ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଣେଇଶର ଚର୍ଚ୍ଚିତ ଅପରାଧ। ୨୦୧୯ରେ ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲା ଯାଜପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା। ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ-୨୦୧୯’ ରିପୋର୍ଟରେ।

ଆଉ ଦିନକ ପରେ ସରିଯିବ ୨୦୧୯। ଆରମ୍ଭ ହେବ ନୂଆବର୍ଷ। ବର୍ଷ ସରିବା ପୂର୍ବରୁ ନଜର ପକାଇବା କିଛି ଚର୍ଚ୍ଚିତ ଘଟଣା ଉପରେ, ଯାହାକୁ ନେଇ ରାଜ୍ୟ ରଜନୀତିରେ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ଯାଜପୁର ମହିଳା ପିଇଓ ସ୍ମିତାରାଣୀ ରହସ୍ୟଜନକ ମୃତ୍ୟୁ ଘଟଣା। ଏହି ଘଟଣା ସାରା ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲା। ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲା ବିରୋଧୀ।

ଅକ୍ଟୋବର ୧୬ ତାରିଖ ଦିନ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁରରେ ପଞ୍ଚାୟତ ଅଧିକାରୀ ସ୍ମିତାରାଣୀଙ୍କ ଝୁଲନ୍ତା ମୃତଦେହ ସରପଞ୍ଚ ସ୍ଵାମୀଙ୍କ ଗେଷ୍ଟ ହାଉସରୁ ଉଦ୍ଧାର ହୋଇଥିଲା। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆରମ୍ଭ କରିଥିଲା ତଦନ୍ତ।

କ’ଣ ଥିଲା ପୂରା ଘଟଣା?

ଅକ୍ଟୋବର ୧୬ ତାରିଖ ଦିନ ପିଇଓ ସ୍ମିତାରାଣୀ ହରିଦାସପୁର ଅଞ୍ଚଳରେ ଭତ୍ତା ବାଣ୍ଟିବାକୁ ପହଞ୍ଚିଥିଲେ। ସେଠାରେ ସରପଞ୍ଚଙ୍କ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ ହୋଇଥିଲା। ଭତ୍ତା ବାଣ୍ଟିବାରେ ସ୍ମିତାରାଣୀଙ୍କୁ ସରପଞ୍ଚଙ୍କ ସ୍ଵାମୀ ସାହାଯ୍ୟ କରିଥିଲେ। ଭତ୍ତା ବଣ୍ଟନ ସରିବା ପରେ ସ୍ମିତାରାଣୀ ସରପଞ୍ଚ ସ୍ଵାମୀଙ୍କ ଗେଷ୍ଟ ହାଉସକୁ ଫ୍ରେସ ହେବାକୁ ଯାଇଥିଲେ। ହେଲେ ଫେରି ନଥିଲେ। ବିଳମ୍ଵ ହେବାରୁ ସରପଞ୍ଚଙ୍କ ସ୍ଵାମୀ ତାଙ୍କୁ ଡାକିବାକୁ ଯାଇଥିଲେ। ସେଠାରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା।

ରହସ୍ୟଜନକ ମୃତ୍ୟୁକୁ ନେଇ ପୋଲିସ ଆରମ୍ଭ କଲା ତଦନ୍ତ

ଏହି ରହସ୍ୟଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି, ନା ତାଙ୍କୁ ହତ୍ୟା କରାଯାଇଛି? ତାକୁ ନେଇ ବଢ଼ିବାକୁ ଲାଗିଥିଲା ସସ୍‌ପେନ୍ସ। ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା। ଘର ଲୋକଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ପର୍ଯ୍ୟନ୍ତ ସମସ୍ତେ ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥଲେ। ଶେଷରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ।

ବିଜେପି ଆଣିଲା ସାଂଘାତିକ ଅଭିଯୋଗ

ମୃତ୍ୟୁର ତିନି ଦିନ ପରେ ବିରୋଧୀ ବିଜେପି ଭୁବନେଶ୍ୱର ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ କରି ସିବିଆଇ ତଦନ୍ତ ଦାବି କରିଥିଲା। ସ୍ମିତାରାଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବିଜେପି ଅଭିଯୋଗ କରିଥିଲା। ସିବିଆଇ ତଦନ୍ତ ହେଲେ ପୂରା ଘଟଣା ଉପରୁ ପରଦା ଉଠି ପାରିବ ବୋଲି ବିଜେପି କହିଥିଲା।

