ଓଡ଼ିଶାଲାଇଭ୍ ବ୍ୟୁରୋ

ତପ୍ତପାଣିରେ ଘଟିଥିବା ବସ୍ ଦୁର୍ଘଟଣା କେମିତି ହେଲା, ଜାଣନ୍ତୁ ପୂରା ଘଟଣା।

“ସମୟ ଥିଲା ଭୋର୍ ପ୍ରାୟ ୩ଟା। ରାତିରେ ବସ ଭିତରେ ସମସ୍ତେ ଶୋଇଯାଇଥିଲେ। ହେଲେ ହଠାତ୍ ବସଟି ଦୋହଲିବାକୁ ଲାଗିଲା। କେହି କିଛି ଭାବିବା ପୂର୍ବରୁ ସତେ ଯେମିତି ଏ ପୃଥିବୀଟା ଓଲଟପାଲଟ ହୋଇଗଲା। ଭାରସାମ୍ୟ ହରାଇ ବସଟି ଶେଷରେ ଘାଟି ତଳକୁ ଖସିପଡ଼ିଥିଲା।”

ତପ୍ତପାଣି ଘାଟିରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣେ ଯାତ୍ରୀଙ୍କର ଏଥିଲା କୋହଭରା କଥା।ବୁଧବାର ବ୍ରହ୍ମପୁରର ତପ୍ତପାଣି ଘାଟିରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଖସିପଡ଼ିଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ବସ ଡ୍ରାଇଭର ସମେତ ୮ ଜଣ ଯାତ୍ରୀ ମୃତ୍ୟୁବରଣ କରିବା ସହ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇ ଏବେ ବି ଚିକିତ୍ସାଧୀନ ଅଛନ୍ତି।

କେମିତି ଘଟିଲା ଦୁର୍ଘଟଣା?

ଶ୍ରୀ ସାଇ ନାମକ ଏକ ଯାତ୍ରୀବାହୀ ବସ୍ ରାୟଗଡ଼ାରୁ ବାହାରି ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ବସରେ ସେ ସମୟରେ ପ୍ରାୟ ୫୦ରୁ ୬୦ ଲୋକ ଯାତ୍ରା କରୁଥିଲେ। ହେଲେ ବୁଧବାର ଭୋର ପ୍ରାୟ ୩ଟା ବେଳକୁ ବସର ଡ୍ରାଇଭର ଭାରସାମ୍ୟ ହରାଇ ବସଟିକୁ ଘାଟି ତଳକୁ ଖସାଇ ଦେଇଥିଲେ। ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତା ଦେଖାଯାଇନଥିଲା ତେଣୁ ବସଟି ଘାଟି ତଳକୁ ଖସିପଡ଼ିଥିବା ନେଇ ଚର୍ଚ୍ଚା ହୋଇଥିଲା। ଅନ୍ୟପଟେ ଗାଡ଼ିର ସ୍ପିଡକୁ ନେଇ ମଧ୍ୟ ଅନେକ ଲୋକ ପ୍ରଶ୍ନ ଉଠାଇଥିଲେ। ଡ୍ରାଇଭର ଜାଣିଶୁଣି ବେପାରୁଆ ଭାବେ ଗାଡ଼ି ଚଲାଉଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ମଧ୍ୟ କେତେକ ଲୋକ କହିଥିଲେ।ଉଦ୍ଧାର କାର୍ଯ୍ୟ ଆରମ୍ଭ

