ଓଡ଼ିଶାଲାଇଭ୍ ବ୍ୟୁରୋ
“ଚୀନରୁ ବ୍ୟାପୁଥିବା କୋରୋନା ଭାଇରସକୁ ନେଇ ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ। ଏଥିପ୍ରତି ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି। ହସ୍ପିଟାଲ, ବିମାନବନ୍ଦରରେ ଏଥିପାଇଁ ସ୍ୱତନ୍ତ୍ର ଟିମ୍ ମଧ୍ୟ ମୂତୟନ କରାଯାଇଛି”, କୋରୋନା ଭାଇରସ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ଏପରି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ।
ବର୍ତ୍ତମାନ ଏହି କୋରୋନା ଭାଇରସକୁ ନେଇ ଚାରଆଡ଼େ ଆତଙ୍କ ଖେଳିଯାଇଛି। ଚୀନରେ ଏହି ଭାଇରସ ଦ୍ୱାରା ୮୦ ଜଣ ଲୋକ ପ୍ରାଣ ହରାଇସାରିଲେଣି। ଚୀନ ସହ ଏହି ଭାଇରସ ଅନ୍ୟ ୧୫ଟି ଦେଶକୁ ବ୍ୟାପିଥିବା ମଧ୍ୟ ଆଶଙ୍କା କରାଯାଉଛି। ତେଣୁ ଭାରତକୁ ଯେଭଳି ଏହି ଭାଇରସ ନଆସିବ ସେଥିପାଇଁ ସରକାରଙ୍କ ତରଫରୁ ପ୍ରତ୍ୟେକ ବିମାନବନ୍ଦରରେ ଯାତ୍ରୀମାନଙ୍କୁ ସ୍କ୍ରିନିଂ କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ।
ଏଥିସହିତ ରାଜ୍ୟରେ ମଧ୍ୟ ରାଜ୍ୟ ସରକାର ଏଥିପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଭୁବନେଶ୍ୱର ଏମସ୍ ସହ କଟକ ବଡ଼ ମେଡିକାଲ, ବୁର୍ଲା ମେଡିକାଲ ଓ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏଥିପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ବୋଲି ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି।
ବର୍ତ୍ତମାନ ଚୀନର ବେଜିଂରେ ୭୦୦ ଭାରତୀୟ ଛାତ୍ର ଅଛନ୍ତି। ଏହି ସବୁ ଛାତ୍ର ବହୁତ ଶୀଘ୍ର ଭାରତ ଫେରିବେ ବୋଲି କୁହାଯାଉଛି। ତେଣୁ ଏହି ଭାଇରସ ଭାରତକୁ ପ୍ରବେଶ କରିବ ବୋଲି ଆଶଙ୍କା କରାଯାଉଛି। ଏହାକୁ ରୋକିବାକୁ ସରକାରଙ୍କ ତରଫରୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଯେଉଁମାନଙ୍କ ପାଖରେ ଏହି ଭାଇରସ ରହିଥିବା ସନ୍ଦେହ କରାଯାଉଛି ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।















