ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏଏସ୍‌ ଅଫିସର ବିଜୟ ଉପାଧ୍ୟାୟ ବିଗତ ସାତ ବର୍ଷ ମଧ୍ୟରେ ନିଜ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୭୦ ଲକ୍ଷ ଟଙ୍କା ଜମା କରିଥିବା ବିଷୟ ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି। ଗତ ବୁଧବାର ଦିନ ଉପାଧ୍ୟାୟ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବେଳେ ସେ ଏବେ ଝାରପଡ଼ା ଜେଲରେ ଅଛନ୍ତି। ଉପାଧ୍ୟାୟଙ୍କ ବ୍ୟାଙ୍କ ଆକାଉଣ୍ଟ ଛାନଭିନ୍‌ କରିବା ସମୟରେ ୨୦୧୨ରୁ ୨୦୧୯ ମଧ୍ୟରେ ବିଭିନ୍ନ ବ୍ୟାଙ୍କରେ ଏହି ଟଙ୍କା ଜମା କରାଯାଇଛି।

ଭିଜିଲାନ୍ସ ସୂତ୍ର ଅନୁସାରେ କାଉଣ୍ଟର ଓ କ୍ୟାସ ଡିପୋଜିଟ ମେସିନ୍‌ରେ ଏହି ଟଙ୍କା ବିଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ଜମା କରାଯାଇଥିଲା। ଗୋଟିଏ ଦିନରେ ବିଭିନ୍ନ ସମୟରେ ଟଙ୍କା ଜମା ହୋଇଥିବା ବି ଜଣାପଡ଼ିଛି। ଉପାଧ୍ୟାୟ ଉଦ୍ୟାନକୃଷି ବିଭାଗର ନିର୍ଦ୍ଦେଶକ ଥିବା ବେଳେ ମୁଖ୍ୟତଃ ଏହି ଟଙ୍କା କାରବାର ହୋଇଛି। ନିଜ ଆକାଉଣ୍ଟ ବ୍ୟତୀତ ଲିଙ୍କଡ୍‌ ଆକାଉଣ୍ଟରେ ମଧ୍ୟ ଟଙ୍କା ଜମା ହୋଇ ଥିବା ଭିଜିଲାନ୍ସ ଜାଣିପାରିଛି। ଭିଜିଲାନ୍ସ ଅଧିକାରୀମାନେ ଆଉ କେତୋଟି ସନ୍ଦେହଜନକ ଆକାଉଣ୍ଟ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛନ୍ତି।

“ଏକ ଘରୋଇ ବ୍ୟାଙ୍କର ଭାଇସ ପ୍ରେସିଡେଣ୍ଟ ସନ୍ତୋଷ ପଟ୍ଟନାୟକ ଯିଏ ଉପାଧ୍ୟାୟଙ୍କ ଲାଞ୍ଚ ଟଙ୍କାକୁ ଏପଟ ସେପଟ୍‌ କରୁଥିଲେ ତାଙ୍କୁ ପୋଲିସ ଗିରଫ କରିଛି। ଭିଜିଲାନ୍ସ ବିଭାଗର ଅଧିକାରୀ, ସାଇବର ସେଲ, ଫରେନ୍ସିକ ବିଶେଷଜ୍ଞ, ଚାଟାର୍ଡ ଅକାଉଣ୍ଟାଣ୍ଟ ଓ ଆୟକର ପରାମର୍ଶଦାତାଙ୍କୁ ନେଇ ଗଠିତ ଏକ  ଟିମ୍‌ ଉପାଧ୍ୟାୟଙ୍କ ଆୟ ବହିର୍ଭୁତ ସମ୍ପତ୍ତି ମାମଲାର ତଦନ୍ତ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅନ୍ତର୍ଗତ କିଛି ଉପକରଣ କିଣିବା ମାମଲାରେ ଏସ୍‌ଆର୍‌ଏମ୍‌ ପ୍ଲାଷ୍ଟକେମ ପ୍ରାଲିର ପ୍ରତିନିଧିଙ୍କଠାରୁ ଲାଞ୍ଚ ନେବା ସମୟରେ ବ୍ୟାଙ୍କ ଅଫିସର ଧରାପଡ଼ିଥିବା ବେଳେ ଏହି ଟଙ୍କା ବିଜୟ ଉପାଧ୍ୟାୟଙ୍କର ବୋଲି ଜଣାପଡ଼ିଥିଲା।

Comment