ଓଡ଼ିଶାଲାଇଭ୍ ବ୍ୟୁରୋ

ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ପୀଠରେ ହେଉଥିବା ପ୍ରସିଦ୍ଧ ଛତର ଯାତ୍ରାରେ ବଳି ଉପରେ ରୋକ୍ ଲଗାଇଲେ ହାଇକୋର୍ଟ। ଦଶହରା ମହାଷ୍ଟମୀରେ ମା’ ମାଣିକେଶ୍ୱରୀଙ୍କ ଲାଗି ରାସ୍ତା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବଳି ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
ଏହାସହ ଯାତ୍ରା ସମୟରେ ପଶୁବଳି ନେଇ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ କଳାହାଣ୍ଡି ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ‘‘ବଳି ଭଳି ଅନ୍ଧବିଶ୍ୱାସଠାରୁ ନିବୃତ୍ତ ରହିବାକୁ ଜନସାଧାରଣଙ୍କୁ ସଚେତନ କରାଯିବ। ପଶୁବଳି ରୋକିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବ।’’
ଶୁଣାଣି ଅନୁଯାୟୀ, ଛତର ଯାତ୍ରା ସମୟରେ ଶୋଭାଯାତ୍ରାର ରେକର୍ଡିଂ ପାଇଁ ସିସି ଟିଭି କ୍ୟାମେରା ବସାଯିବ। ମାସକ ପୂର୍ବରୁ ପଶୁବଳି ଭଳି ଅନ୍ଧବିଶ୍ୱାସ ରୋକିବା ପାଇଁ ସଚେତନ କରାଯିବ। ଏଭଳି ସମୟରେ ଜିଲ୍ଲାର ସମସ୍ତ ସ୍କୁଲ କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ସହଯୋଗ ନିଆଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପ୍ରଦକ୍ଷେପ ଗ୍ରହଣ କରିବା ସହ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରସିଦ୍ଧ ଛତରଯାତ୍ରାରେ ବଳିକୁ ବିରୋଧ କରି ସମାଜସେବୀ ଜୟନ୍ତୀ ଦାସ ୨୦୧୭ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିଲେ।
















