ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ଜନ୍ମସ୍ଥାନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତିକୁ ଅଧିକ ଜୀବନ୍ତ କରିବାକୁ ଓଡ଼ିଆ ବଜାରଠାରେ ଇଣ୍ଟର ପ୍ରିଟେସନ୍ ସେଣ୍ଟର ବା ବ୍ୟାଖ୍ୟାନ କେନ୍ଦ୍ର ଯୋଜନା କରାଯାଇଥିଲା। ପର୍ଯ୍ୟଟନ ବିଭାଗ ଯୋଜନାରେ ପ୍ରତିଷ୍ଠା ହୋଇଥିବା ଏହି ସେଣ୍ଟରର କାର୍ଯ୍ୟ ପ୍ରାୟ ଚୂଡ଼ାନ୍ତ ରୂପରେଖ ନେଇସାରିଲାଣି। କିନ୍ତୁ ଏବେ ସୁଦ୍ଧା ଏହାର ଉଦ୍‌ଘାଟନ ହୋଇପାରୁନାହିଁ। ଥରଟିଏ ନୁହେଁ ଦୁଇଥର ସେଣ୍ଟର କାର୍ଯ୍ୟ କରାଯାଇଥିବା ବେଳେ ଏବେ ପୁଣି ଫନି ଦ୍ୱାରା ପ୍ରଭାବିତ ହୋଇଛି। ଫନି ବାତ୍ୟାରେ ସେଣ୍ଟରର ବାଉଣ୍ଡ୍ରି ୱାଲ୍ ଭାଙ୍ଗି ଯାଇଛି। ଫନିକୁ ୬ମାସରୁ ଅଧିକ ସମୟ ବିତିସାରିଥିଲେ ବି ଏ ଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି।

ନେତାଜୀ ସଂଗ୍ରହାଳୟ ସାମ୍ନାରେ ଖାଲି ପଡ଼ିଥିବା ଏକ ଯାଗାରେ ଇଣ୍ଟର ପ୍ରିଟେସନ୍ ସେଣ୍ଟର ପ୍ରତିଷ୍ଠା କରାଯାଇ। ଅଡିଓ ଭିଜୁଆଲ୍ ହଲ୍ ଏହାର ମୁଖ୍ୟ ଆକର୍ଷଣ ରହିଛି। ପ୍ରୋୟ ୫୦ରୁ ଅଧିକ ସିଟ୍ ବ୍ୟବସ୍ଥିତ ଏହି ହଲ୍ ପର୍ଯ୍ୟଟକ ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଥିଲା। କାରଣ ଏଠାରେ ନେତାଜୀ ସୁଭାଷଙ୍କ ଉପରେ ପର୍ଯ୍ୟବେସିତ ଚିତ୍ର ପ୍ରଦର୍ଶୀତ ହେବ। ନେତାଜୀଙ୍କ ବାସଭବନ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ଏହି ଅଡିଓ ଭିଜୁଆଲ୍ ହଲ୍ ନେତାଜୀଙ୍କ ସମ୍ପର୍କୀତ ଅନେକ ପ୍ରସଙ୍ଗ ଓ ଅଜଣାତଥ୍ୟକୁ ଜଣାଇବ। ତା’ଛଡ଼ା ନେତାଜୀଙ୍କ ଉପରେ ଗବେଷଣା କରୁଥିବା ବିଶେଷଜ୍ଞ ଗୋଷ୍ଠୀଙ୍କୁ ମଧ୍ୟ ବେଶ୍ ସହାୟକ ହେବ। ସେମାନେ ନିଜ ଗବେଷଣା ଲୋକଲୋଚନକୁ ଆଣିପାରିବେ।

କିନ୍ତୁ ଏହି ଯୋଜନା ଏବେ ପଡ଼ିରହିଛି। ପ୍ରାୟ ଅଢ଼େଇ କୋଟି ଟଙ୍କାରେ ନିର୍ମିତ ଏହି ସେଣ୍ଟରର ଡିଜାଇନ୍ ସବୁ ନଷ୍ଟ ହେବାକୁ ଲାଗିଲାଣି। ଦୁଇବର୍ଷ ପୂର୍ବରୁ ସେଣ୍ଟର ଉପରେ ରହିଥିବା ଫାଇବର୍ ଆଜବେଷ୍ଟସଗୁଡ଼ିକ ବର୍ଷାତୋଫାନରେ ଭାଙ୍ଗିରୁଜିଯାଇଥିଲା। ଫଳରେ ବର୍ଷା ହୋଇ ଭିତରେ ଥିବା ପ୍ଲାଏବୋର୍ଡ ସିଲିଂଗୁଡ଼ିକ ଖରାପ ହୋଇଯାଇଥିଲା। ଦୀର୍ଘ ଦିନ ଧରି ପଡ଼ି ରହିବା ପରେ ପୁନର୍ବାର ଖର୍ଚ୍ଚ କରାଯାଇ ଏହାର ପୁନରୁଦ୍ଧାର କରାଯାଇଥିଲା। କିନ୍ତୁ ପୁନରୁଦ୍ଧାର ହେବା ପରେ ମଧ୍ୟ ବ୍ୟାଖ୍ୟାନ କେନ୍ଦ୍ର ଖୋଲିବା ନାଁ ଧରୁନି। ତେବେ ଅର୍ଥାଭାବରୁ ବ୍ୟାଖ୍ୟାନ କେନ୍ଦ୍ରର ଛୋଟବଡ କାମ ପଡ଼ିରହିଛି ଏବଂ ଖାସ୍ କରି ସେଥିପାଇଁ ଏହା ଖୋଲାଯାଇପାରୁନାହିଁ ବୋଲି ଜଣାପଡ଼ିଛି।

Comment