ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚକ୍‌ଖଡ଼ିରେ ଖୋଦେଇ କରି ଫକୀରମୋହନଙ୍କ ପ୍ରତିମୂର୍ତ୍ତି ତିଆରି କଲେ ବାଲେଶ୍ୱରର ଶିଳ୍ପୀ ସଞ୍ଜୟ ରାଉଳ।

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଆଉ ମାତ୍ର ଦୁଇଦିନ ବାକି ଥିବା ବେଳେ ଆଜି ବାଲେଶ୍ଵରର ଚିତ୍ରଶିଳ୍ପୀ ସଞ୍ଜୟ ରାଉଳ ଚକ୍ ଖଡ଼ିରେ ଖୋଦେଇ କରି ଫକୀର ମୋହନଙ୍କ ପ୍ରତିମୂର୍ତ୍ତି ଗଢ଼ି ଇତିହାସ ରଚିଛନ୍ତି। ଶ୍ରୀ ରାଉଳ ଗୋଟିଏ ଚକ୍ ଖଡ଼ି ଦେହରେ ଖୋଦେଇ କରି କଥାସମ୍ରାଟ ଫକୀରମୋହନଙ୍କୁ ଅବିକଳ ଆଙ୍କିପାରିଛନ୍ତି। କୁହାଯାଉଛି ଏହା ବିଶ୍ଵର ସବୁଠୁ କ୍ଷୁଦ୍ରତମ ଫକୀରମୋହନ।

ସଞ୍ଜୟ ରାଉଳ ଫକୀରମୋହନଙ୍କ ଆତ୍ମଜୀବନୀ ପଢ଼ିବା ପରେ ଏପରି ଏକ ଖିଆଲ ମନକୁ ଆଣିଥିଲେ। କାଠ, ପଥର, ମାଟି, ଫାଇବର୍ ଇତ୍ୟାଦିରେ କାର୍ଭିଂ କରି ବିଭିନ୍ନ ପ୍ରତିକୃତି କରାଯାଉଥିବା ବେଳେ ଗୋଟିଏ ଆଙ୍ଗୁଠି ପରିମାପର ଚକ୍ ଖଡ଼ିକୁ ଖୋଦେଇ କରି ଅବିକଳ ଫକୀରମୋହନଙ୍କ ପ୍ରତିମୂର୍ତ୍ତି ଗଢ଼ିବାରେ ସଫଳ ହୋଇଛନ୍ତି ସେ।

୧୫ ତାରିଖ ମକର ସଂକ୍ରାନ୍ତି ଦିନ ବାଲେଶ୍ଵର କବିତୀର୍ଥ ଶାନ୍ତିକାନନଠାରେ ୧୭୮ତମ ଜୟନ୍ତୀ ପାଳନ ଅବସରରେ ଅତିଥିଙ୍କୁ ଫକୀରମୋହନଙ୍କ ଏହି କ୍ଷୁଦ୍ରତମ ଆବକ୍ଷ ଚକ୍ ଖଡ଼ି ପ୍ରତିଛବିକୁ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇବେ ବୋଲି ସଞ୍ଜୟ କହିଛନ୍ତି।

“ଉଡ଼ିଆ ଏକଟା ଭାଷା ନୟ ବୋଲି କହିଥିବା କାନ୍ତିଲାଲଙ୍କ ଚକ୍ରାନ୍ତକୁ ପଣ୍ଡ କରି ଫକୀରମୋହନ ସେନାପତି ଓଡ଼ିଆ ଭାଷାକୁ ବଞ୍ଚାଇଥିଲେ। ସେହି ଭାଷାର ତ୍ରାଣକର୍ତ୍ତାଙ୍କୁ କିପରି ଶ୍ରଦ୍ଧା ନିବେଦନ କରିବି ଭାବୁଥିବା ବେଳେ ଚକ୍ ଖଡି ବିଚାର ମୋ ମୁଣ୍ଡକୁ ଆସିଥିଲା। ଶିକ୍ଷା ପ୍ରାରମ୍ଭର ପ୍ରଥମ ପାହାଚରେ ଆମେ ଚକ୍ ଖଡ଼ି ମାଧ୍ୟମରେ ଯାହାକିଛି ଶିଖୁ। ସୁତରାଂ ସମସ୍ତ ଶିକ୍ଷାର ଆଦ୍ୟ ଆବଶ୍ୟକତା ହେଲା ଏଇ ଚକ୍ ଖଡ଼ି। ତେଣୁ ମୋ ଭାଷାର ଶିଖର ପୁରୁଷଙ୍କୁ ଏହି ଚକ୍ ଖଡ଼ି ଦେହରେ ଫୁଟେଇବି ବୋଲି ଭାବିଲି ଓ କଲି”, କହନ୍ତି ଶିଳ୍ପୀ ସଞ୍ଜୟ ରାଉଳ।

ପୂର୍ବରୁ କେହି ବି ଫକୀରମୋହନଙ୍କର ଏପରି ଏକ ଛବି ଚକ୍ ଖଡ଼ିରେ କରିନଥିବା ବେଳେ ସଞ୍ଜୟଙ୍କର ଏପରି ଏକ ପ୍ରୟାସ ବାଲେଶ୍ଵରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସୂଚନା ଅନୁସାରେ, ଏ ପ୍ରକାର କାର୍ଯ୍ୟ ପାଇଁ କେବଳ ଗୋଟିଏ ଚକ୍ ଖଡ଼ି ଓ ଗୋଟିଏ ଛୁଞ୍ଚି ଦରକାର ହୋଇଥିଲା। ଏହି ପ୍ରତିମୂର୍ତ୍ତି କରିବାକୁ ଦୁଇରୁ ତିନି ଘଣ୍ଟା ସମୟ ଲାଗିଥିଲା।

Comment