ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୁକ୍ତ ଦୁଇ ପିଲାଙ୍କ ପାଇଁ କଡ଼ାକଡ଼ି ହେଲା ପରୀକ୍ଷା ନିୟମ। ଏଣିକି ପ୍ରଥମବର୍ଷ ପରୀକ୍ଷାରେ ପାସ୍‌ ନକଲେ ଯାଇପାରିବେନି ଦ୍ଵିତୀୟ ବର୍ଷ। ଦ୍ଵିତୀୟ ବର୍ଷକୁ ଯିବା ପାଇଁ ଛାତ୍ରଛାତ୍ରୀଙ୍କୁ ୩୩ ପ୍ରତିଶତ ମାର୍କ ରଖିବା ଜରୁରୀ। ପରୀକ୍ଷାରେ ପାସ୍‌ ହେବାକୁ ପ୍ରଥମ ବର୍ଷ ପିଲାଙ୍କୁ ଦୁଇଟି ସୁଯୋଗ ଦିଆଯିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଫେବ୍ରୁଆରି ୧୫ରୁ ୨୯ ତାରିଖ ମଧ୍ୟରେ ପ୍ରଥମ ପରୀକ୍ଷା କରାଯିବ। ଏଥିରେ ୩୩ ପ୍ରତିଶତରୁ କମ୍‌ ମାର୍କ ରଖିଥିବା ପିଲାଙ୍କ ପାଇଁ ରିମେଡିଆଲ କ୍ଲାସ କରାଯିବ। ଦ୍ଵିତୀୟ ସୁଯୋଗ ଭାବେ ମେ’ ମାସ ଶେଷ ସପ୍ତାହରେ ପୁଣି ପରୀକ୍ଷା କରାଯିବ।

ଯୁକ୍ତ ଦୁଇରେ ଭଲ ରେଜଲ୍ଟ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ଫେଲ୍‌ ହେଲେ ମଧ୍ୟ ପିଲାଙ୍କୁ ଦ୍ଵିତୀୟ ବର୍ଷକୁ ଉତ୍ତୀର୍ଣ୍ଣ କରାଯାଉଥିଲା। ଫଳରେ ଦ୍ଵିତୀୟ ବର୍ଷ ପାସ୍‌ ହାର କମିଯାଉଥିଲା। ସେଥିପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Comment