ଓଡ଼ିଶାଲାଇଭ୍ ବ୍ୟୁରୋ

ସୁଦାମ ମାର୍ଣ୍ଡିଙ୍କ ହାତରେ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସୋମବାର ଦିନ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହୋଇ ସୁଦାମ ମାର୍ଣ୍ଡିଙ୍କୁ ମିଳିଛି ଏହି ଦାୟିତ୍ଵ। ପୂର୍ବରୁ ଏହି ବିଭାଗ ମନ୍ତ୍ରୀ ଥିଲେ ସମୀର ରଞ୍ଜନ ଦାଶ।

ଗତ ମେ’ ୧୨ ତାରିଖରେ ସମୀର ରଞ୍ଜନ ଦାଶ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ। ଏହା ପରେ ମେ’ ୧୩ ତାରିଖରେ ପ୍ରମିଳା ମଲ୍ଲିକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ଵ ଦିଆଯାଇଥିଲା। ଆଜି ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ ପରେ ପୂର୍ବତନ ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡିଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ବଣ୍ଟନ କରାଯାଇଛି।

୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ସୁଦାମ ମାର୍ଣ୍ଡି ନବୀନଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ରହିଥିଲେ। ୨୦୧୯ ମସିହାରେ କ୍ୟାବିନେଟ ମନ୍ତ୍ରୀ ଭାବେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଥିଲେ। ଗତ ବର୍ଷ ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ବାଦ ପଡ଼ିଥିଲେ ସୁଦାମ ମାର୍ଣ୍ଡି। ଆଜି ପୁଣି ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି।

ଆଗାମୀ ୨୦୨୪ ନିର୍ବାଚନକୁ ଲକ୍ଷ୍ୟରେ ରଖି ବିଜେଡି ନିଜର ରଣନୀତି ପ୍ରସ୍ତୁତ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ମୟୂରଭଞ୍ଜ ଜିଲ୍ଲାରେ ସୁଦାମ ମାର୍ଣ୍ଡିଙ୍କ ଦବଦବା ରହିଛି। ମୟୂରଭଞ୍ଜରେ ଦୁର୍ବଳ ହୋଇପଡ଼ିଥିବା ବିଜେଡି ସଂଗଠନକୁ ମୂଳରୁ ମଜଭୁତ କରିବାକୁ ଲାଗି ସୁଦାମ ମାର୍ଣ୍ଡିଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ। ତେଣୁ ତାଙ୍କୁ ପୁନର୍ବାର ମନ୍ତ୍ରୀମଣ୍ଡରେ ସାମିଲ କରାଯାଇଥିବା କୁହାଯାଉଛି।

Tags: #Politics #OdishaPolitics #SudamMarndi #SchoolAndMassEducationDepartment #Odisha

Comment