ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି

ଓଡ଼ିଆ ଭାଷା ସାହିତ୍ୟର ବ୍ୟାସ କବି ତଥା ଭାଷା ସୁରକ୍ଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଫକିର ମୋହନ ସେନାପତିଙ୍କ ସାଧନା ସ୍ଥଳ ଶାନ୍ତିକାନନ ପାଲଟିଛି ଏକ ତୀର୍ଥ।

ବାଲେଶ୍ଵର ପୌରାଞ୍ଚଳ ଅନ୍ତର୍ଗତ ମଲ୍ଲିକାଶପୁର ଗ୍ରାମରେ ରହିଛି ‘ଶାନ୍ତିକାନନ’। ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ଫକିରମୋହନଙ୍କ ଜୀବନରେ ‘ଶାନ୍ତିକାନନ’ ସ୍ଥାନଟିର ବେଶ୍ ମହତ୍ତ୍ଵ ରହିଛି। ସାହିତ୍ୟର ଅମୂଲ୍ୟ ଲେଖାସବୁ ଏଇ ‘ଶାନ୍ତିକାନନ’ରେ ବସି ସେ ରଚନା କରୁଥିଲେ। କିନ୍ତୁ ବ୍ୟାସକବିଙ୍କ ଏହି ସ୍ମୃତିଭରା ସ୍ଥାନ ଆଜି ଅବହେଳିତ ଅବସ୍ଥାରେ ପଡ଼ିରହିଛି।

୧୯୪୮ମସିହା ଫେବୃଆରୀ ୨୯ ତାରିଖରେ ଫକିରମୋହନ ସାହିତ୍ୟ ପରିଷଦକୁ ରାଧାମୋହନ ଗଡ଼ନାୟକ ଉଦଘାଟନ କରିଥିଲେ। ଫକିରମୋହନ ସାହିତ୍ୟର ପ୍ରସାରପ୍ରଚାର କରିବା ସହ ‘ଶାନ୍ତିକାନନ’ର ଉନ୍ନତି କରିବା ଥିଲା ପରିଷଦର ମୁଖ୍ୟ ଉଦ୍ଦେଶ୍ୟ। କିନ୍ତୁ ତାହା ଏଯାବତ୍ ସଫଳ ହୋଇପାରି ନାହିଁ।

‘ରେବତୀ’ ଗଳ୍ପର କାଳଜୟୀ ସ୍ରଷ୍ଟା ଫକିର ମୋହନ ସେନାପତିଙ୍କ ସାଧନା ପୀଠ ଭାବେ ଖ୍ୟାତ ‘ଶାନ୍ତିକାନନ’ର ବ୍ୟାପକ ପରିବର୍ତ୍ତନ ଓ ବିକାଶ ନିମନ୍ତେ ରାଜ୍ୟ ସରକାର ଚିନ୍ତା କରିବାର ସମୟ ଆସିଯାଇଛି। ସରକାର ଚଳିତବର୍ଷଠାରୁ ଫକିର ମୋହନ ସେନାପତିଙ୍କ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ନିଷ୍ପତ୍ତି ନେବା ଏକ ଶୁଭସୂଚନା। କିନ୍ତୁ ଫକିରମୋହନଙ୍କ ସାହିତ୍ୟ ଓ ସାଧନା ପୀଠର ବିକାଶ ନିମନ୍ତେ ଯୋଜନା ପ୍ରସ୍ତୁତ କରି ଶାନ୍ତିକାନନକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଅନ୍ତୁ ବୋଲି ବହୁ ସାହିତ୍ୟିକ ମତପୋଷଣ କରିଛନ୍ତି।