‘‘ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କୁ ଗଣଦୁର୍ଷ୍କମ ଏବଂ ପରେ ହତ୍ୟା କରାଯାଇଛି। ଶାସକ ଦଳ ଚାପରେ ପୋଲିସ କାମ କରୁଛି। ଏହାକୁ ଚପାଇ ଦେବାକୁ ଉଦ୍ୟମ ଚାଲିଛି। ଏହା ଦୁର୍ଭାଗ୍ୟଜନକ’’, କହିଛନ୍ତି ବିଜେପି ନେତା ପ୍ରକାଶ ମିଶ୍ର।

ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧ ଦଳ ହରିଦାସପୁର ପଞ୍ଚାୟତ ଗସ୍ତ କରି ଘଟଣାର ତଦନ୍ତ କରିଥିଲା। ସ୍ମିତାରାଣୀ ବିଶ୍ୱାଳଙ୍କର ପରିବାରବର୍ଗ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ ବିଜେପି ପ୍ରତିନିଧି ଦଳ। ଧର୍ମଶାଳାକୁ ଫେରିବା ପରେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳକୁ ଟାର୍ଗେଟ୍‌ କରିଥିଲା।

ସରପଞ୍ଚଙ୍କ ସ୍ଵାମୀ ରୂପେଶ ଭଦ୍ରଙ୍କୁ ଗିରଫ କଲା ପୋଲିସ

ପରେ ଯାଜପୁର ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ଵାଳ ମୃତ୍ୟୁ ମାମଲାର ପର୍ଦ୍ଦାଫାସ କରିଥିଲା ପୋଲିସ। ଏନେଇ ସରପଞ୍ଚଙ୍କ ସ୍ଵାମୀଙ୍କୁ ଗିରଫ କରିଛି ପୋଲିସ। ସରପଞ୍ଚଙ୍କ ସ୍ଵାମୀ ରୂପେଶ ଭଦ୍ରଙ୍କ ସହ ସ୍ମିତାରାଣୀଙ୍କ ଦୀର୍ଘଦିନରୁ ସଂପର୍କ ରହିଥିଲା। ତେବେ ମୃତ୍ୟୁର କାରଣ ପ୍ରେମ ସଂପର୍କ ବୋଲି କହିଛନ୍ତି ଯାଜପୁର ଏସପି। କିଛିଦିନ ହେଲା ସେମାନଙ୍କ ପ୍ରେମ ସଂପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ତେବେ ତାଙ୍କ ଶରୀରରେ କୌଣସି କ୍ଷତ ହୋଇନାହିଁ। ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ରଶିରେ ଝୁଲିବା ଯୋଗୁଁ ହୋଇଛି ବୋଲି ସ୍ପଷ୍ଟ କରିଛନ୍ତି ଏସପି।

ଏସ୍‌ପିଙ୍କ ମନ୍ତବ୍ୟକୁ ବିରୋଧ

ଯାଜପୁର ଏସ୍‌ପି ଚରଣ ସିଂହ ମିନାଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ। ସେ କହିଛନ୍ତି ଯେ ଏସ୍‌ପି ଭୁଲ ତଥ୍ୟ ଦେଉଛନ୍ତି। ସ୍ମିତା ଆତ୍ମହତ୍ୟା କରିବା ପିଲା ନୁହେଁ। ତାକୁ ହତ୍ୟା କରାଯାଇଛି। ଗେଷ୍ଟ ହାଉସ୍‌ରେ ସେଦିନ କିଏ କିଏ ଥିଲେ ତା’ ଉପରୁ ପରଦା ହଟାଇବା ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି ସ୍ମିତାଙ୍କ ବାପା। ଏହାସହ ବିଜେପି ଓ କଂଗ୍ରେସ ମଧ୍ୟ ସିବିଆଇ ତଦନ୍ତ ଦାବି କରିଥିଲେ।

