ଓଡ଼ିଶାଲାଇଭ୍ ବ୍ୟୁରୋ
ନାଟକର ଅନେକ ଖଳ ଚରିତ୍ର ଦର୍ଶକଙ୍କ ହୃଦୟରେ ପାଇଛନ୍ତି ସ୍ବତନ୍ତ୍ର ସ୍ଥାନ। ସେହିପରି ବରଗଡ଼ ଧନୁଯାତ୍ରାରେ ମଥୁରା ନରେଶ କଂସ ମଧ୍ୟ ମହାନାୟକ ପାଳଟି ଯାଆନ୍ତି।
ଭାରତୀୟ ଲୋକନାଟକ ପରମ୍ପରାରେ ପ୍ରାୟତଃ ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ନାଟକ ପରିବେଷଣ କରାଯାଇଥାଏ। ହେଲେ ଏହି ନାଟକଗୁଡ଼ିକରେ ରାବଣ, କଂସ, ମହିଷାସୁରଙ୍କ ପରି ପୁରାଣର ଅନେକ ଖଳ ଚରିତ୍ର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି। ଦର୍ଶକମାନେ ଏହି ଚରିତ୍ରମାନଙ୍କୁ ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଭାବେ ଗ୍ରହଣ କରିନିଅନ୍ତି। ଏମାନେ ନାଟକରେ ଖଳନାୟକ ହୋଇଥିଲେ ବି ଦର୍ଶକଙ୍କ ହୃଦୟରେ ପାଲଟି ଯାଆନ୍ତି ନାୟକ। ସେହିପରି ବରଗଡ଼ ଧନୁଯାତ୍ରାରେ ମଥୁରା ନରେଶ କଂସ ମଧ୍ୟ ମହାନାୟକ ପାଳଟି ଯାଆନ୍ତି।
ନାଟକର ଅନେକ ଖଳ ଚରିତ୍ର ଦର୍ଶକଙ୍କ ହୃଦୟରେ ପାଇଛନ୍ତି ସ୍ବତନ୍ତ୍ର ସ୍ଥାନ। ସେମାନଙ୍କ ମଧ୍ୟରେ ବରଗଡ଼ ଧନୁଯାତ୍ରାର କଂସ ସମସ୍ତଙ୍କଠାରୁ ବହୁତ ଆଗରେ ଅଛନ୍ତି। ମନେହୁଏ କଂସଙ୍କୁ ନେଇ ଯାତ୍ରାର ଆୟୋଜନ। ୧୧ ଦିନବ୍ୟାପୀ ସେ ବରଗଡ଼ରେ ରାଜୁତି କରନ୍ତି। ଏହାକୁ କୁହାଯାଏ ‘କଂସ ରାଜ୍’। ଜଣେ ଅଭିନେତା ହେଲେ ବି ୧୧ ଦିନ ଧରି ତାଙ୍କ ଆଦେଶରେ ବରଗଡ଼ରେ ଚାଲେ ଶାସନ।
ପ୍ରତିଦିନ ଅପରାହ୍ନ ତିନିଟାରେ ରଙ୍ଗମହଲ ଛାଡ଼ି କଂସ ହାତୀପିଠିରେ ବସି ସହର ଭ୍ରମଣ କରିଥାନ୍ତି କଂସ। ଏହି ସମୟରେ ତାଙ୍କ ଆଖିରେ ଯିଏ ଅପରାଧୀ ସାବ୍ୟସ୍ତ ହୁଅନ୍ତି ତାଙ୍କୁ ସେହିଠାରେ ହିଁ କଂସ ମହାରାଜ ଦଣ୍ଡବିଧାନ କରନ୍ତି, ଯାହାକୁ ‘ଜୋରିମାନା’ ବୋଲି କୁହାଯାଇଥାଏ ବରଗଡ଼ ଧନୁଯାତ୍ରାର ସାହିତ୍ୟରେ। ଦଣ୍ଡବିଧାନ ସମୟରେ ତାଙ୍କ ପାଖରେ ନଥାଏ ବାଛବିଚାର। ସବୁଠାରୁ ଆଶ୍ଚର୍ଯ୍ୟ ଲାଗେ ଯେ, ‘କଂସ’ଙ୍କ ‘ଜୋରିମାନା’ ପ୍ରସଙ୍ଗକୁ ସମସ୍ତେ ସହୃଦୟତାର ସହ ଗ୍ରହଣ କରିନେଇଥାନ୍ତି।
ବରଗଡ଼ର କଂସ ପାଲଟି ଯାଆନ୍ତି ସୁଶାସକ
ବରଗଡ଼ ଧନୁଯାତ୍ରାର କଂସ ନିଜକୁ ପ୍ରଜା ବତ୍ସଳ ରାଜା ଭାବେ ପ୍ରମାଣିତ କରିଛନ୍ତି। ପ୍ରଜାଙ୍କ ଅଗଣାରେ ପହଞ୍ଚି ସେମାନଙ୍କ ସୁଖ ଦୁଃଖ ବୁଝନ୍ତି। ସମସ୍ୟା ସମାଧାନ କରନ୍ତି। ରାଜା ଓ ପ୍ରଜାଙ୍କ ଭିତରେ ଥିବା ଦୂରତ୍ୱକୁ କମାଇ ଦେଇଥାନ୍ତି। ପ୍ରଜାଙ୍କୁ ଠିକ୍ ସେବା ଦେବା ପାଇଁ ବିଭିନ୍ନ ସରକାରୀ କର୍ମଚାରୀଙ୍କୁ ତାଗିଦ୍ କରନ୍ତି। ନାଟ୍ୟଧାରାରେ ସେ ହୋଇପାରନ୍ତି ଏକ ଅତ୍ୟାଚାରୀ ରାଜା ହେଲେ ବରଗଡ଼ବାସୀଙ୍କ ପାଇଁ ଜଣେ ସୁଶାସକ।
