ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକମାନ୍ୟ ତିଲିକ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଘଟଣାରେ ୪୦ ଯାତ୍ରୀ ଆହତ ହୋଇଥିଲେ। ଓଡ଼ିଶାଲାଇଭ୍‌କୁ କିଛି ଆହତ ଯାତ୍ରୀ ଦୁର୍ଘଟଣାର ସେହି ଭୟାନକ ମୁହୂର୍ତ୍ତ ସମ୍ପର୍କରେ କହିଥିଲେ।

(କଟକରୁ ଜୟ ମହାନ୍ତି): ‘‘ପରିବାର ସହ ଶିରିଡ଼ି ସାଇଙ୍କ ଦର୍ଶନ କରି ମୁଁ ଟ୍ରେନରେ ଫେରୁଥିଲି। ହଠାତ୍‌ ଜୋରରେ ଏକ ଶବ୍ଦ ଶୁଭିଲା। କେହି କିଛି ବୁଝିବା ପୂର୍ବରୁ ଟ୍ରେନ ଲାଇନଚ୍ୟୁତ ହୋଇଥିଲା। ଆମେ ଛିଟ୍‌କି ହୋଇ ପଡ଼ିଥିଲୁ। ସମସ୍ତେ ଆହତ ହୋଇଥିଲୁ। ସାଇଙ୍କ କୃପାରୁ କିନ୍ତୁ ଆମେ ବଞ୍ଚିଗଲୁ’’, କହିଛନ୍ତି ଲୋକମାନ୍ୟ ତିଲକ ଟ୍ରେନରେ ଆସୁଥିବା ଜଣେ ଯାତ୍ରୀ ଜିତେନ୍ଦ୍ର ସାହୁ।

ଲୋକମାନ୍ୟ ତିଲକ ଏକ୍ସପ୍ରେସ ଗୁରୁବାର କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା। ଏହି ଘଟଣାରେ ଟ୍ରେନରେ ଥିବା ପ୍ରାୟ ୪୦ ଜଣ ଯାତ୍ରୀ ଆହତ ହୋଇଥିଲା ବେଳେ ୫ ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ କଟକ ଏସ୍‌ସିବ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏସ୍‌ସିବି ମେଡିକାଲରେ ଗୁରୁତରଙ୍କ ଅବସ୍ଥା କିପରି ରହିଛି ଓ ସେମାନଙ୍କ ସଂପର୍କୀୟଙ୍କ ପ୍ରତିକ୍ରିୟା ଜାଣିବାକୁ ମେଡିକାଲରେ ପହଞ୍ଚିଥିଲା ଓଡ଼ିଶାଲାଇଭ୍‌ ଟିମ୍‌। ସେଠାରେ ସମସ୍ତଙ୍କ ମୁହଁରୁ ଗୋଟିଏ କଥା ହିଁ ଶୁଣିବାକୁ ମିଳିଥିଲା ବାବା ବଞ୍ଚେଇ ଦେଲେ।

‘‘ ମୁଁ ମୋ ଅଫିସ ଲୋକଙ୍କ ସହ ଶିରିଡ଼ ଦର୍ଶନ କରି ଫେରୁଥିଲି। କଟକ ନିଗୁର୍ଣ୍ଡି ଷ୍ଟେସନରେ ଟ୍ରେନ ଲାଇନଚ୍ୟୁତ ହେଲା। ଯଦି ଦୁର୍ଘଟଣା ଆହୁରି ଜୋରେ ହୋଇଥାନ୍ତା, ଆମ ଜୀବନ ଯାଇଥାନ୍ତା, ହେଲେ ବାବା ଆମକୁ ବଞ୍ଚେଇ ଦେଲେ’’, କହିଛନ୍ତି ଆହତ ଯାତ୍ରୀ ସୁକାନ୍ତ ସାହୁ।

ଏହି ଟ୍ରେନରେ ଯାତ୍ରା କରୁଥିବା ଅଧିକାଂଶ ଯାତ୍ରୀ ଶିରିଡି ସାଇଙ୍କ ଦର୍ଶନ ପାଇଁ ମହାରାଷ୍ଟ୍ର ଯାଇଥିଲେ। ସାଇଭକ୍ତଙ୍କ ଭିଡରେ ଏକ ପ୍ରକାର ଭର୍ତ୍ତି ହୋଇଥିଲା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସ। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନଥିଲେ।

ଗୁରୁବାର ସମୁଦାୟ ୩୦ ଜଣ ଆହତ ଚିକିତ୍ସା ପାଇଁ ଏସସିବି ମେଡିକାଲ କଲେଜର ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି ହୋଇଥିବା ବେଳେ, ଶୁକ୍ରବାର ୧୬ ଜଣ ଘରକୁ ଫେରିଥିବା ସୂଚନା ମିଳିଛି। ଏବେ ୧୪ ଜଣ ଏସସିବିରେ ଚିକିତ୍ସାଧୀନ ଅଛନ୍ତି। ଜଣେ ବ୍ୟକ୍ତିଙ୍କୁ ସର୍ଜରୀ ଆଇ.ସି.ୟୁ ଭିତରେ ରଖାଯାଇଛି।

Comment