ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ସାଂସଦଙ୍କୁ ଗୁରୁଜ୍ଞାନ ଦେଲେ ନବୀନ।

“ଏଥର ସଂସଦର ବଜେଟ୍ ଅଧିବେଶନରେ ଓଡ଼ିଶା ପାଇଁ ବିଧାନ ପରିଷଦ ଗଠନ ଓ ଜାତିଭିତ୍ତିକ ଜନଗଣନାରେ ଓବିସିମାନଙ୍କୁ ମଧ୍ୟ ସ୍ଥାନ ଦେବା ପାଇଁ ବିଜେଡି ଦାବି କରିବ। ଏଥିସହିତ ଆଗାମୀ ରେଳ ବଜେଟରେ ଯେପରି ଓଡ଼ିଶାକୁ ସଠିକ୍ ଅନୁଦାନ ମିଳିବାକୁ ସେନେଇ ଦଳ ସଂସଦରେ ଦାବି କରିବ”, ମଙ୍ଗଳବାର ବିଜେଡିର ସଂସଦୀୟ ଦଳର ବୈଠକ ପରେ ଏପରି କହିଛନ୍ତି ସାଂସଦ ପିନାକୀ ମିଶ୍ର।

ସଂସଦର ଆଗାମୀ ବଜେଟ୍ ଅଧିବେଶନରେ ବିଜେଡିର ଆଭିମୁଖ୍ୟ କଣ ରହିବ ସେନେଇ ମଙ୍ଗଳବାର ନବୀନ ନିବାସରେ ବିଜେଡି ସଂସଦୀୟ ଦଳର ବୈଠକ ବସିଥିଲା। ଏହି ବୈଠକରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ ସାଂସଦମାନଙ୍କୁ ବଜେଟ୍ ଅଧିବେଶନ ନେଇ ସଚେତନ୍ କରିଛନ୍ତି। ଏଥିସହ ଏଥର ସାଂସଦଙ୍କ କାର୍ଯ୍ୟ ଉପରେ ମୁଖ୍ୟମନ୍ତ୍ରୀ ସିଧାସଳଖ ନଜର ରଖିବେ ବୋଲି କହିଛନ୍ତି ସାଂସଦ ପିନାକୀ ମିଶ୍ର।ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ବିଜେଡି ସଂସଦରେ ଦାବି କରିବ। ଏଥିସହିତ ଜାତିଭିତ୍ତିକ ଜନଗଣନାରେ ଓବିସିମାନଙ୍କୁ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ବିଜେଡି କହିବ ବୋଲି ପିନାକୀ ମିଶ୍ର କହିଛନ୍ତି।

ବୈଠକ ପରେ ପିନାକୀ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସିଏଏ ଓ ଏନଆରସିକୁ ନେଇ ଦେଶର ରାଜନୀତି ଗରମ ରହିଛି। ଏହାରି ମଧ୍ୟରେ ବିଜେଡି ସିଏଏକୁ ସମର୍ଥନ କରୁଛି ଓ ଏନଆରସିକୁ ବିରୋଧ କରୁଛି ବୋଲି ସେ ଆଉ ଥରେ ସ୍ପଷ୍ଟୀକରଣ ଦେଇଛନ୍ତି। ଏଥିସହିତ ଆଗକୁ ସାରା ଦେଶରେ କାର୍ଯ୍ୟକାରୀ ହେବାକୁ ଥିବା ଏନପିଆରରେ ଥିବା ୧୩(୨) ଧାରାକୁ ରାଜ୍ୟ ସରକାର ଇଚ୍ଛାଧୀନ ଘୋଷଣା କରିଛନ୍ତି। ଏହି ଧାରାରେ ଜଣେ ଲୋକ ତାର ବାପା ମାଙ୍କ ଜନ୍ମସ୍ଥାନର ଠିକଣା ଦେବ ବୋଲି ସ୍ଥିର କରାଯାଇଥିଲା। ହେଲେ ଏହାକୁ ଓଡ଼ିଶାରେ ଲାଗୁ କରାଯିବ ନାହିଁ ବୋଲି ସାଂସଦ ପିନାକୀ ମିଶ୍ର କହିଛନ୍ତି।

Comment