ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖାରଜ ହେଲା ନିର୍ଭୟା ଦୋଷୀ ବିନୟର ପିଟିସନ୍‌। ମାନସିକ ରୋଗ ଥିବା ଦର୍ଶାଇ କୋର୍ଟରେ ଆବେଦନ କରିଥିଲା ବିନୟ। ଏହାକୁ ଖାରଜ କରିଛନ୍ତି ଦିଲ୍ଲୀ ପଟିୟାଲା ହାଉସ କୋର୍ଟ। ବିନୟଙ୍କର ମାନସିକ ବିକୃତି ନୁହେଁ, ଏହା ଅବସାଦ ବୋଲି କୋର୍ଟ କହିଛନ୍ତି।

ଗତ ୧୬ ତାରିଖ ଦିନ ବିନୟ ତିହାର ଜେଲରେ ନିଜ ସେଲରେ ଥିବା ବେଳେ କାନ୍ଥରେ ମୁଣ୍ଡ ପିଟି ଆତ୍ମହତ୍ୟା ଉଦ୍ୟମ କରିଥିଲା। ଏନେଇ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଜେଲର ସୁରକ୍ଷା କର୍ମୀମାନେ ତାଙ୍କୁ ଗୁରୁତର ଆଘାତ ଲାଗିବାରୁ ରକ୍ଷା କରିଥିଲେ। ଏହାପରେ ଡାକ୍ତରଙ୍କୁ ବିନୟର ସେଲକୁ ଅଣାଯାଇ ଚିକିତ୍ସା କରାଯାଇଥିଲା। ସେ ସାମାନ୍ୟ ଭାବେ ଆହତ ହୋଇଥିବା ଜଣାପଡ଼ିଛି।

ଏହାପରେ ଦୋଷୀ ବିନୟ ଶର୍ମାଙ୍କ ତରଫରୁ ତାଙ୍କ ଓକିଲ ଏପି ସିଂହ କୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ। ଏହି ପିଟିସନ୍‌ରେ ବିନୟଙ୍କ ମାନସିକ ସ୍ଥିତି ଖରାପ ରହିଛି ଓ ତାଙ୍କୁ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି କୁହାଯାଇଥିଲା। ବର୍ତ୍ତମାନ ଏହି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ଦୁଇଥର ଡେଥ୍‌ ଓ୍ଵାରେଣ୍ଟ ଘୁଞ୍ଚିବା ପରେ ବର୍ତ୍ତମାନ ତୃତୀୟ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଛି। ମାର୍ଚ୍ଚ ୩ ତାରିଖରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀ ପଟିୟାଲା ହାଉସ କୋର୍ଟ ତୃତୀୟ ଥର ଓ୍ଵାରେଣ୍ଟ ଜାରି କରିଛନ୍ତି। ଏଥିପାଇଁ ନିର୍ଭୟା ଦୋଷୀ ନୂଆ ଚାଲ୍‌ କରିପାରନ୍ତି ବୋଲି କୁହାଯାଉଛି।

Comment