ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏବେ ସବୁଠୁ ବଡ଼ ପ୍ରଶ୍ନ କେବେ ଏହି ଦୋଷୀଙ୍କୁ ଫାଶୀ ଦିଆଯିବ? କାରଣ ବିନୟ ରାଜକ୍ଷମା ପାଇଁ ଆବେଦନ କରିଥିବାରୁ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଫେବ୍ରୁଆରି ୧ରେ ଫାଶୀ ଦିଆଯିବନି ବୋଲି ସ୍ଥିର ହୋଇଛି।
ଫେବ୍ରୁଆରି ୧ ତାରିଖରେ ତିହାର ଜେଲ୍ରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିଥାନ୍ତେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ହେଲେ ବିନୟ ଶର୍ମା ଫାଶୀ ପାଇବାର ଦୁଇ ଦିନ ପୂର୍ବରୁ ହିଁ ରାଜକ୍ଷମା ପାଇଁ ଆବେଦନ କରିଥିଲା। ଫଳରେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଫାଶୀ ତାରିଖ ଘୁଞ୍ଚାଇ ଦେଇଛନ୍ତି। ତେବେ ଦୋଷୀମାନଙ୍କୁ କେବେ ଫାଶୀ ଦିଆଯିବ ସେନେଇ କୌଣସି ତାରିଖ ଘୋଷଣା କରାଯାଇ ନାହିଁ।
ଦୋଷୀ ମୁକେଶ ଓ ବିନୟର ସମସ୍ତ ନ୍ୟାୟିକ ବିକଳ୍ପ ଶେଷ ହୋଇଛି। ଏବେ ଅନ୍ୟ ଦୁଇ ଦୋଷୀମାନେ ମୁକେଶ ଯାଇଥିବା ରାସ୍ତାରେ ଯାଇ ପାରନ୍ତି। ସମସ୍ତ ନ୍ୟାୟିକ ବିକଳ୍ପ ଶେଷ ହେବା ଯାଏଁ ଫାଶୀ ଦଣ୍ଡାଦେଶରେ ରୋକ ଲାଗିପାରେ।














