ଓଡ଼ିଶାଲାଇଭ୍ ବ୍ୟୁରୋ

  • ଫେବ୍ରୁଆରି ୧ରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା
  • ମେଳାରେ ପ୍ଲାଷ୍ଟିକ ଓ ପଲିଥିନକୁ ମନା
  • ଅଶ୍ଲୀଳ ନୃତ୍ୟ ଉପରେ ଲାଗିବ ରୋକ
  • ପାର୍କିଂ ଫି’ ଉପରେ ରଖାଯିବ ନଜର
  • ମେଳାକୁ ଜଗିବ ସିସିଟିଭି

ଏଥର ପ୍ଲାଷ୍ଟିକ୍ ମୁକ୍ତ ହେବ ଖଣ୍ଡଗିରି କୁମ୍ଭମେଳା। ମେଳାରେ ଯଦି କୌଣସି ବ୍ୟବସାୟୀ ପ୍ଲାଷ୍ଟିକ୍ କିମ୍ବା ପଲିଥିନ୍ ବ୍ୟବହାର କରନ୍ତି ତେବେ ତାଙ୍କ ଉପରେ ଚଢ଼ାଉ କରାଯିବ। ଶୁକ୍ରବାର ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ଫେବ୍ରୁଆରି ୧ ତାରିଖରୁ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ ହେଉଛି। ଏଥିପାଇଁ ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ଏଭଳି ନିଷ୍ପତ୍ତି ନେଇଛି ବିଏମସି।ଏଥିସହିତ ମେଳାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରାଯିବ ଓ ଲୋକମାନେ ସୁରୁଖୁରୁରେ ମେଳା ବୁଲି ଦେଖିପାରିବେ ସେ ନେଇ ଆଲୋଚନା କରାଯାଇଥିଲା।

ପିଣ୍ଡି ଦାମ ୨ ହଜାର ବଢ଼ିଲା

ବିଏମସି ପକ୍ଷରୁ ଏଥର ପିଣ୍ଡିର ଦାମ ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଗତବର୍ଷ ପ୍ରତିଟି ପିଣ୍ଡି ପାଇଁ ୬ ହଜାର ଟଙ୍କା ଆଦାୟ କରାଯାଉଥିଲା। ଚଳିତ ବର୍ଷ ଏହାକୁ ୨ ହଜାର ଟଙ୍କା ବୃଦ୍ଧି କରାଯାଇଛି। ଏଥର ବେପାର କରିବା ପାଇଁ ବ୍ୟବସାୟୀଙ୍କୁ ପ୍ରତିଟି ପିଣ୍ଡି ପ୍ରତି ୮ ହଜାର ଟଙ୍କା ଗଣିବାକୁ ପଡ଼ିବ।

ଯାତ୍ରାରେ ଅଶ୍ଳୀଳ ନାଚକୁ ନା

ଏଥିସହିତ ଏଥର ମେଳାରେ ଭାଗନେଉଥିବା ଯାତ୍ରା ପାର୍ଟି ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଯାତ୍ରା ପାର୍ଟିମାନେ ନିଜର ଅଭିନୟ କିମ୍ବା ନୃତ୍ୟରେ ଯେଭଳି କୌଣସି ପ୍ରକାର ଅଶ୍ଳୀଳତା ରଖିବେନି ସେ ନେଇ ସେମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ପାର୍କିଂ ଦଲାଲଙ୍କ ଉପରେ ରହିବ ନଜର

ଯାତ୍ରା ସମୟରେ ବେଆଇନ୍ ଭାବେ ପାର୍କିଂ ଫି’ ଦାଖଲ ହେବା ନେଇ ବହୁ ଦିନରୁ ଅଭିଯୋଗ ହୋଇଆସୁଛି। ତେଣୁ ଏଥର ବିଏମ୍ଏସି ପକ୍ଷରୁ ଦଲାଲଙ୍କ ଉପରେ ସ୍ୱତନ୍ତ୍ର ଭାବେ ନଜର ରଖାଯିବ ବୋଲି କୁହାଯାଉଛି। ଯଦି କୌଣସି ଲୋକ ଧାର୍ଯ୍ୟ ଫି’ ଠାରୁ ଅଧିକ ଟଙ୍କା ଆଦାୟ କରୁଥିବ ତେବେ ତାଙ୍କୁ  ଆଇନ୍ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି କୁହାଯାଇଛି।

ଜରୁରୀ ପରିସ୍ଥିତି ପାଇଁ ୨ଟି ଆମ୍ବୁଲାନ୍ସ

ମେଳାରେ ଯଦି କୌଣସି ପ୍ରକାର ଆପଦକାଳୀନ ପରିସ୍ଥିତି ସୃଷ୍ଟି ହୁଏ ତେବେ ଏହାର ମୁକାବିଲା ପାଇଁ ୨ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରହିବ ବୋଲି କୁହାଯାଇଛି। ଏଥିସହିତ ମେଳାରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ମଧ୍ୟ ରହିବ ବୋଲି ସ୍ଥିର କରାଯାଇଛି।ସିସିଟିଭି ନଜରରେ ମେଳା

ଯାତ୍ରାରେ ଶାନ୍ତି ଶୃଙ୍ଖଳା ପ୍ରତି ଧ୍ୟାନ ଦେବା ପାଇଁ ସିସିଟିଭିର ସାହାଯ୍ୟ ନିଆଯିବ ବୋଲି ସୂଚନା ଦିଆଯାଇଛି। ଖଣ୍ଡଗିରି ଛକଠାରୁ ଆରମ୍ଭ କରି ଜୟଦେବ ବାଟିକା ପର୍ଯ୍ୟନ୍ତ ଅଞ୍ଚଳ ସିସିଟିଭି ନଜରରେ ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

Comment