ଅଶୋକ ବହିଦାର

ବରଗଡ଼ ଧନୁଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ‘ଗ୍ରୀନ୍ ରୁମ୍’। ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଯେତିକି ଦିନ ଧରି ଚାଲେ ସେତିକି ଦିନ ପର୍ଯ୍ୟନ୍ତ ଚଳ ଚଞ୍ଚଳ ହୋଇ ଉଠେ ‘ଗ୍ରୀନ୍ ରୁମ୍’। ଏହି ଗ୍ରୀନ୍‌ ରୁମ୍‌ରେ ହିଁ କଳାକାରମାନଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଶିଳ୍ପୀମାନେ ସଜେଇ ଦେଇଥାନ୍ତି।

ଧନୁଯାତ୍ରାରେ ଜଣେ କଳାକାରଙ୍କର ଯେତିକି ଗୁରୁତ୍ଵ ରହିଥାଏ ରୂପକାର ଏବଂ ରଙ୍ଗକାରମାନଙ୍କର ମଧ୍ୟ ରହିଛି ସେତିକି ଗୁରୁତ୍ଵ। ଧନୁଯାତ୍ରା ଆସିଲେ କଳାକାରଙ୍କୁ ବିଭିନ୍ନ ଚରିତ୍ରରେ ପ୍ରସ୍ତୁତ କରିବା ପାଇଁ ଏହି ‘ଗ୍ରୀନ ରୁମ୍’କୁ ଆଗୁଆ ପ୍ରସ୍ତୁତ କରାଯାଇଥାଏ।

ମାରୱାଡି ଧର୍ମଶାଳା ପାଲଟିଯାଏ ‘ଗ୍ରୀନ୍ ରୁମ୍’

ବରଗଡ଼ ସହରର ମାରୱାଡି ଧର୍ମଶାଳାକୁ ଧନୁଯାତ୍ରା ‘ଗ୍ରୀନରୁମ୍’ ଭାବେ ବ୍ୟବହାର କରାଯାଉଛି। ସମୟ ଏବଂ କଳାକାରଙ୍କ ସଂଖ୍ୟା ଆଧାରରେ ଏହାକୁ ପୃଥିବୀର ସବୁଠାରୁ ବଡ଼ ଗ୍ରୀନ ରୁମ୍ କହିଲେ ଭୁଲ୍ ହେବ ନାହିଁ। ପ୍ରତିଦିନ ଦ୍ବି ପ୍ରହରରୁ ସନ୍ଧ୍ୟା ଯାଏ ମାରୱାଡ଼ି ଧର୍ମଶାଳାର ବିଭିନ୍ନ କୋଠରୀରେ କଳାକାରଙ୍କ ବେଶଭୂଷା ଆରମ୍ଭ ହୋଇ ଯାଇଥାଏ।

ଘାସିରାମ ସାହୁ ଥିଲେ ପ୍ରଥମ ରୂପକାର

ଘାସିରାମ ସାହୁ ଦୀର୍ଘ ବର୍ଷ ଧରି ମୁଖ୍ୟ ବରଗଡ଼ ଧନୁଯାତ୍ରାର ମୁଖ୍ୟ ରୂପକାର ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ। ୨୦୧୫ରେ ତାଙ୍କର ଦେହାନ୍ତ ହୋଇଯିବା ପରେ ତାଙ୍କ ପୁଅ ବାଙ୍କବିହାରୀ ସାହୁ କଳାକାରମାନଙ୍କୁ ବିଭିନ୍ନ ବେଶରେ ସଜାଇ ଦେଉଛନ୍ତି। ଉଭୟ ବେଶ ଓ ପରିପାଟୀ ପାଇଁ ସାହୁ ପରିବାରର ସମର୍ପିତ ଭାବ ବେଶ୍ ପ୍ରଶଂସନୀୟ।

ଗ୍ରୀନ୍ ରୁମ୍‌ରେ ଅପରାହ୍‌ଣରୁ ଭିଡ଼ ଜମେ

ଅପରାହ୍‌ଣରୁ ଗ୍ରୀନରୁମରେ ଭିଡ଼ ଆରମ୍ଭ କରନ୍ତି କଳାକାରମାନେ। କେଉଁ ଚରିତ୍ର ପାଇଁ କେଉଁ କେଉଁ ପୋଷାକ ଦରକାର, କେଉଁ ଦିନ କି କି ପୋଷାକ ଜଣେ କଳାକାର ପିନ୍ଧିବେ, କେଉଁ କଳକାରକୁ କିପରି ଭାବେ ଚରିତ୍ର ଅନୁସାରେ ବେଶ କରିବାକୁ ହେବ ତା’ର ରୂପରେଖ ପ୍ରସ୍ତୁତ କରିଥାନ୍ତି ମୁଖ୍ୟ ରୂପକାର। ଏଥିରେ ତାଙ୍କୁ ସାହାଯ୍ୟ କରିଥାନ୍ତି ତାଙ୍କର ସହଯୋଗୀମାନେ।

