ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଉପସଭାପତିରୁ ସଭାପତି ହେଲେ ସମୀର ମହାନ୍ତି।

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବିଜେପି ଉପସଭାପତି ଥିବା ସମୀର ମହାନ୍ତି ରାଜ୍ୟ ବିଜେପିର ମଙ୍ଗ ଧରିଛନ୍ତି। ସମୀର ହେଉଛନ୍ତି ଦ୍ୱିତୀୟ ଉପକୂଳିଆ ନେତା ଯିଏ ୨୦ ବର୍ଷ ଭିତରେ ମନମୋହନ ସାମଲଙ୍କ ପରେ ସଭାପତି ହୋଇଛନ୍ତି।

ସମୀରଙ୍କ ହାତରେ ବିଜେପିର ମଙ୍ଗ ରହିଥିବାରୁ ଉପକୂଳ ଓଡ଼ିଶାରେ ସଙ୍ଗଠନ ସୁଦୃଢ଼ ହେବ ବୋଲି ନେତାମାନେ ଆଶା ରଖିଛନ୍ତି। ତେବେ ସମୀର ବିଜେପି ଡଙ୍ଗାକୁ କେମିତି ଚଲାଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ପଶ୍ଚିମ ଓଡ଼ିଶା କବଳରୁ ମୁକୁଳିଲା ରାଜ୍ୟ ବିଜେପି ସଭାପତି ଚୌକି। ଦୀର୍ଘ ବର୍ଷ ଧରି ଏହି ଚୌକି ପଶ୍ଚିମ ଓଡ଼ିଶା ନେତାଙ୍କ କବଳରେ ରହିଥିଲା। ପଶ୍ଚିମ ଓଡ଼ିଶାରେ ବିଜେପି ସଙ୍ଗଠନ ସୁଦୃଢ଼ ରହିଥିବାରୁ କେନ୍ଦ୍ର ନେତୃବୃନ୍ଦ ସବୁବେଳେ ଏଠାକାର ନେତାଙ୍କ ଉପରେ ଫୋକସ୍‌ ଦେଇ ଆସୁଥିଲେ।

ପଶ୍ଚିମ ଓଡ଼ିଶାରେ ଥିବା ପାଞ୍ଚଟି ଲୋକସଭା ଆସନ – ବରଗଡ଼, ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡିରେ ଏଥର ବିଜେପି ଖାତାକୁ ଆସିଛି। ହେଲେ ଉପକୂଳ ଓଡ଼ିଶାରେ ବିଜେପି ଫେଲ୍‌ ମାରିଥିଲା।

୨୦୧୯ ନିର୍ବାଚନ ପରେ ବିଜେପିର ଗଣିତ ବଦଳିଥିଲା। ୨୦୧୯ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। ଉପକୂଳ ଓଡ଼ିଶାରେ ଦଳ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇ ନଥିଲା। ଫଳରେ ବିଜେପିର ମିଶନ୍‌-୧୨୦କୁ ବଡ଼ ଝଟ୍‌କା ଲାଗିଥିଲା।

୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର କେନ୍ଦ୍ର ନେତୃବୃନ୍ଦ ଉପକୂଳିଆ ନେତାଙ୍କ ହାତରେ ବିଜେପିର ମଙ୍ଗ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଶେଷରେ ସମୀର ମହାନ୍ତିଙ୍କ ମୁଣ୍ଡରେ ସଭାପତି ପଗଡ଼ି ବନ୍ଧା ଯାଇଛି।

ସବୁଠୁ ବଡ଼ କଥା ହେଉଛି ବିଜେଡିକୁ ଟକ୍କର ଦେବା ପାଇଁ ବିଜେପି ବଳ ଗୋଟାଉଛି। ୨୦୦୯ରୁ ମେଣ୍ଟ ଭାଙ୍ଗିବା ଦିନରୁ ବିଜେଡିକୁ ଚେକ୍‌ ଦେବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରୁଥିଲେ ମଧ୍ୟ ତାହା ସଫଳ ହୋଇପାରୁନି।

ବିଜେଡିକୁ ଚେକ୍‌ ଦେବାକୁ ହେଲେ ଉପକୂଳ ଓଡ଼ିଶାର ନେତାଙ୍କୁ ସଭାପତି ପଦରେ ବସାଇବା ଦରକାର ବୋଲି ବିଜେପିର ଶୀର୍ଷ ନେତୃବୃନ୍ଦ ଗଣିତ କଷିଥିଲେ। ଏହା ଆଜି ସଫଳ ହୋଇଛି। ବର୍ଷ ବର୍ଷର ପରମ୍ପରା ଭାଙ୍ଗିଛି। ପଶ୍ଚିମ ଓଡ଼ିଶା ନେତାଙ୍କ କବଳରୁ ବିଜେପି ସଭାପତି ଚୌକି ମୁକୁଳିଛି।

କିଏ ଥିଲେ ସଭାପତି?

ଓଡ଼ିଶା ବିଜେପିର ଇତିହାସ ପୃଷ୍ଠାକୁ ଯଦି ଓଲଟାଇବା ତାହାଲେ ଦେଖିବାକୁ ମିଳିବ ଯେ ସଭାପତି ପଦରେ କେବଳ ପଶ୍ଚିମ ଓଡ଼ିଶା ନେତାଙ୍କ ରାଜୁତି ଚାଲିଥିଲା। ପ୍ରତିଷ୍ଠା ବେଳେ ବିଶ୍ୱଭୂଣେ ହରିଚନ୍ଦନ ଏବଂ ମଝିରେ ମନମୋହନ ସାମଲଙ୍କୁ ଛାଡ଼ିଦେଲେ ଆଉ କୌଣସି ଉପକୂଳିଆ ନେତା ସଭାପତି ହୋଇପାରି ନାହାନ୍ତି।

ବିଶ୍ୱଭୂଷଣ ହରିଚନ୍ଦନ (୧୯୮୦-୧୯୮୮)

ଡକ୍ଟର ଦେବେନ୍ଦ୍ର ପ୍ରଧାନ (୧୯୮୯-୯୩)

ବିମ୍ବାଧର କୁଅଁର (୧୯୯୩-୯୫)

ଡକ୍ଟର ଦେବେନ୍ଦ୍ର ପ୍ରଧାନ (୧୯୯୬-୯୭)

ଜୁଏଲ ଓରାମ (୧୯୯୭-୧୯୯୯)

ମନମୋହନ ସାମଲ (୧୯୯୯-୨୦୦୦, ୨୦୦୧-୨୦୦୪)

ଜୁଏଲ ଓରାମ (୨୦୦୪-୨୦୦୬)

ସୁରେଶ ପୂଜାରୀ (୨୦୦୬-୨୦୦୯)

ଜୁଏଲ ଓରାମ (୨୦୦୯-୨୦୧୨)

କନକ ବର୍ଦ୍ଧନ ସିଂହଦେଓ (୨୦୧୨-୨୦୧୬)

ବସନ୍ତ ପଣ୍ଡା (୨୦୧୬-୨୦୨୦)

Comment