ଅକ୍ଟୋବର ୨୧ରେ ଯାଜପୁର ବନ୍ଦ

ଏହି ଘଟଣାରେ ରାଜନୀତି ଜୋର ଧରିଥିଲା। ଘଟଣାରେ ସିବିଆଇ ତଦନ୍ତ ଦାବି କରି ରାସ୍ତାକୁ ଓହ୍ଲାଇଥିଲା ବିଜେପି। ଏସ୍‌ପିଙ୍କ ମନ୍ତବ୍ୟକୁ ବିରୋଧ କରି ଜିଲ୍ଲା ବିଜେପି ଅକ୍ଟୋବର ୨୧ରେ ଯାଜପୁର ବନ୍ଦ ଡାକରା ଦେଇଥିଲା। ଏହା ହତ୍ୟା ନା ଆତ୍ମହତ୍ୟା ତା’ ଉପରୁ ପରଦା ହଟାଇବା ପାଇଁ ତଦନ୍ତ ଦାବି କରିଥିଲା ବିଜେପି। ଏସ୍‌ପି ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣି ବିଜେପି ବନ୍ଦ ଡାକରା ଦେଇଥିଲା। ଏଥିରେ ଶାସକ ଦଳ ନେତାଙ୍କ ହାତ ଥିବା ବିଜେପି ଅଭିଯୋଗ କରିଛି।

ବିଧାନସଭାରେ ସ୍ମିତାରାଣୀ ଝଡ଼

ବିଧାନସଭା ଶୀତ ଅଧିବେଶନ ବେଳେ ସରକାରଙ୍କୁ ଟାର୍ଗେଟ କରିଥିଲା ବିରୋଧୀ ଦଳ। ପ୍ରଥମ ଓ ଦ୍ୱିତୀୟ ଦିନ ସ୍ମିତାରାଣୀ ଝଡ଼ରେ ବିଧାନସଭା ଧୋଇ ହୋଇ ଯାଇଥିବା ବେଳେ ତୃତୀୟ ଦିନରେ ବିଜେପି ବିଧାୟକମାନେ କଳାପଟି ବାନ୍ଧି ଗୃହକୁ ଆସିଥିଲେ। ବିଧାନସଭାର କାର୍ଯ୍ୟକାଳ ଆରମ୍ଭ ହେଲା। ହେଲେ ବିଜେପି ବିଧାୟକମାନେ ଏଥିରେ ସାମିଲ୍‌ ହେଲେନି। କଳାପଟି ବାନ୍ଧି ପ୍ରତିବାଦ କଲେ। କଳାପଟି ଖୋଲି ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଜେପି ବିଧାୟକମାନଙ୍କୁ କହିଥିଲେ ମଧ୍ୟ ସେମାନେ ଏହାକୁ ଶୁଣି ନଥିଲେ। ଘଟଣାର ସିବିଆଇ ତଦନ୍ତ, ଯାଜପୁର ଏସ୍‌ପି ଏବଂ ମହିଳା କମିସନ ଅଧ୍ୟକ୍ଷାଙ୍କ ବହିଷ୍କାର ନହେବା ଯାଏଁ ଏଭଳି ପ୍ରତିବାଦ ଜାରି ରହିବ ବୋଲି ବିଜେପି ବିଧାୟକମାନେ କହିଥିଲେ।

ସିଲ୍‌ ହୋଇଥିଲା ରୂପେଶଙ୍କ ଗେଷ୍ଟ ହାଉସ୍‌

ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ୍‌କୁ ଅକ୍ଟୋବର ୨୫ ତାରିଖରେ ସିଲ୍‌ କରାଯାଇଥିଲା। ଧର୍ମଶାଳା ତହସିଲଦାର ଗେଷ୍ଟହାଉସରେ ନାଲି ପତାକା ଲଗାଇଥିଲେ। ଏଥିସହିତ ଗେଷ୍ଟ ହାଉସ ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି ଜାରି କରାଯାଇଥିଲା। ଗେଷ୍ଟ ହାଉସ ସରକାରୀ ଜାଗାରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗେଷ୍ଟ ହାଉସକୁ ଭାଙ୍ଗିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା।

ଏହି ଘଟଣାକୁ ୩ ମାସ ବିତି ଯାଇଥିଲେ ମଧ୍ୟ ରହସ୍ୟଜନକ ମୃତ୍ୟୁ ଉପରୁ ପରଦା ହଟି ପାରିନାହିଁ। ରୂପେଶ ଭଦ୍ରଙ୍କୁ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲେ ମଧ୍ୟ ସ୍ମିତାରାଣୀ କାହିଁକି ଆତ୍ମହତ୍ୟା କରିଥିଲେ ଏବେ ଯାଏଁ ସ୍ପଷ୍ଟ ହୋଇପାରିନାହିଁ।

Comment