ପ୍ରତିବର୍ଷ ମକର ସଂକ୍ରାନ୍ତିରେ ମଲ୍ଲିକାଶପୁର ଗ୍ରାମ ଶାନ୍ତିକାନନ ହୋଇ ଉଠେ ଚଳଚଞ୍ଚଳ। ସାହିତ୍ୟ ଓ ସଂସ୍କୃତି ପ୍ରେମୀଙ୍କ ସମାଗମରେ ସ୍ଥାନଟି ପୁରି ଉଠେ। ଫକିରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଏଠାରେ ସାହିତ୍ୟ ଆଲୋଚନା, କବିତା ପାଠୋତ୍ସବ, ନାଟକ ପରିବେଷଣ, ଚିତ୍ରକଳା ପ୍ରଦର୍ଶନୀ, ପୁସ୍ତକମେଳା, ପୁରସ୍କାର ପ୍ରଦାନ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଓଡ଼ିଶାର ଏକ ସର୍ବପୁରାତନ ସାହିତ୍ୟାନୁଷ୍ଠାନର ମାନ୍ୟତା ପାଇଥିବା ଫକିରମୋହନ ସାହିତ୍ୟ ପରିଷଦ କଥାସମ୍ରାଟ ଫକିର ମୋହନଙ୍କ ଜନ୍ମଦିନକୁ ବାର୍ଷିକ ଉସବ ଭାବେ ପାଳନ କରିଥାଏ।

ବିଭିନ୍ନ ପ୍ରକାରର ଗଛ, ବାରମାସୀ ଫୁଲ ଓ ଫଳ, ପକ୍ଷୀଙ୍କ କିଚିରିମିଚିର ଶବ୍ଦରେ ପୁରି ଉଠୁଥିବା ଶାନ୍ତିକାନନର ପୂର୍ବ ସ୍ଥିତି ଆଉ ନାହିଁ । ପକ୍କା ଚୌବଚା ଭିତରେ କବି ବଡ଼ ସରାଗରେ ନାଲି ନେଳି ମାଛ ଛାଡ଼ିଥିଲେ। ଚାରିପଟେ ବୁଲିବା ପାଇଁ ଇଟା ଖଞ୍ଜି ରାସ୍ତା ନିର୍ମାଣ କରିବା ସହ ରାସ୍ତା କଡ଼ରେ ସୁନ୍ଦର ସୁନ୍ଦର ଗଛ ଲଗାଇଥିଲେ। ବସିବା ପାଇଁ ଅଗଣାରେ ବେଞ୍ଚ୍ ତା’ସାଙ୍ଗକୁ ନିଜର ଏକ ମୂର୍ତ୍ତି ମଧ୍ୟ ତିଆରି କରିଥିଲେ। ସର୍ବଧର୍ମ ସମନ୍ୱୟରେ ଦେଉଳାକୃତିର ଗୋଟିଏ ସୁନ୍ଦର ପୀଠ, ଫାଟକ ପାଖରେ ଦରୱାନ ମୂର୍ତ୍ତି। ନିଃସଙ୍ଗ କାଳରେ ଏଗୁଡ଼ିକ ଥିଲା ତାଙ୍କ ସହଚର। ଏମାନଙ୍କ ମେଳରେ ସେ ରାତିରାତି ବସି କବିତା ଲେଖୁଥିଲେ। ଏହି ସାଧନା ସ୍ଥଳରେ କଟିଛି ଫକିର ମୋହନଙ୍କ ପରିଣତ ବୟସ।

ଆଜିର ଶାନ୍ତିକାନନ ଭିତରେ ଘେରାଏ ବୁଲି ଆସିଲେ ଅନେକ କିଛି ନିଶ୍ଚିହ୍ନ ହୋଇଯାଇଥିବାର ଦେଖିବାକୁ ମିଳିବ। କିନ୍ତୁ ଖୁସିର ବିଷୟ ହେଉଛି ଫକିରମୋହନ ନିଜେ ଯେଉଁ ପ୍ରତିମୂର୍ତ୍ତିଟି ନିର୍ମାଣ କରିଥିଲେ ତାହା ସୁରକ୍ଷିତ ଅଛି। ଏହି ସାଧନାସ୍ଥଳରେ ଦେଉଳ, ପୋଖରୀ, କିଛି ନଡ଼ିଆ ଗଛ ମଧ୍ୟ ରହିଛି। କିନ୍ତୁ ପକ୍ଷୀଙ୍କ କଳରବ ନାହିଁ କି କବିଙ୍କୁ ପ୍ରେରିତ କରିବା ଭଳି ପରିବେଶ ନାହିଁ।

