ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଘୁଞ୍ଚିଲା ନିର୍ଭୟା ଦୋଷୀଙ୍କ ଫାଶୀ। ଝିଅକୁ ନ୍ୟାୟ ଦେବାକୁ ୭ ବର୍ଷ ୩ ମାସ ଧରି କରୁଥିବା ସଂଘର୍ଷର କଥା କହିଲେ ନିର୍ଭୟାଙ୍କ ମା’।

“ମୋ ଝିଅକୁ ନ୍ୟାୟ ଦେବାକୁ ୭ ବର୍ଷ ୩ ମାସ ହେଲା ସଂଘର୍ଷ କରି ଆସୁଛି। କିଏ କହୁଛି ମୋ ସ୍ୱାମୀଙ୍କ କ’ଣ ଭୁଲ ଥିଲା ତ, କିଏ କହୁଛି ମୋ ପୁଅର କ’ଣ ଭୁଲ ଥିଲା? ତେବେ ମୁଁ ସେମାନଙ୍କୁ ପଚାରିବାକୁ ଚାହୁଁଛି ଯେ ମୋ’ ଝିଅ ର କ’ଣ ଭୁଲ ଥିଲା”, ଏହା ହେଉଛି ନିର୍ଭୟାଙ୍କ ମା’ ଆଶା ଦେବୀଙ୍କର କୋହ ଭରା ପ୍ରତିକ୍ରିୟା।

ଆଜି ପୁଣି ନିର୍ଭୟା ଦୋଷୀଙ୍କ ଫାଶୀ ଉପରେ ରୋକ ଲଗାଇଛନ୍ତି କୋର୍ଟ। ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ଦିଆଯିବନି। ଦିଲ୍ଲୀ ପଟିୟାଲା ହାଉସ୍‌ କୋର୍ଟ ଡେଥ୍‌ ୱାରେଣ୍ଟ ଉପରେ ରୋକ୍‌ ଲଗାଇଛନ୍ତି। ତୃତୀୟ ଥର ପାଇଁ ଏହି ରୋକ୍‌ ଲାଗିଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ଦିଅଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

’ଣ ଥିଲା ୭ ବର୍ଷ ୩ ମାସର ସଂଘର୍ଷ ?

୧୬ ଡିସେମ୍ବର ୨୦୧୨ ମସିହାରେ ଏକ ଚଳନ୍ତା ବସରେ ୬ ଜଣ ଦୋଷୀ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପରେ ନିର୍ଭୟା ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରି କରି ଆଖି ବୁଜି ଦେଇଥିଲେ। ଏନେଇ ୨୦୧୩ ମସିହା ଜାନୁଆରି ୧୭ ତାରିଖରେ ଏହି କେସ୍‌ ଫାଷ୍ଟଟ୍ରାକ କୋର୍ଟରେ ଦାଖଲ କରାଯାଇଥିଲା। ଏହାପରେ ସେପ୍ଟେମ୍ବର ୧୩ ତାରିଖରେ ନିମ୍ନ ଅଦାଲତ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ।

କୋର୍ଟଙ୍କ ଏହି ରାୟ ବିରୋଧରେ ଦୋଷୀମାନେ ୨୦୧୪ ମସିହା ମାର୍ଚ୍ଚ ୧୩ ତାରିଖରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଏହି ଫାଶୀ ଦଣ୍ଡାଦେଶକୁ ଠିକ ବୋଲି ଦର୍ଶାଇଥିଲେ। ଏହା ମଧ୍ୟରେ ଏହି କାଣ୍ଡର ମୁଖ୍ୟ ଅଭିଯୁକ୍ତ ରାମ ସିଂ ଜେଲ୍‌ରେ ଆତ୍ମହତ୍ୟା କରିଥିଲା ବେଳେ ଅନ୍ୟ ଜଣେ ଦୋଷୀକୁ ନାବାଳକ ଥିବା ଯୋଗୁଁ ଛାଡ଼ି ଦିଆଯାଇଥିଲା।

