ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧନୁଯାତ୍ରାକୁ ସ୍ୱାଗତ ପାଇଁ ବରଗଡ଼ରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏଥିପାଇଁ ସଜେଇ ହେଉଛି ବରଗଡ଼ ସହର। ସହରର ବିଭିନ୍ନ ପ୍ରବେଶ ଦ୍ୱାରରେ ସୁନ୍ଦର ସୁନ୍ଦର ତୋରଣ ନିର୍ମାଣ କାମରେ କାରିଗରମାନ ଲାଗିପଡ଼ିଛନ୍ତି। ସହରର ବିଭିନ୍ନ ପାଚେରିଗୁଡ଼ିକରେ ଚିତ୍ରକରମାନେ ଧନୁଯାତ୍ରାର ନାଟକୀୟତାକୁ ନେଇ ଚିତ୍ର ଆଙ୍କି ଚାଲିଛନ୍ତି। ବରଗଡ଼କୁ ଏକ ଚିତ୍ରଶାଳାରେ ପରିଣତ କରିବା ପାଇଁ ବେଶ୍ ପ୍ରୟାସ ଚାଲିଛି।

ଚଳିତବର୍ଷ ଧନୁଯାତ୍ରାକୁ ସଫଳ କରିବା ପାଇଁ ପ୍ରଶାସନିକ ଓ ବେସରକାରୀ ସ୍ତରରେ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ଲକ୍ଷ ଲକ୍ଷ ଦର୍ଶକଙ୍କ ଭିଡକୁ ଆଖି ଆଗରେ ରଖି ଜିଲ୍ଲା ପୋଲିସ ତରଫରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି।

kansa maharaj, baragarah dhanu yatra

ଯାତ୍ରା ସମୟରେ ଯେପରି ବିଦ୍ୟୁତ୍ ବିଭ୍ରାଟ ନ ଘଟେ ସେଥିପାଇଁ ୱେସ୍କୋ ତରଫରୁ ସ୍ୱତନ୍ତ୍ର ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି। ପାନୀୟ ଜଳ ଯୋଗାଇଦେବା ପାଇଁ ପିଏଚ୍‌ଡି ତରଫରୁ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି।

ଯାତ୍ରା ସମୟରେ ଯେପରି ଯାତାୟତରେ କୌଣସି ଅସୁବିଧା ନ ହୁଏ ସେଥିପାଇଁ ପରିବହନ ବିଭାଗ ତରଫରୁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଛି। ମୋଟାମୋଟି ଭାବେ ସରକାରୀ ଓ ବେସରକାରୀ ସ୍ତରରେ ଧନୁଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ବରଗଡ଼ ଧନୁଯାତ୍ରାକୁ ସଫଳ କରିବା ପାଇଁ ବରଗଡ଼ ପୌରପରିଷଦର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ରାସ୍ତା ମରାମତି, ସହରର ପରିମଳ ବ୍ୟବସ୍ଥା, ଡ୍ରେନ୍‌ ସଫେଇ କାମରେ ପୌର କର୍ମଚାରୀମାନେ ଲାଗି ପଡ଼ିଛନ୍ତି। ସହରରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ପାଇଁ ବରଗଡ଼ ପୌରପରିଷଦ ବିଶେଷ ପଦକ୍ଷେପ ନେଇଛି।

ଅମ୍ବାପାଲିରେ ବି ଚାଲିଛି ଜୋରଦାର ପ୍ରସ୍ତୁତି

କେବଳ ବରଗଡ଼ ସହର ନୁହେଁ, ଅମ୍ବାପାଲି ଗାଁରେ ମଧ୍ୟ ଜୋରସୋର୍ ପ୍ରସ୍ତୁତି ଚାଲିଛି। ଆଧୁନିକ ଗାଁଟିଏ ପୁରାଣର ଗୋପପୁରରେ ପରିଣତ ହେବାକୁ ଯାଉଛି ଲୋକମାନଙ୍କ ଦ୍ୱାରା। କେଉଁଠି ତୋରଣ ତ କେଉଁଠି ପାଚେରିରେ ପଟ୍ଟଚିତ୍ର, ମୁରୁଜ ପକାଇ ଧନୁଯାତ୍ରାକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଚାଲିଛି। ମଞ୍ଚ ପ୍ରସ୍ତୁତିରେ ଅମ୍ବାପାଲିବାସୀ ଦିନରାତି ଲାଗି ପଡ଼ିଛନ୍ତି।

କମ୍ପୁଛି ଆଖଡ଼ା ଶାଳ

ଧନୁଯାତ୍ରାର ନାଟକୀୟତାକୁ ଉଚ୍ଚାଙ୍ଗ କରିବା ପାଇଁ ଉଭୟ ବରଗଡ଼ ଓ ଅମ୍ବାପାଲିରେ ସ୍ୱତନ୍ତ୍ର ଭାବେ ‘ରିଅଲ୍‌ସାଲ୍’ ଜୋର୍‌ସୋର୍‌ରେ ଚାଲିଛି। ଅଭିନେତା ଓ ଅଭିନେତ୍ରୀମାନେ ନିଜ ନିଜ ଅଭିନୟକୁ ନେଇ ପ୍ରସ୍ତୁତି ଚଳାଇଛନ୍ତି। ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ନୂତନ ପ୍ରୟୋଗର ପରୀକ୍ଷାନିରୀକ୍ଷା ଚାଲିଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment