ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଦୋଷୀଙ୍କୁ କେବେ ମିଳିବ ଫାଶୀ?

ବହୁ ଚର୍ଚ୍ଚିତ ‘ନିର୍ଭୟା’ ଗଣଦୁଷ୍କର୍ମ ମାମଲାର ଅନ୍ତ କେବେ? ଫେବ୍ରୁଆରି ୧ରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ କି ନାହିଁ ତାକୁ ନେଇ ଏବେ ବି ସସପେନ୍ସ ଲାଗି ରହିଛି। ଦୋଷୀ ଅକ୍ଷୟ ସିଂହ, ପବନ ଗୁପ୍ତା ଓ ବିନୟ ଶର୍ମାର ଆବେଦନକୁ ଦୃଷ୍ଟିରେ ରଖି ତିହାର ଜେଲ କର୍ତ୍ତୃପକ୍ଷ କହିଛନ୍ତି, ‘‘ବିନୟର ରାଜକ୍ଷମା ରାଷ୍ଟ୍ରପତିଙ୍କ ପାଖରେ ପେଣ୍ଡିଂ ପଡ଼ିଛି। ଏମିତିରେ ଦୋଷୀମାନଙ୍କୁ ଅଲଗା ଅଲଗା କରି ଫାଶୀ ଦେଇ ହେବ। ବିନୟକୁ ଛାଡ଼ି ଦେଲେ ଅନ୍ୟ ତିନି ଜଣଙ୍କୁ ଫେବ୍ରୁଆରି ୧ରେ ଫାଶୀ ଦିଆଯାଇପାରିବ।’’

ହେଲେ ବିନୟ ଶର୍ମାର ଓକିଲ ଏପି ସିଂହ ଆପତ୍ତି ଜଣାଇ କହିଛନ୍ତି ଯେ ଦିଲ୍ଲୀ କଏଦୀ ନିୟମ ଅନୁଯାୟୀ, ଯଦି ସମାନ ଘଟଣାରେ ଏକାଧିକ ଦୋଷୀ ରହିଛନ୍ତି, ତା’ହେଲେ ସେମାନଙ୍କୁ ଏକାସାଙ୍ଗରେ ହିଁ ଦଣ୍ଡିତ କରାଯିବ। ଏହାର ଅର୍ଥ ଶେଷ ଦୋଷୀ ତା’ର ସମସ୍ତ ଆଇନଗତ ବିକଳ୍ପ ବ୍ୟବହାର ନ କରିବା ଯାଏ, କାହାକୁ ମଧ୍ୟ ଫାଶୀରେ ଝୁଲା ଯାଇପାରିବ ନାହିଁ। ତେଣୁ ଫାଶୀ ତାରିଖକୁ ଘୁଞ୍ଚାଯିବା ଦରକାର ବୋଲି ସେ କହିଛନ୍ତି।

ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ବିନୟ ଶର୍ମା ଓ ମୁକେଶ ସିଂହର କ୍ୟୁରେଟିଭ ପିଟିସନ୍‌ ଖାରଜ ହେବା ପରେ ମୁକେଶ ସିଂହ ରାଜକ୍ଷମା ପାଇଁ ଆବେଦନ କରିଥିଲା। ଏହା ପର ମୁହୂର୍ତ୍ତରେ ଖାରଜ ହୋଇଥିଲା।

ହେଲେ ଫାଶୀର ଦୁଇ ଦିନ ପୂର୍ବରୁ ବିନୟ ଶର୍ମା ରାଜକ୍ଷମା ପାଇଁ ଆବେଦନ କରିଥିଲା। ବିନୟର ରାଜକ୍ଷମା ରାଷ୍ଟ୍ରପତିଙ୍କ ପାଖରେ ପେଣ୍ଡିଂ ପଡ଼ିଛି। ଯଦି ଏହା ଖାରଜ ହେଉଛି ତା’ହେଲେ ନିୟମ ଅନୁଯାୟୀ, ରାଜକ୍ଷମା ଆବେଦନର ୧୪ ଦିନ ପରେ ହିଁ ଜଣେ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲା ଯିବ।

ଫେବ୍ରୁଆରି ପହିଲାରେ ସକାଳ ୬ଟାରେ ତିହାର ଜେଲ୍‌ରେ ୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ ବୋଲି କୋର୍ଟ ପୁଣି ଦ୍ୱିତୀୟ ଥର ପାଇଁ ଡେଥ୍‌ ୱାରେଣ୍ଟ ଜାରି କରିଥିଲେ। ହେଲେ ବିନୟର ରାଜକ୍ଷମା ଆବେଦନ ପେଣ୍ଡିଂ ପଡ଼ିଥିବାରୁ ଫାଶୀ ତାରିଖ ଘୁଞ୍ଚିବ ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠୁଛି।

ସେସନ୍ସ ଜଜ୍ ଏକେ ଜୈନ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। କର୍ତ୍ତୃପକ୍ଷ ଷ୍ଟାଟସ ରିପୋର୍ଟ ଦେଖି ବିଚାରପତି ଫାଶୀ ତାରିଖ ସମ୍ପର୍କରେ ଘୋଷଣା କରିବେ।

ପୂର୍ବରୁ କୋର୍ଟ ପ୍ରଥମେ ଜାନୁଆରି ୨୨ରେ ସମସ୍ତ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଡେଥ ୱାରେଣ୍ଟ ଜାରି କରିଥିଲେ। ହେଲେ ଦୋଷୀ ମୁକେଶ ରାଜକ୍ଷମା ଆବେଦନ କରିବାରୁ କୋର୍ଟ ଏହାକୁ ଫେବ୍ରୁଆରି ୧କୁ ଘୁଞ୍ଚାଇଥିଲେ।

Comment