ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଫାଶୀକୁ ଅପେକ୍ଷା କରି କରି ମୁଁ ଥକି ଗଲିଣି। ମାର୍ଚ୍ଚ ୨୦ ତାରିଖରେ ଦୋଷୀଙ୍କୁ ଫାଶି ମିଳିଲେ ଯାଇ ମତେ ଶାନ୍ତି ମିଳିବ। ଯଦି ସୁଯୋଗ ମିଳେ ତାହେଲେ ଦୋଷୀଙ୍କୁ ଫାଶୀ ଦିଆଯାଉଥିବାର ନିଜ ଆଖିରେ ଛିଡ଼ା ହୋଇ ଦେଖିବି”, ନିର୍ଭୟା ଦୋଷୀଙ୍କ ଡେଥ୍ ୱାରେଣ୍ଟ ଆସିବା ପରେ ଏମିତି କହିଛନ୍ତି ନିର୍ଭୟାଙ୍କ ମା’ ଆଶାଦେବୀ।

ସେ ଆହୁରି ମଧ୍ୟ କହିଛନ୍ତି, ”ଆଶା କରୁଛି ଏହି ତାରିଖ ଦୋଷୀ ମାନଙ୍କ ପାଇଁ ଶେଷ ଦିନ ହେବ। ସେହିଦିନ ଆମ ପାଇଁ ନୂଆ ସକାଳର ସୂର୍ଯୋଦୟ ହେବ।”

ବୁଧବାର ପବନର ରାଜକ୍ଷମା ଆବେଦନ ଖାରଜ ହୋଇଥିଲ। ଏହାପରେ ଫାଶୀରୁ ବର୍ତ୍ତିବା ପାଇଁ ନିର୍ଭୟା ଦୋଷୀଙ୍କ ପାଖରେ ସମସ୍ତ ନ୍ୟାୟିକ ବିକଳ୍ପ ଶେଷ ହୋଇଛି ବୋଲି ଚର୍ଚ୍ଚା ହେଉଥିଲା। ଗୁରୁବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଚୁତର୍ଥ ଥର ପାଇଁ ଡେଥ୍ ୱାରେଣ୍ଟ୍ ଜାରି କରିଛନ୍ତି।  ମାର୍ଚ୍ଚ ୨୦ତାରିଖ ସକାଳ ୫ଟା ୩୦ ମିନିଟରେ ଦୋଷୀଙ୍କୁ ଫାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ପୁର୍ବରୁ ୩ଥର ଡେଥ୍ ୱାରେଣ୍ଟ ଜାରୀ ହୋଇଥିଲା। ପଟିଆଲା ହାଉସ କୋର୍ଟ ପୂର୍ବରୁ ୭ଜାନୁଆରୀ ପ୍ରଥମ ଡେଥ ୱାରେଣ୍ଟ ଜାରି କରିଥିଲେ। ୨୨ ଜାନୁଆରିରେ ଦୋଷୀଙ୍କୁ ଫାଶୀ ଦେବାକୁ ନିର୍ଦ୍ଦେଶ ରହିଥିଲା। ଏହାପରେ ୧୭ ଜାନୁଆରିରେ ଦ୍ୱିତୀୟ ଡେଥ୍ ୱାରେଣ୍ଟ ଜାରି କରାଯାଇଥିଲା।  ଏଥିରେ ଫେବ୍ରୁଆରି ୧ ତାରିଖରେ ଦୋଷୀଙ୍କୁ ଫାଶି ଦେବାକୁ ନିର୍ଦ୍ଦେଶ ରହିଥିଲା। ତୃତୀୟ ଡେଥ୍ ୱାରେଣ୍ଟ ଫେବ୍ରୁଆରି ୧୭ ତାରିଖରେ ଜାରି ହୋଇଥିଲା। ଏଥିରେ ମାର୍ଚ୍ଚ ୩ତାରିଖରେ ଦୋଷୀଙ୍କୁ ଫାଶି ଦେବାକୁ କୋର୍ଟ ଆଦେଶ ଦେଇଥିଲେ।

ବାରମ୍ବାର ଡେଥ୍ ୱାରେଣ୍ଟ ଜାରି କରିବା ପରେ ମଧ୍ୟ ଦୋଷୀମାନେ ଗୋଟିଏ ପରେ ଗୋଟିଏ ପିଟିସନ ଦାଖଲ କରିଚାଲିଥିଲେ। ଫଳରେ ନ୍ୟାୟିକ ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା।

୧୬ ଡିସେମ୍ବର, ୨୦୧୨ ମସିହାରେ ଏକ ଚଳନ୍ତା ବସରେ ୬ ଜଣ ଦୋଷୀ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପରେ ନିର୍ଭୟା ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରି କରି ଆଖି ବୁଜି ଦେଇଥିଲେ। ଏନେଇ ୨୦୧୩ ମସିହା ଜାନୁଆରି ୧୭ ତାରିଖରେ ଏହି କେସ୍‌ ଫାଷ୍ଟଟ୍ରାକ କୋର୍ଟରେ ଦାଖଲ କରାଯାଇଥିଲା। ଏହାପରେ ସେପ୍ଟେମ୍ବର ୧୩ ତାରିଖରେ ନିମ୍ନ ଅଦାଲତ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ।

କୋର୍ଟଙ୍କ ଏହି ରାୟ ବିରୋଧରେ ଦୋଷୀମାନେ ୨୦୧୪ ମସିହା ମାର୍ଚ୍ଚ ୧୩ ତାରିଖରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଏହି ଫାଶୀ ଦଣ୍ଡାଦେଶକୁ ଠିକ ବୋଲି ଦର୍ଶାଇଥିଲେ। ଏହା ମଧ୍ୟରେ ଏହି କାଣ୍ଡର ମୁଖ୍ୟ ଅଭିଯୁକ୍ତ ରାମ ସିଂ ଜେଲ୍‌ରେ ଆତ୍ମହତ୍ୟା କରିଥିଲା ବେଳେ ଅନ୍ୟ ଜଣେ ଦୋଷୀକୁ ନାବାଳକ ଥିବା ଯୋଗୁଁ ଛାଡ଼ି ଦିଆଯାଇଥିଲା।

ଗତ ଦୁଇମାସ ଭିତରେ ପଟିୟାଲା ହାଉସ କୋର୍ଟ ନିର୍ଭୟା ଦୋଷୀଙ୍କ ପାଇଁ ୪ଥର ଡେଥ୍‌ ୱାରେଣ୍ଟ ଜାରି କରି ସାରିଛନ୍ତି। ମାର୍ଚ୍ଚ ୨୦ତାରିଖରେ ଦୋଷୀଙ୍କୁ ଫାଶୀ ହେବ କି ନାହିଁ ସେ ସନ୍ଦେହ ପ୍ରକାଶ ପାଉଛି।

Comment