ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ ମୁକ୍ତାକାଶ ରଙ୍ଗମଞ୍ଚରେ ଆଜିଠୁ ଚାଲିବ କଂସ ମହାରାଜଙ୍କ ରାଜୁତି।

(ବରଗଡ଼ରୁ କୃତ୍ତିକା ଶତପଥୀ): କଂସ କରିବେ ଶାସନ। ପୌରାଣିକ କଥାବସ୍ତୁ ଅନୁସାରେ କଂସର ସିଂହାସନ ଆରୋହଣଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଏକାଧିକ ରଙ୍ଗମଞ୍ଚରେ ପ୍ରଦର୍ଶିତ ହେବ ବହୁ ଅଭିନୟ। ବରଗଡ଼ ଜିଲ୍ଳାରେ ଏବେ ଧାନ ବିକ୍ରୀ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଲୋକଙ୍କ ହାତରେ ମଧ୍ୟ ସମୟ ରହିଛି ଏହି ଯୁଗକୁ ଉପଭୋଗ କରିବାକୁ।

ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବରେ ପରିଚିତ ବରଗଡ଼ ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ଆନୁଷ୍ଠାନିକ ଭାବରେ ଉଦ୍‌ଘାଟିତ ହେବ। ୧୧ ଦିନ ଧରି ପାଳିତ ହେଉଥିବା ଏହି ଧନୁଯାତ୍ରା ପାଇଁ ବରଗଡ଼ ସହର ଚଳଚଞ୍ଚଳ ହୋଇପଡ଼ିଛି। ମଙ୍ଗଳବାର ଅପରାହ୍‌ଣ ୨ଟାରେ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଠାରେ ପହଞ୍ଚିବ। ସେଠାରେ ଯାତ୍ରାର ସଫଳତା ନେଇ ପୁଜାର୍ଚ୍ଚନା କରାଯିବା ପରେ ସେହି ଶୋଭାଯାତ୍ରା ହାଟପଦାସ୍ଥିତ ରାଜଦରବାରକୁ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଶୋଭାଯାତ୍ରା ରାଜଦରବାରରେ ପହଞ୍ଚିବା ପରେ ଆନୁଷ୍ଠାନିକ ଭାବରେ ୭୧ତମ ବରଗଡ଼ ଧନୁଯାତ୍ରା ଉଦଘାଟି୍ତ ହେବ।

ଧନୁଯାତ୍ରା ଅବସରରେ ବରଗଡ଼ ସହର ମଥୁରା ନଗରୀ, ଅମ୍ବାପାଲି ଗୋପପୁର ଏବଂ ଜୀରା ନଦୀ ପୁରାଣ ବର୍ଣ୍ଣିତ ଯମୁନା ନଦୀ ଭାବରେ ରୁପାନ୍ତରିତ ହୋଇଯାଉଥିବା ବେଳେ ସହର ସମସ୍ତ ଜନସାଧାରଣ ମଥୁରା ନଗରୀର ଜଣେ ଜଣେ ପ୍ରଜା ଭାବରେ ପରିଗଣିତ ହୋଇଥା’ନ୍ତି। ଚଳିତବର୍ଷ ମହାରାଜା କଂସଙ୍କ ରାଜ ଦରବାରର ଉଚ୍ଚତା ୬୦ ଫୁଟ ଥିବା ଚଉଡ଼ା ପ୍ରାୟ ୧୦୦ ଫୁଟ ରହିଥିବାର ଜଣାପଡ଼ିଛି।

ସେହିପରି ଚଳିତବର୍ଷ ପ୍ରାୟ ରାଜ୍ୟ ତଥା ରାଜ୍ୟ ବାହାରର ଶହେରୁ ଅଧିକ ନୃତ୍ୟ ଦଳ ବିଭିନ୍ନ ଦିନରେ ରାଜଦରବାର, ରଙ୍ଗମହଲ ତଥା ନନ୍ଦଦରବାରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ଚୂଡ଼ାନ୍ତ ହୋଇଛି। ତେବେ ଯାତ୍ରା ପାଇଁ ସମସ୍ତ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ସହର ବିଭିନ୍ନ ସ୍ଥାନରେ ତୋରଣ ଲଗାଯାଇଛି।