ସଂସ୍କୃତିପ୍ରିୟ କଂସ
‘ଗୋପ’ ସହିତ ଯୁଦ୍ଧ କରିବା ପାଇଁ ସେ ଡାକନ୍ତି ‘ରଙ୍ଗସଭା’। କୁଟନୀତି କରି ପଡୋଶୀ ରାଜ୍ୟମାନଙ୍କର ସହଯୋଗକୁ ଆପଣେଇ ନିଅନ୍ତି। ଶତ୍ରୁଠାରୁ ନିଜ ରାଜ୍ୟକୁ ରକ୍ଷା କରିବା ପାଇଁ ସେ ସଜାଗ ରଖନ୍ତି ସୈନ୍ୟବାହିନୀଙ୍କୁ। ଦେଶର ସୁରକ୍ଷା ରାଜାର ପ୍ରଥମ କର୍ତ୍ତବ୍ୟ – ଏଇ ବାର୍ତ୍ତା ପ୍ରଦାନ କରନ୍ତି ବରଗଡ଼ର କଂସ। ବରଗଡ଼ର କଂସ ଖୁବ୍ ସଂସ୍କୃତିପ୍ରିୟ। ପ୍ରଜାଙ୍କ ମନୋରଞ୍ଜନ ନିମନ୍ତେ ସେ ପ୍ରତି ସନ୍ଧ୍ୟାରେ ଆୟୋଜନ କରାନ୍ତି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ। କଳାକାରଙ୍କୁ ପୁରସ୍କାର ଦେବାକୁ ଭୁଲନ୍ତି ନାହିଁ ମହାରାଜ କଂସ।
ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ଦିଆଯାଏ ସମ୍ବର୍ଦ୍ଧନା
କେବଳ କଳାକାର ନୁହନ୍ତି, କବି, ସାହିତ୍ୟିକ, ଗବେଷକ ଏପରି ଅନେକ ଯୋଗ୍ୟ ବ୍ୟକ୍ତିଙ୍କୁ ରାଜଦରବାରରେ ସମ୍ବର୍ଦ୍ଧିତ କରନ୍ତି ବରଗଡ଼ର କଂସ। ଏଥିସହିତ ରାଜଅତିଥିମାନଙ୍କୁ ରାଜକୀୟ ଆତିଥ୍ୟରେ ଆପ୍ୟାୟିତ କରି କଂସ ‘ଅତିଥି ଦେବୋଭବଃ’ ବାର୍ତ୍ତା ପ୍ରଦାନ କରିଥାଆନ୍ତି। ତା’ ସହିତ ପ୍ରଶାସକମାନଙ୍କୁ ରାଜଦରବାରକୁ ଡକାଇ ପ୍ରଶାସନିକ ବ୍ୟବସ୍ଥାର ସମୀକ୍ଷା କରିଥାନ୍ତି ବରଗଡ଼ର କଂସ। ସଚ୍ଚୋଟ ପ୍ରଶାସକଙ୍କୁ ପ୍ରଶଂସା ଓ ଦୁର୍ନୀତିଗସ୍ତଙ୍କୁ ତିରସ୍କାର କରିଥାନ୍ତି କଂସ।
ବରଗଡ଼ର କଂସ ଅପ୍ରତିଦ୍ୱନ୍ଦ୍ୱୀ
ବରଗଡ଼ ଧନୁଯାତ୍ରାର କଂସ ଏକାଧାରରେ ଜଣେ ସଂସ୍କାରକ, କୂଟନୀତିଜ୍ଞ, ସୁଶାସକ, ପ୍ରଜାବତ୍ସଳ ଏବଂ ସର୍ବୋପରି ଅପ୍ରତିଦ୍ୱନ୍ଦ୍ୱୀ। ଏଥିପାଇଁ ବୋଧହୁଏ ଅତି ନିଜର ହୋଇଯାଇଥାନ୍ତି, ଏଗାର ଦିନ ପାଇଁ ‘କଂସ ରାଜ୍’କୁ ମାନି ନେଉଥିବା ବରଗଡ଼ବାସୀଙ୍କ ପାଇଁ।
ଏକ ଗଣତାନ୍ତିକ ରାଷ୍ଟ୍ରରେ ରାଜତନ୍ତ୍ରକୁ ଗ୍ରହଣ କରିନେବା ପ୍ରସଙ୍ଗ ଅମୂଳକ ମନେ ହେଉଥାଏ। ଅଥଚ ଅପରପକ୍ଷରେ ରାଜତନ୍ତ୍ର ପ୍ରତି ଏଯାଏ ବି ଲୋକଙ୍କର ସମ୍ମାନ ରହିଛି, ତାହା ବରଗଡ଼ ଧନୁଯାତ୍ରାର ନାଟ୍ୟଧାରା ଆଭାସ ଦେଇଥାଏ।
ପ୍ରକୃତରେ ଜଣେ ପୌରାଣିକ ଖଳନାୟକକୁ ଏକବିଂଶ ଶତାବ୍ଦୀରେ ନାୟକ ଭାବେ ଗ୍ରହଣ କରିବାର ଉଦାହରଣ କେଉଁଠି ମିଳେ ନାହିଁ। ସେଥିପାଇଁ ବରଗଡ଼ର ଧନୁଯାତ୍ରାର କଂସ ସବୁକିଛି ନିର୍ବିଶେଷରେ ନାୟକ ଅଟନ୍ତି।