ଓଡ଼ିଶାଲାଇଭ୍ ବ୍ୟୁରୋ

“ଆଜିର ଦିନ ଦେଶର ସମସ୍ତଙ୍କ ଝିଅ ଓ ମହିଳାମାନଙ୍କୁ ସମର୍ପିତ। କାରଣ ଆଜିର ଦିନରେ ନିର୍ଭୟାଙ୍କୁ ଉଚିତ୍ ନ୍ୟାୟ ମିଳିଛି। ଦୀର୍ଘ ୭ ବର୍ଷ ପରେ ହେଲେ ମଧ୍ୟ ଚାରି ଦୋଷୀ ଆଜି ଫାଶୀ ଖୁଣ୍ଟରେ ଝୁଲିଛନ୍ତି”, କହିଛନ୍ତି ନିର୍ଭୟାଙ୍କ ମା’।

ନିର୍ଭୟା ଗଣଦୁଷ୍କର୍ମର ଚାରିଦୋଷୀ ଫାଶୀଖୁଣ୍ଟରେ ଝୁଲିବା ପରେ ଖୁସି ବ୍ୟକ୍ତ କରିଛନ୍ତି ନିର୍ଭୟାଙ୍କ ମା’। ଏଥିସହିତ ନ୍ୟାୟିକ ବ୍ୟବସ୍ଥାକୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ଏହାସହ ବର୍ତ୍ତମାନର ସରକାର, ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୋଷୀମାନେ ବାରମ୍ବାର ପିଟିସନ ଦାଏର କରିଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରିଚାଲିଥିଲେ। ତେଣୁ ଆଜି ନିର୍ଭୟାଙ୍କୁ ଉଚିତ୍ ନ୍ୟାୟ ମିଳିବା ସହ ଦୋଷୀମାନେ ଫାଶୀଖୁଣ୍ଟରେ ଝୁଲିଛନ୍ତି ବୋଲି ନିର୍ଭୟାଙ୍କ ମା’ ଆଶା ଦେବୀ ଗଣମାଧ୍ୟମ ଆଗରେ କହିଛନ୍ତି।

“ଏହି ରାୟ ଦେଶର ସମସ୍ତ ଅପରାଧୀମାନଙ୍କ ପାଇଁ ଏକ ଚେତାବନୀ ହେବ। ଦୋଷୀମାନଙ୍କୁ ଫାଶୀ ଦେବା ପରେ ଏଣିକି ଦେଶର ଝିଅମାନେ ରାସ୍ତାରେ ନିଜକୁ ସୁରକ୍ଷିତ ଅନୁଭବ କରିବେ”, କହିଛନ୍ତି ଆଶା ଦେବୀ।

ଦୀର୍ଘ ୭ ବର୍ଷ ୩ ମାସ ଓ ୩ଦିନର ବ୍ୟବଧାନ ପରେ ନିର୍ଭୟା ଗଣଦୁଷ୍କର୍ମର ଚାରିଜଣ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିଛନ୍ତି। ଶୁକ୍ରବାର ଭୋରରେ ଚାରିଦୋଷୀଙ୍କୁ ଦିଲ୍ଲୀର ତିହାର ଜେଲରେ ଫାଶୀ ଖୁଣ୍ଟରେ ଝୁଲାଯାଇଛି।

Comment