ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମରେ ଛାୟା କଣ୍ଢେଇ ନୃତ୍ୟ ଓ ପ୍ରହହ୍ଲାଦ ନାଟକରେ ମଜିଲେ ଦର୍ଶକ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଗୁରୁବାର ଭୁବନେଶ୍ଵର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଛି। ଗୁରୁବାର ସନ୍ଧ୍ୟାରେ ପ୍ରଦର୍ଶିତ ହୋଇଥିବା ଛାୟା କଣ୍ଢେଇ ନୃତ୍ୟ ଓ ପ୍ରହଲ୍ଲାଦ ନାଟକ ଦର୍ଶକଙ୍କ ମନମୋହିଥିଲା।

ଓଡ଼ିଶାର ଲୋକକଳାକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ପ୍ରତି ମାସରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଓଡ଼ିଆ ଲୋକକଳାକାରମାନଙ୍କୁ ନିଜର କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିଥାଏ।

ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ଅନୁଗୁଳ ଜିଲ୍ଲାର ରାବଣଛାୟା ନାଟ୍ୟ ସଂସଦ ପକ୍ଷରୁ ଆସିଥିବା କଳାକାରମାନେ ନାଟକ ‘ଛାୟା କଣ୍ଢେଇ’ ପରିବେଷଣ କରିଥିଲେ। ଏହି କଳାକାରମାନେ ଚମଡ଼ା କଣ୍ଢେଇକୁ ଛୋଟ ଛୋଟ ବାଉଁଶ ସାହାଯ୍ୟରେ ନଚାଇଥିଲେ, ଯାହା ଦର୍ଶକମାନଙ୍କୁ ବେଶ୍‌ ବିମୋହିତ କରିଥିଲା।

ରାବଣଛାୟା ନାଟ୍ୟ ସଂସଦର ସମ୍ପାଦକ ଖଗେଶ୍ୱର ସାହୁ କହିଥିଲେ, ‘‘ଛାୟା କଣ୍ଢେଇ ନୃତ୍ୟ ଅତି ପୁରାତନ ପରମ୍ପରା। ଯେତେବେଳେ ମନୋରଞ୍ଜନ ପାଇଁ କୌଣସି ମାଧ୍ୟମ ନଥିଲା, ସେତେବେଳେ ଛାୟା କଣ୍ଢେଇ ନୃତ୍ୟକୁ ଲୋକମାନେ ମନୋରଞ୍ଜନର ମାଧ୍ୟମ ଭାବେ ବାଛିଥିଲେ। ଏହି ନାଟକ ରାମାୟାଣ କଥାବସ୍ତୁ ଉପରେ ଆଧାରିତ।’’

ପରେ ମଞ୍ଚକୁ ଆସିଥିଲେ ଗଞ୍ଜାମ ଜିଲ୍ଲାର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ନାଟ୍ୟସଂସଦର କଳାକାରମାନେ। ଏହି କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିବା ନାଟକ ପ୍ରହଲ୍ଲାଦକୁ ଦର୍ଶକ ମନଭରି ଉପଭୋଗ କରିଥିଲେ। ଏହି ନାଟକ ମୁଖତଃ ବିଷ୍ଣୁପୁରାଣ, ନୃସିଂହ ପୁରାଣ ଉପରେ ଆଧାରିତ। ବିଷ୍ଣୁ ପୁରାଣରେ କିପରି ଭଗବାନ ବିଷ୍ଣୁ ନୃସିଂହ ଅବତାର ନେଇ ଅସୁର ହିରଣ୍ୟକଶ୍ୟପକୁ ବଦ୍ଧ କରିଥିଲେ। ସେହି ବିଷୟବସ୍ତୁକୁ ନେଇ କଳାକାରମାନେ ନାଟକ ପରିବେଷଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ବିଭାଗର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଷୋୟୀ, ନିର୍ଦ୍ଦେଶକ ବିଜୟ କୁମାର ନାୟକ ଯୋଗ ଦେଇଥିଲେ।

“ଓଡ଼ିଶାର ଲୋକକଳାକୁ ବଞ୍ଚାଇ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଏକ ଉଦ୍ୟମ। ପ୍ରତି ମାସରେ ଏଭଳି କାର୍ଯ୍ୟକ୍ରମ କରାଯାଉଛି। ଏଥର ଦୁଇଟି ନାଟକ ପରିବର୍ତ୍ତେ ଗୋଟିଏ ନାଟକ କରିବାକୁ ପ୍ରୟାସ କରାଯିବ। କାରଣ ଦୁଇଟି କରିବା ଦ୍ଵାରା ପରିବେଷଣ ପାଇଁ କଳାକାରମାନେ ସମୟ ପାଉନାହାନ୍ତି। ଏହାକୁ ଆହୁରି କାର୍ଯ୍ୟକାରୀ କରିବାକୁ ଏଥର ପ୍ରତିଦିନ ଏକାମ୍ର ହାଟରେ ମଧ୍ୟ ଏଭିଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି” କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

କାର୍ଯ୍ୟକ୍ରମ ଶେଷରେ ଉଭୟ ନାଟ୍ୟ ସଂସଦର କଳାକାରମାନଙ୍କୁ ସଂସ୍କୃତି ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇଥିଲା।

Comment