ମାରୱାଡି ଧର୍ମଶାଳାର କୋଠରୀଗୁଡ଼ିକରେ ଜରିପୋଷାକ, ମୁକୁଟ, ପଗଡ଼ି, ଜୋତା, ବିଭିନ୍ନ ଅଳଙ୍କାର, ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ନାଟକୀୟ ଉପାଦାନ ରଖାଯାଇଥାଏ। ସ୍ଥାନୀୟ କାରିଗରମାନେ ଏସବୁକୁ ତିଆରି କରିଥାନ୍ତି। ଏହି ସାମଗ୍ରୀ ଭିତରୁ ଭିତରୁ ଅନେକ ଉପାଦାନ ବାହାରୁ ମଗାଯାଇଥାଏ ବୋଲି କହନ୍ତି ରୂପକାର। ‘କଂସ’ ଚରିତ୍ରର କଳାକାରଙ୍କ ବେଶ ପରିପାଟୀକୁ ନେଇ ସେମାନଙ୍କୁ ବିଶେଷ ଧ୍ୟାନ ଦେବାକୁ ହୋଇଥାଏ।

ମାରୱାଡି ଧର୍ମଶାଳା କେବଳ ‘ଗ୍ରୀନରୁମ୍’ ନୁହେଁ, କଳାକାରମାନେ ଏଠାରେ ରହିଥାନ୍ତି। ଧନୁଯାତ୍ରାର ‘ମଥୁରା ପ୍ରସଙ୍ଗ’ର ସମସ୍ତ କଳାକାର ଏଠାରେ ପ୍ରତିବର୍ଷ ରହିଥାନ୍ତି। କଳାକାରମାନଙ୍କର ଭିତରେ ଥିବା ଆଗ୍ରହ ଓ ରୂପକାରମାନଙ୍କର ବ୍ୟସ୍ତତାକୁ ନେଇ ଏଗାର ଦିନ ଧରି ଏହି ‘ଗ୍ରୀନରୁମ୍‌’ କୋଳାହଳମୟ ହୋଇଉଠେ। ରାତିରେ ନିଜ ନିଜ ଚରିତ୍ରର ଅଭିନୟ ସାରି କଳାକାରମାନେ ଗ୍ରୀନରୁମକୁ ଫେରି ଆସନ୍ତି। ପୁଣି ତା’ ପରଦିନ ପ୍ରସ୍ତୁତ ହୋଇଯାଆନ୍ତି ରଙ୍ଗ ମାଖିବାକୁ।

ଅମ୍ବାପାଲିରେ ରହିଛି ଆଉ ଏକ ଗ୍ରୀନ୍ ରୁମ୍

ଧନୁଯାତ୍ରାର ‘ମଥୁରା ପ୍ରସଙ୍ଗ’ ସହିତ ଯୋଡ଼ି ହୋଇରହିଛି ‘ଗୋପପୁର ପ୍ରସଙ୍ଗ’। ‘ମଥୁରା ପ୍ରସଙ୍ଗ’ ପାଇଁ ବରଗଡ଼ର ମାରୱାଡ଼ି ଧର୍ମଶାଳା  ‘ଗ୍ରୀନରୁମ୍’ ପାଲଟି ଯାଉଥିବା ବେଳେ ‘ଗୋପପୁର ପ୍ରସଙ୍ଗ’ ପାଇଁ ଅମ୍ବାପାଲି ଗାଁରେ ରହିଛି ଆଉ ଏକ ‘ଗ୍ରୀନ ରୁମ୍’। ରୂପକାରମାନେ ଶହଶହ କଳାକାରଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ସଜାଇବା ପାଇଁ ଦିନରାତିକୁ ଏକ କରିଦେଇଥାନ୍ତି।

ଏଗାର ଦିନ ପରେ ଧନୁଯାତ୍ରାର ସବୁ ଅଧ୍ୟାୟ ଶେଷ ହୋଇଯାଏ। କଳାକାରମାନେ ମୁହଁରୁ ରଙ୍ଗପୋଛି, ଦେହରୁ ନାଟକୀୟ ପୋଷାକ ଓହ୍ଲାଇ ପୁଣି ବ୍ୟସ୍ତ ହୋଇଯାଆନ୍ତି ନିଜ ନିଜର ଜୀବିକାରେ। ଆପେ ଆପେ ଗ୍ରୀନରୁମରୁ କଳାକାର ଓ ରୂପକାରମାନଙ୍କର ଭିଡ଼ ଅପସରି ଯାଏ। ଅଥଚ ଏଗାର ଦିନର ସବୁ ଅନୁଭବ ଓ ଅନୁଭୂତିକୁ ସାଉଁଟି ପୃଥିବୀର ସର୍ବବୃହତ୍‍ ଗ୍ରୀନରୁମ୍ ନୀରବି ଯାଏ ପୁଣି ଗୋଟିଏ ବର୍ଷର ଅପେକ୍ଷାରେ।

LEAVE A REPLY

Please enter your comment!
Please enter your name here