ବସଟି ୨୦ ଫୁଟ୍ ତଳକୁ ଖସିପଡ଼ିବା ପରେ ଲୋକମାନେ ବସ ଭିତରେ ଚାପି ହୋଇ ରହିଯାଇଥିଲେ। ବସ ଭିତରୁ ନିଜକୁ ରକ୍ଷା କରିବା ଯାତ୍ରୀଙ୍କ ପାଇଁ ମୁସ୍କିଲ ହୋଇଯାଇଥିଲା। ଖବର ପାଇଁ ଉଦ୍ଧାରକାରୀ ଦଳ ଓ ଦମକଳ ବାହିନୀର ୫ଟି ଲେଖାଏଁ ଟିମ୍ ଘଟଣା ପାଖରେ ପହଞ୍ଚିଥିଲେ। ହେଲେ ଲୋକମାନଙ୍କୁ ବସ ଭିତରୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳକୁ ନାକେଦମ ହେବାକୁ ପଡ଼ିଥିଲା। ପାହାଡ଼ିଆ ଅଞ୍ଚଳ ସାଙ୍ଗକୁ ଦୁର୍ଘଟଣା ସ୍ଥାନରେ ପାଣି ଥିବା ହେତୁ ଉଦ୍ଧାର କାର୍ଯ୍ୟ ସହଜରେ ହୋଇପାରିନଥିଲା। ଶେଷରେ ବାଧ୍ୟ ହୋଇ ବସକୁ ତିନି ଖଣ୍ଡ କରି କାଟିବାକୁ ପଡ଼ିଥିଲା। ଏହାପରେ ଯାଇ ବସ ଭିତରୁ ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଦୁର୍ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ

ଏହି ଦୁର୍ଘଟଣା କିଭଳି ପରିସ୍ଥିତିରେ ହେଲା? ଏଥିପାଇଁ କିଏ ଦାୟୀ? ଏହି ସବୁ ପ୍ରଶ୍ନ ଉତ୍ତର ପାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଘନ କୁହୁଡ଼ି ପାଇଁ ନାଁ ବେପାରୁଆ ଡ୍ରାଇଭିଂ ପାଇଁ ଏହି ଦୁର୍ଘଟଣା ହୋଇଛି ତା’ର କାରଣକୁ ଖୋଜି ପାଇବାକୁ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ମୃତକଙ୍କ ପରିବାରକୁ ମିଳିବ ଲକ୍ଷ ଟଙ୍କା

ଅନ୍ୟପଟେ ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ମୃତ ବ୍ୟକ୍ତିଙ୍କ ପରିବାରକୁ ସରକାରଙ୍କ ତରଫରୁ ୨ ଲକ୍ଷ ଟଙ୍କା ଯୋଗାଇଦିଆଯିବ ଏବଂ ଆହତ ହୋଇଥିବା ଯାତ୍ରୀଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଘଣ୍ଟାର ଅପରେସନ୍ ପରେ ଉଦ୍ଧାର ହେଲେ ଯାତ୍ରୀ

ଶେଷରେ ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାରକାରୀ ଦଳ ସମସ୍ତ ଯାତ୍ରୀଙ୍କୁ ବସ ଭିତରୁ ଉଦ୍ଧାର କରିଥିଲା। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଏଥିରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ନାଁ ସୁନିଲ ନାୟକ, ରମେଶ ବେହେରା, ଝୁନୁ ବେହେରା, ସଂଘମିତ୍ରା ମହାପାତ୍ର, ଅନ୍ୱେଷା ମହାପାତ୍ର, କରିସ୍ମା ନାୟକ, ସୁବାସିନି ମହାରଣା ଓ ବିଦ୍ୟୁତ୍‌ ନାୟକ ବୋଲି ସୂଚନା ଦିଆଯାଇଛି। ସେହିପରି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇ ଏମକେସିଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ସୂଚନା ରହିଛି।

ଶେଷରେ ଏହି ଦୁର୍ଘଟଣା ପଛର କାରଣ କ’ଣ ଥିଲା? ଘନ କୁହୁଡ଼ି ନା ବେପାରୁଆ ଗାଡ଼ି ଚାଳନା ନୀରିହ ଲୋକଙ୍କ ଜୀବନ ନେଲା? ତାକୁ ନେଇ ଅନେକ ପ୍ରଶ୍ନ ଏବେ ବି ରହସ୍ୟ ଘେରରେ ରହିଛି। ଏହି ଘଟଣାର ତଦନ୍ତ ହେବା ପରେ ଯାଇ ଏହାର ସଠିକ୍ ଉତ୍ତର ମିଳିପାରିବ ବୋଲି କୁହାଯାଉଛି।

Comment