ଅନ୍ୟ ପକ୍ଷରେ ଜର୍ଜ ହାଇସ୍କୁଲ ପଡ଼ିଆରେ ମଧ୍ୟ ମୀନାବଜାର ତଥା ବିଭିନ୍ନ ଅସ୍ଥାୟୀ ଦୋକାନ ବଜାର ଖୋଲିଛି। ଚଳିତବର୍ଷ ସର୍ଲା ଗ୍ରାମର ଭୁବନେଶ୍ୱର ପ୍ରଧାନ ପଞ୍ଚମଥର ପାଇଁ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅବତୀଣ୍ଣ ହେଉଛନ୍ତି। ସେହିପରି କୃଷ୍ଣ ବଳରାମ ଭୂମିକାରେ ଅଭିନୟ କରୁଥିବା ଆୟୁଷ ବିର୍ତିଆ ଏବଂ ଆଶୁତୋଷ କୁମାର ବିର୍ତିଆଙ୍କ ସମେତ ରାଧା ଶ୍ରେୟାଂଶୀ ମହାପାତ୍ର ଅଭିନୟ କରୁଛନ୍ତି।

ବରଗଡ଼ ଧନୁଯାତ୍ରା ୭୧ ବର୍ଷରେ ପଦାପର୍ଣ କରୁଥିବା ବେଳେ ଏହା ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇ ଜାନୁଆରି ୧୦ ତାରିଖରେ ଉଦ୍‌ଯାପିତ ହେବ। ୧୧ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଧନୁଯାତ୍ରାରେ କୃଷ୍ଣ ଜନ୍ମଠାରୁ କଂସ ବଧ ପର୍ଯ୍ୟନ୍ତ ବିଭିନ୍ନ ଦୃଶ୍ୟ ଖୋଲାମଞ୍ଚରେ ଅଭିନୀତ ହୋଇଥାଏ । ଉସ୍‌ଘାଟନୀ ସଂଧ୍ୟାରେ ଉଗ୍ରସେନଙ୍କ ନିର୍ଦ୍ଦେଶରେ ଦେବକୀ ବସୁଦେବଙ୍କ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସଙ୍କ ସିଂହାସନ ଆରୋହଣ ତଥା ଦେବକୀ-ବସୁଦେବଙ୍କୁ କାରାଗାର ପ୍ରେରଣ ଦୃଶ୍ୟ ଅଭିନୀତ ହେବ।

ବରଗଡ଼ ଧୁନଯାତ୍ରାର ଅନ୍ୟାନ୍ୟ ଭୂମିକାରେ ମହାମନ୍ତ୍ରୀ ଅକୃର ଲଳିତ ମୋହନ ପଣ୍ଡା, ଉଗ୍ରସେନ ଆର୍ତତ୍ରାଣ ମହାପାତ୍ର, ମହାମନ୍ତ୍ରୀ ଶକ୍ରାଜିତ ପ୍ରଦୀପ କୁମାର ପଣ୍ଡା, ଗର୍ଗ ମୁନି ଅଇଁଠୁ ସାହୁ, ମହାମନ୍ତ୍ରୀ ଅନାଧୃଷ୍ଟ ନନ୍ଦିଘୋଷ ମହାପାତ୍ର, ସେନାପତି ହଂସଧ୍ୱଜ ବୃନ୍ଦାବନ ପ୍ରଧାନ, ସେନାପତି ପ୍ରଦ୍ୟୁତ୍ ଗୋଲାପ ଚନ୍ଦ୍ର ଦାଶ, ଚାଣ୍ଡୁର ଶମ୍ବୁ ଗୁରୁ, ମୁଷ୍ଟିକ ମୁନେଷ ଚନ୍ଦ୍ର ଆଚାର୍ଯ୍ୟ, ନାରଦ ଜଗନ୍ନାଥ ସାହୁ, ବସୁଦେବ ଗୋବିନ୍ଦ ଚନ୍ଦ୍ର ଦାଶ, ଦେବକୀ ଭାରତୀ କର୍ଣ୍ଣ ପ୍ରମୁଖ ଅଭିନୟ କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଯାତ୍ରାରେ ଲକ୍ଷାଧିକ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comment