ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରୁ ଡାକିଆଣି ଯୁବକଙ୍କୁ ଜୀବନ୍ତ ଜାଳିଦେବାକୁ ଉଦ୍ୟମ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧୁମୁଛାଇ ଗାଁରେ। ନିଆଁ ଲଗାଇବା ପରେ ଦୁଇ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଶୁକ୍ରବାର ଗଞ୍ଜାମ ଜିଲ୍ଲା ଧୁମୁଛାଇ ଗାଁର ସନ୍ତୋଷ ନାୟକ ଘରେ ଥିଲେ। ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଘରୁ ଡାକିଆଣିଥିଲେ। ତାଙ୍କ ଘର ସାମ୍ନାରେ କିଛି କଥାକୁ ନେଇ ଯୁକ୍ତି ତର୍କ ହୋଇଥିଲା। ପରେ ଜଣେ ଯୁବକ ସନ୍ତୋଷଙ୍କର ଦୁଇ ହାତକୁ ଧରିଥିଲେ, ଅନ୍ୟ ଜଣେ ଯୁବକ ସନ୍ତୋଷଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ଏହି କାଣ୍ଡ କରିବା ପରେ ସେଠାରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ସନ୍ତୋଷଙ୍କ ଦେହରୁ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ। ପରେ ଦମକଳ ବାହିନୀ ପହଞ୍ଚି ସନ୍ତୋଷଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Comment