ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାଳଚେରଠାରେ ଥିବା କୋଇଲା ବାଷ୍ପୀ କରଣ ୟୁରିଆ ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟ ଜୋର ଧରିଛି। ୨୦୨୩ ସେପ୍ଟେମ୍ବର ମାସରେ ଏହାର ଉତ୍ପାଦନ ଆରମ୍ଭ ହେବ। ଏହି କାରଖାନା ପାଇଁ ବଭିନ୍ନ କାମ ବାବଦକୁ ୮ ହଜାର କୋଟି ଟଙ୍କା ଯୋଗାଡ଼ ହୋଇଛି। କାରଖାନା ଅଞ୍ଚଳ ସମତଳ କରିବା, ପାଣି ଓ ବିଦ୍ୟୁତ ଶକ୍ତି ଯୋଗାଣ ଆଦି କାମ ଇତିମଧ୍ୟରେ ଶେଷ ହେବା ଉପରେ। ଏହି ବିଷୟ ପ୍ରକାଶ କରିଛନ୍ତି କେନ୍ଦ୍ର ସାର ସଚିବ ଛବିଳେନ୍ଦ୍ର ରାଉତ।

ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ମୋଟ ୧୩୨୭୭ ହଜାର କୋଟି ଖର୍ଚ୍ଚ ହେଉଥିବା କଥା ସେ କହିଛନ୍ତି। ଏହି ସାର କାରଖାନା ପାଇଁ ଯେଉଁ କୋଇଲା ଖଣି ରେଖାଙ୍କିତ କରାଯାଇଛି ତାହାର ଉନ୍ନତିକରଣ ମଧ୍ୟ ଆରମ୍ଭ ହୋଇଛି। ଶ୍ରୀ ରାଉତ କହିଛନ୍ତି ଯେ ପରିବେଶକୁ ଆଖିରେ ରଖି ସ୍ଥାନୀୟ ଅଂଚଳରେ ମିଳୁଥିବା କୋଇଲାକୁ ବ୍ୟବହାର କରାଯିବ। ୨୦୧୬ ପ୍ୟାରିସ ଚୁକ୍ତି ଅନୁସାରେ ଏହି କୋଇଲାକୁ ବାଷ୍ପୀକରଣ କରାଯିବ ଯାହା ଫଳରେ କି ବିଦେଶରୁ ଗ୍ୟାସ ଆମଦାନୀ କରିବାକୁ ପଡ଼ିବ ନାହିଁ।

ଉଲ୍ଲେଖଯୋଗ୍ୟ ଯେ, କୋଲ ଇଣ୍ଡିଆ, ରାଷ୍ଟ୍ରୀୟ କେମିକାଲସ୍ ଓ ଫାର୍ଟିଲାଇଜରସ୍ ତଥା ଗ୍ୟାସ ଅଥରିଟିର ମିଳିତ ଉଦ୍ୟମରେ ଦେଶର ୫ଟି ବନ୍ଦ ହୋଇଯାଇଥିବା କାରଖାନାର ପୁନରୁଦ୍ଧାର କରାଯାଉଛି। ତାଳଚେର କାରଖାନା କାର୍ଯ୍ୟକ୍ଷମ ହେବା ପରେ ଏଠାରୁ ଦୈନିକ ୨୨୦୦ ହଜାର ଟନ ଆମୋନିଆ ଏବଂ ୩୮୫୦ ହଜାର ଟନ ୟୁରିଆ ଉତ୍ପାଦିତ ହେବ।

ସବୁଠାରୁ ବଡ଼ କଥା, ତାଳଚେର ସାର କାରଖାନା ଚାଲିଲେ ସ୍ଥାନୀୟ ଲୋକଙ୍କ ଜୀବନ ଧାରଣ ପଦ୍ଧତିରେ ବିଶେଷ ଉନ୍ନତି ହେବ।କାରଖାନା ନିର୍ମାଣ ବେଳେ ୧୦ ହଜାର ଲୋକ ଓ ନିର୍ମାଣ ଶେଷ ହେବା ପରେ ୪ ହଜାର ଲୋକ ସିଧାସଳଖ ନିଯୁକ୍ତି ପାଇବେ। ଏଠାକାର କୋଇଲାକୁ ଗ୍ୟାସରେ ପରିଣତ କରିବା କାମକୁ ଚୀନର ଏକ କମ୍ପାନିକୁ ଦିଆଯାଇଛି।

Comment