ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍ତର୍ଜାତୀୟ କୋର୍ଟ (ଆଇସିଜେ)ର ଦ୍ଵାରସ୍ଥ ହେଲେ ନିର୍ଭୟା ଦୋଷୀ। ୩ ଜଣ ଦୋଷୀ ଅକ୍ଷୟ, ପବନ, ବିନୟ ଅନ୍ତର୍ଜାତୀୟ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ମୃତ୍ୟୁଦଣ୍ଡରେ ରହିତାଦେଶ ପାଇଁ ଏହି ଆବେଦନ କରାଯାଇଛି। ମାର୍ଚ୍ଚ ୨୦ରେ ଫାଶୀ ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ପୁଣି ଫାଶୀରୁ ବଞ୍ଚିବାକୁ ଦୋଷୀମାନେ ଚାଲ୍‌ ଆରମ୍ଭ କରି ସାରିଲେଣି।

ଫାଶୀକୁ ଟାଳିବା ପାଇଁ ଚକ୍ରାନ୍ତ ଆରମ୍ଭ କରିସାରିଲେଣି ନିର୍ଭୟା ଦୋଷୀ। ମୁକେଶ କ୍ୟୁରେଟିଭ ପିଟିସନ୍‌ ଓ ରାଜକ୍ଷମା ଆବେଦନ ପାଇଁ ଚାହୁଁଥିଲା। ଏହାର ଆବେଦନ ପାଇଁ ମୁକେଶ ସୁପ୍ରିମ୍‌କୋର୍ଟର ଦ୍ଵାରସ୍ଥ ହୋଇଥିଲା। ହେଲେ ସୁପ୍ରିମ୍‌କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଏହାପରେ ଏବେ ଅନ୍ୟ ୩ ଜଣ ଦୋଷୀ ଅନ୍ତର୍ଜାତୀୟ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି।

ପୂର୍ବରୁ ୩ଥର ଡେଥ ଓ୍ଵାରେଣ୍ଟ ଘୁଞ୍ଚାଯାଇଛି। ପ୍ରଥମ ଡେଥ୍‌ ଓ୍ଵାରେଣ୍ଟ ଜାନୁଆରି ୨୨ ତାରିଖ ରହିଥିଲା। ହେଲେ ଏଥିରୁ ବଞ୍ଚିବାକୁ ଦୋଷୀମାନେ ଗୋଟିଏ ପରେ ଗୋଟିଏ ପିଟିସନ୍‌ ଦାଖଲ କରିଥିଲେ। ଫଳରେ ଶୁଣାଣି ପ୍ରକ୍ରିୟାରେ ବିଳମ୍ଵ ହେବାରୁ ଫାଶୀକୁ ଫେବ୍ରୁଆରି ୧ ତାରିଖକୁ ଘୁଞ୍ଚାଯାଇଥିଲା। ପରେ ମାର୍ଚ୍ଚ ୩ ରହିଥିଲା, ହେଲେ ଏହାକୁ ମଧ୍ୟ ଘୁଞ୍ଚାଯାଇ ବର୍ତ୍ତମାନ ମାର୍ଚ୍ଚ ୨୦ ରେ ଫାଶୀ ଦେବାକୁ ଧାର୍ଯ୍ୟ ହୋଇଛି।

ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ନେଇ ଦିନ ଧାର୍ଯ୍ୟ ହେଉଥିଲେ ମଧ୍ୟ ତାରିଖ ଘୁଞ୍ଚି ଘୁଞ୍ଚି ଯାଉଛି। ଏଥର ମଧ୍ୟ ଦୋଷୀମାନେ ତାଙ୍କ ଚାଲ୍‌ ଆରମ୍ଭ କରିସାରିଲେଣି।

Comment