର୍ଶନ ସରକାରୀ ଢାଞ୍ଚାରେ ଆମୂଳ ଚୂଳ ପରିବର୍ତ୍ତନ। 5-T ବ୍ୟତୀତ ‘ମୋ ସରକାର’ ଜରିଆରେ ସରକାରରେ ପରିବର୍ତ୍ତନ ଆଣିବାର ଯେଉଁ ଉଦ୍ୟମ ଜାରି ରହିଛି ତାହାର ସଫଳତା ଆଗାମୀ ଦିନରେ ହିଁ ଜଣାପଡ଼ିବ। ତେବେ ନବୀନଙ୍କ ଉତ୍ତରାଧିକାରୀଙ୍କୁ ନେଇ ଏବେ ବି ଅନେକଙ୍କ ମନରେ ପ୍ରଶ୍ନ ରହିଛି।

୨୦୧୯ ବର୍ଷର ଶେଷ ଛଅ ମାସ ଭିତରେ ବିଜେଡି ଓ ବିଜେପିର ସମ୍ପର୍କକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଗୋଟିଏ କଥା ସ୍ପଷ୍ଟ ପ୍ରମାଣିତ ଯେ ଉଭୟ ଦଳ ନିଜକୁ ଆଉ ପ୍ରତିପକ୍ଷ ଭଳି ବିବେଚନା କରୁନାହାନ୍ତି। ସଂସଦରେ ବିଭିନ୍ନ ବିବାଦୀୟ ବିଲକୁ ବିଜେଡିର ସମର୍ଥନ ଏହାର ନିଦର୍ଶନ। ସବୁଠାରୁ ବଡ଼ କଥା ହେଲା, ଏହି ସହଯୋଗ ଓ ସହଭାଗିତାରେ ବିଜେପି ଓ ବିଜେଡି କେବଳ ଫାଇଦା ହିଁ ଦେଖୁଛନ୍ତି।

Comment