ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରପଡ଼ା ଜେଲ୍‌ରୁ ମୁକୁଳିଲେ ଆଇଏଏସ୍‌ ବିଜୟକେତନ ଉପାଧ୍ୟାୟ। ସୋମବାର ହାଇକୋର୍ଟ ତାଙ୍କୁ ଜାମିନ୍‌ ଦେଇଥିଲେ। ମଙ୍ଗଳବାର ଦିନ ତଳ କୋର୍ଟରେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଦାଖଲ କରାଯାଇଥିଲା। ତଳକୋର୍ଟରେ ଜାମିନ ପ୍ରକ୍ରିୟା ଶେଷ ହେବା ପରେ ଝାରପଡ଼ା ଜେଲ୍‌ରେ ସମସ୍ତ କାଗଜପତ୍ର ଦାଖଲ ହୋଇଥିଲା। ଏହାପରେ ବିଜୟକେତନ ଜେଲ୍‌ରୁ ବାହାରିଥିଲେ।

ବିଜୟକେତନ ଜେଲ୍‌ରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ।

‘‘ହାଇକୋର୍ଟରେ ମାମଲା ବିଚାରାଧୀନ ରହିଛି। ଏଣୁ କିଛି ମନ୍ତବ୍ୟ ଦେବା ଠିକ୍‌ ହେବନି। ହାଇକୋର୍ଟ ଯାହା ନିଷ୍ପତ୍ତି ନେବେ ତାକୁ ମୁଁ ଗ୍ରହଣ କରିବି’’, କହିଥିଲେ ବିଜୟକେତନ।

ଉଦ୍ୟାନ କୃଷି ବିଭାଗରେ କାର୍ଯ୍ୟରତ ଥିବା ବେଳେ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗ ବିଜୟକେତନଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଗିରଫ ବେଳେ ବିଜୟକେତନ କହିଥିଲେ ଯେ ତାଙ୍କୁ ଫସାଇ ଦିଆଯାଇଛି। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି।

ଏନେଇ ବିଜୟକେତନଙ୍କ ସ୍ତ୍ରୀ ତୁଷିମା ମିଶ୍ର ମଧ୍ୟ କଟକରେ ସାମ୍ବାଦିକ ସମ୍ମିଳନୀ କରି ଷଡ଼ଯନ୍ତ୍ର ଅଭିଯୋଗ ଆଣିଥିଲେ।

Comment