ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ସ୍ଵତନ୍ତ୍ର ବମାନ ଯୋଗେ ୧୨ଟା ୨୫ରେ ଦିଲ୍ଲୀରୁ ବାହାରି ଅପରାହ୍ଣ ୨ଟା ୪୫ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ଏହା ପରେ ସେ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯାଇ ଶ୍ରୀମନ୍ଦିରେ ଶ୍ରୀଜନ୍ନାଥଙ୍କର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତା ୨୦ ତାରିଖ ବଡ଼ଦାଣ୍ଡସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠରେ ଆୟୋଜିତ କାର୍ଯ୍ୟକ୍ରମରେ ସକାଳ ୧୦ଟା ୩୦ରେ ଯୋଗ ଦେବେ। ଏହା ପରେ ସରଧାବାଲି ଯାଇ ସାଧୁ ସମ୍ମିଳନୀରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଗୌଡ଼ୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଉଦଘାଟନୀ ଉତ୍ସବରେ ଯୋଗ ଦେବେ।

ଆସନ୍ତା ୨୦ ତାରିଖ ୧୨ଟା ୧୫ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀରୁ ଭୁବନେଶ୍ଵର ଅଭିମୁଖେ ବାହାରିବେ। ଭୁବନେଶ୍ଵରରୁ ସ୍ଵତନ୍ତ୍ର ବିମାନ ଯୋଗେ ବିଶାଖାପାଟଣା ଯିବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଶହ ପୋଲିସ ଅଧିକାରୀ ମୁତୟନ ରହିଛନ୍ତି ବୋଲି ପୁରୀ ଏସ୍ପି କେ.ବିଶାଳ ସିଂହ ସୂଚନା ଦେଇଛନ୍ତି। ଏହା ରାଷ୍ଟ୍ରପତିଙ୍କ ତୃତୀୟ ଥର ପୁରୀ ଗସ୍ତ ବୋଲି କୁହାଯାଉଛି।

Comment