ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଂକ୍ରାନ୍ତି ତିଥିରେ ଜନ୍ମ ଓ ସଂକ୍ରାନ୍ତିରେ ତିଥିରେ ମୃତ୍ୟୁ ହୋଇଥିବାରୁ ଫକିରମୋହନ ସେନାପତିଙ୍କୁ ସଂକ୍ରାନ୍ତି ପୁରୁଷ ବୋଲି କୁହାଯାଇଥାଏ। ଆଜି ତାଙ୍କର ଜନ୍ମଦିନ ଅବସରରେ ଆସନ୍ତୁ ଏହି ମହାନ ଓଡ଼ିଆଙ୍କୁ ଜଣାଇବା ଶ୍ରଦ୍ଧାଞ୍ଜଳି।

ଓଡ଼ିଆ ଗଳ୍ପ ସାହିତ୍ୟର ଜନକ ତଥା କଥାସମ୍ରାଟ ଭାବେ ପରିଚିତ ବ୍ୟାସକବି ଫକିର ମୋହନ ସେନାପତିଙ୍କ ଆଜି ଜନ୍ମଜୟନ୍ତୀ। ୧୮୪୩ ମସିହା ମକର ସଂକ୍ରାନ୍ତି ଦିନ ସେ ବାଲେଶ୍ୱର ଜିଲ୍ଲା ମଲିକାଶପୁରଠାରେ ଜନ୍ମଗ୍ରହଣ କରିଥିଲେ।

ଫକିରମୋହନଙ୍କ ଉପରେ ଜନ୍ମ ହୋଇଥିବା ଭାଇ ଭଉଣୀ ମରିଯାଉଥିବାରୁ ପରିବାର ତାଙ୍କ ନାଁ ଦେଇଥିଲେ ଫକିର। ସେହି ଫକିର ହେଲେ ଓଡ଼ିଆ ଭାଷା ଓ ସାହିତ୍ୟର ମୁକୁଟ ବିହୀନ ସମ୍ରାଟ ଫକିରମୋହନ ସେନାପତି।

‘‘ଆଧୁନିକ ଓଡ଼ିଆ ଭାଷା ଜଗତର ଶ୍ରେଷ୍ଠ ରୂପକାର, ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକିର ମୋହନ ସେନାପତିଙ୍କ ପୂଣ୍ୟ ତିଥି ଉପଲକ୍ଷେ ମୁଁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ଅମର କୃତୀ ଛ ମାଣ ଆଠଗୁଣ୍ଠ, ମାମୁ, ଲଛମା, ପ୍ରାୟଶ୍ଚିତ, ରେବତୀ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ’’, ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।

ଫକିରମୋହନ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ‘ରେବତୀ’ର ଲେଖକ। ନାରୀ ଶିକ୍ଷା ଓ ନାରୀ ସ୍ୱାଧୀନତାର ପ୍ରଥମ ଉଚ୍ଚାରଣ ଥିଲା ଫକିରମୋହନଙ୍କ ‘ରେବତୀ’। ଏବେ ବି ତାଙ୍କ ସାହିତ୍ୟକୁ ପଢ଼ିଥିବା ଲୋକଙ୍କ କାନରେ ଶୁଭିଯାଏ: ‘ଲୋ ରେବତୀ… ଲୋ ରେବୀ… ଲୋ ନିଆଁ… ଲୋ ଚୁଲି’। ଏବେବି ଜଣେ ପାଠକ ଭାବି ପାରିବ ନାହିଁ ଯେ, ରେବତୀ ଥିଲା ଏକ ଗଳ୍ପ ନା ଏକ ସତ କାହାଣୀ।

‘‘ଓଡ଼ିଆ ଭାଷା, ସାହିତ୍ୟର ସେନାପତି ଥିଲେ ଫକିର ମୋହନ। ସେ ତାଙ୍କ ଲେଖନୀ ମାଧ୍ୟମରେ ସମାଜରୁ କୁ ସଂସ୍କାର ଦୂର କରିବା ପାଇଁ ଚେଷ୍ଟା କରିଥିଲେ। ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ଭାବେ ସେ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି। ସବୁବେଳେ ସେ ଦେଶ ଏବଂ ଜାତିର ଉନ୍ନତି କଥା ଚିନ୍ତା କରୁଥିଲେ। ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ସାଜିଥିଲେ ଫକିର ମୋହନ। ଏହି ମହାନ ପୁରୁଷଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ଲାଗି ସେ ଲଢ଼ିଥିଲେ। ବାଲେଶ୍ୱରର ତତ୍କାଳୀନ ଜିଲ୍ଲାପାଳ ଜନ୍‌ ବିମସ୍‌ ସାହେବ ଫକିରମୋହନଙ୍କ ପାଣ୍ଡିତ୍ୟରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କଠାରୁ ଓଡ଼ିଆ ଭାଷା ଶିକ୍ଷା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ଫକିର ମୋହନ ସେନାପତି ନୀଳଗିରି, ଡମପଡ଼ା, ଢେଙ୍କାନାଳ, ଦଶପଲ୍ଲା ଭଳି ବିଭିନ୍ନ ସ୍ଥାନରେ ଦେୱାନ ଭାବେ କାମ କରିଥିଲେ। ଶେଷ ଜୀବନ ବାଲେଶ୍ୱରରେ ବିତାଇଥିଲେ ଫକିରମୋହନ।

ବାଲେଶ୍ୱରରେ ୧୯୧୮ ଜୁନ୍‌ ୧୪ତାରିଖ ରଜ ସଂକ୍ରାନ୍ତିରେ ତାଙ୍କର ଦେହାନ୍ତ ହୋଇଥିଲା।

Comment