ତେବେ ବାଲେଶ୍ଵର ପୌର ପରିଷଦ ଅଧୀନରେ ଥିବା କବିଙ୍କର ଏହି ସ୍ମୃତି ପୀଠଟି ବର୍ଷତମାମ୍ ଖାଁ ଖାଁ ପଡ଼ିଥାଏ। ‘ଶାନ୍ତିକାନନ’ରେ ଏକ ପାର୍କ ନିର୍ମାଣ କରିବା ପାଇଁ ସରକାରଙ୍କ ଅମୃତ ଯୋଜନାରେ ୩୫ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ବାଲେଶ୍ଵର ପୌର ପରିଷଦର ଆନ୍ତରିକତା ଅଭାବରୁ ଅଧପନ୍ତରିଆ ଭାବେ ପଡ଼ିରହିଛି। ୦.୩୦ ଏକର ପରିମିତ ଶାନ୍ତିକାନନ ଭିତରେ ପାର୍କ ନିର୍ମାଣ କାର୍ଯ୍ୟ ୨୦୧୬-୧୭ ରେ ସରିବା କଥା। କିନ୍ତୁ ଏଯାବତ୍ ମାତ୍ର ସରୁ ରାସ୍ତା, କିଛି ଡଷ୍ଟବିନ୍, କେତୋଟି ସିମେଣ୍ଟ୍ ବେଞ୍ଚ୍ ନିର୍ମାଣ ହୋଇ ପଡ଼ିରହିଛି।

ଫକିରମୋହନ ସାହିତ୍ୟ ପରିଷଦର ସମ୍ପାଦକ ନିବାରଣ ଜେନା କୁହନ୍ତି, “ଶାନ୍ତିକାନନ ଭିତରେ ଶୌଚାଳୟଟିଏ ନାହିଁ। ଘାସର ଲନ୍ ତିଆରି ହେବା ସହ ବିଭିନ୍ନ ଫୁଲଗଛ ଲଗାଇବାର ଆବଶ୍ୟକତା ରହିଛି। ସେହିପରି ପୋଖରୀଟିକୁ ସଫା କରି ବୋଟିଂ ବ୍ୟବସ୍ଥା କରାଯାଇପାରନ୍ତା। ମାତ୍ର ପୋଖରୀଟିକୁ ଲିଜ୍ ଦିଆଯାଇ ମାଛ ଚାଷ ହେଉଛି। ପୌର ପରିଷଦ ଏହାର ଖଜଣା ଦେଉଥିବାରୁ ଏହା ପୌର ପରିଷଦର ସମ୍ପତ୍ତି ବୋଲି ବିବେଚିତ ହେଉଛି।

ଅବହେଳିତ ପର୍ଯ୍ୟଟନସ୍ଥଳୀର ଉନ୍ନତି ସହ ‘ଶାନ୍ତିକାନନ’ର ନୂଆ ଚେହେରା ସରକାର ଯଦି ଦେଖାନ୍ତେ, ତେବେ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ସରକାରଙ୍କ ଆନ୍ତରିକତା ରହିଛି ବୋଲି ପ୍ରମାଣିତ ହୋଇପାରିବ।“
ସାହିତ୍ୟିକ ବାତାବରଣ ଭିତରେ ପ୍ରଶାସନର ଏଭଳି ଛକାପଞ୍ଝା ଖେଳ ଭିତରେ ବଳିପଡ଼ୁଛି ‘ଶାନ୍ତିକାନନ’। ଏଣୁ ଶାନ୍ତିକାନନକୁ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ଦାବି ହେଉଛି।

1 COMMENT

  1. Nicely depicted the true condition of Shantikanan.See Shantiniketan and Shantikanan.
    Indeed it’s high time for Govt to think about .Thank you Mr.Krushna Kumar Mohanty.

Comment