ଏହାପରେ ଅନ୍ୟ ୪ ଜଣଙ୍କ ବିରୋଧରେ ଫାଶୀ ଦଣ୍ଡାଦେଶ ହୋଇଥିଲା। ୨୦୧୭ ମସିହାରେ ଏହି ମାମଲାର ଅନ୍ୟତମ ଦୋଷୀ ଅକ୍ଷୟଠାକୁର କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା। ଏହାର ୬ ମାସ ପରେ ଆଉଜଣେ ଦୋଷୀ ବିନୟ ମଧ୍ୟ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା।  ନିର୍ଭୟା ଦୋଷୀମାନେ ଜଣଙ୍କ ପରେ ଜଣେ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ଦାଖଲ କରି ଚାଲିଥିଲେ।

ଗତ ଦୁଇମାସ ଭିତରେ ପଟିୟାଲା ହାଉସ କୋର୍ଟ ନିର୍ଭୟା ଦୋଷୀଙ୍କ ପାଇଁ ୩ଥର ଡେଥ୍‌ ୱାରେଣ୍ଟ ଜାରି କରି ସାରିଛନ୍ତି। ପ୍ରଥମ ଡେଥ୍‌ ୱାରେଣ୍ଟ ଜାନୁଆରି ୨୨ ତାରିଖରେ ହୋଇଥିଲା। ହେଲେ ନିର୍ଭୟା ଦୋଷୀ ଫାଶୀରୁ ବଞ୍ଚିବାକୁ ଗୋଟିଏ ପରେ ଗୋଟିଏ ପିଟିସନ୍‌ ଦାଖଲ କରିଚାଲିଲେ। ଫଳରେ ଫାଶୀ ପ୍ରକ୍ରିୟାରେ ବିଳମ୍ଵ ହୋଇଥିଲା। ସେଥିପାଇଁ ଡେଥ୍‌ ଓ୍ଵାରେଣ୍ଟରେ ରୋକ ଲଗାଇଥିଲେ କୋର୍ଟ।

୧୭ ଜାନୁଆରିରେ ଦ୍ୱିତୀୟ ଡେଥ ୱାରେଣ୍ଟ ଜାରି କରିଥିଲେ ପଟିୟାଲା ହାଉସ କୋର୍ଟ। ଏଥିରେ ଫେବ୍ରୁଆରି ୧ ତାରିଖ ଦିନ ଦୋଷୀଙ୍କୁ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏଥିରେ ମଧ୍ୟ ଗୋଟିଏ ପରେ ଗୋଟିଏ ଚାଲ୍‌ ଖେଳିଥିଲେ ଦୋଷୀ।

ବାରମ୍ବାର ନ୍ୟାୟିକ ବ୍ୟବସ୍ଥା ଦୋଷୀମାନେ ଖେଳଖେଳି ଖସି ଯାଉଥିବାରୁ ସୁପ୍ରିମକୋର୍ଟ ୭ଦିନ ମଧ୍ୟରେ ସମସ୍ତ ନ୍ୟାୟିକ ପ୍ରକ୍ରିୟା ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମଧ୍ୟ ପବନ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ କରିଥିଲା। ସୁପ୍ରିମ କୋର୍ଟ କ୍ୟୁରେଟିଭ ପିଟିସନ ଖାରଜ କରିଥିଲା ବେଳେ  ରାଷ୍ଟ୍ରପତି ପବନର ରାଜକ୍ଷମା ଆବେଦନକୁ ଖାରଜ କରି ସାରିଛନ୍ତି।

ତେବେ ନ୍ୟାୟିକ ପ୍ରକ୍ରିୟା ଅନୁଯାୟୀ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ମାର୍ଚ୍ଚ ୩ ତାରିଖରେ ହେବାକୁଥିବା ଫାଶୀ ଉପରେ ରୋକ୍‌ ଲଗାଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଫାଶୀ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଏବେ ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ଅନିଶ୍ଚିତତା ସୃଷ୍ଟି ହେଉଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

Comment