ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ମଙ୍ଗଳବାର ବିଶ୍ୱ କର୍କଟ ଦିବସ ପାଳିତ ହୋଇଛି। ସଚେତନତା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଆସିଲେ ହିଁ କ୍ୟାନ୍‌ସର ରୋକାଯାଇ ପାରିବ ବୋଲି ଅତିଥିମାନେ ବାର୍ତ୍ତା ଦେଇଥିଲେ।

ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ କହିଛନ୍ତି, ‘‘କ୍ୟାନ୍ସରକୁ ରୋକିବାକୁ ହେଲେ ସଚେତନତା ଏବଂ ଜୀବନଶୈଳୀରେ ପରିବର୍ତନର ଯଥେଷ୍ଟ ଆବଶ୍ୟକତା ରହିଛି।’’

ଏହି କାର୍ଯ୍ୟକ୍ରମରେ କ୍ୟାନ୍ସରକୁ ପରାସ୍ତ କରିଥିବା ଲୋକମାନେ ଏକାଠି ହୋଇଥିଲେ। କ୍ୟାନ୍ସରକୁ ପରାସ୍ତ କରିଥିବା ଲୁଧିଆନାର ଆନନ୍ଦ ଆର୍ନୋଲ୍ଡ ଆଜି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ। କ୍ୟାନ୍‌ସରକୁ ପରାସ୍ତ କରି ଆଜି ଜଣେ ସେ ବଡି ବିଲ୍ଡର ଭାବେ ଅନ୍ତର୍ଜାତୀୟ ସ୍ତରରେ ସେ ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି।

ଆନନ୍ଦ ଆର୍ନୋଲ୍ଡଙ୍କୁ ଯେତେବେଳେ ମାତ୍ର ୧୫ ବର୍ଷ ହୋଇଥିଲା ସେତେବେଳେ ସେ ମେରୁଦଣ୍ଡ କ୍ୟାନ୍ସରରେ ପୀଡ଼ିତ ହୋଇଥିଲେ। ଅପରେସନ ପରେ ସେ ତିନି ବର୍ଷ ଫିଜିଓଥେରାପି ମଧ୍ୟ ନେଇଥିଲେ। ଏହାପରେ ତାଙ୍କୁ ସାରା ଜୀବନ ହୁଇଲ୍ ଚେୟାରରେ ରହିବାକୁ ପଡ଼ିଥିଲା। ସେ କିନ୍ତୁ ହାର ମାନି ନଥିଲେ। ୧୧ ବର୍ଷ ବୟସରୁ ଜିମ୍ ଯିବା ସହ ବଡି ବିଲ୍ଡର ଭାବେ ସେ ନିଜକୁ ପ୍ରସ୍ତୁତ କରୁଥିଲେ। କିନ୍ତୁ ସେ କ୍ୟାନ୍ସରରେ ପୀଡ଼ିତ ହେବା ପରେ ତାଙ୍କର ଅଧା ଶରୀରକୁ ପକ୍ଷାଘାତ ରୋଗ ଆକ୍ରାନ୍ତ କରିଥିଲା। ଏହା ସତ୍ତ୍ୱେ ସେ ହୁଇଲ୍ ଚେୟାରରେ ବସି ମଧ୍ୟ ଚାରିଥର ମିଷ୍ଟର ଇଣ୍ଡିଆ (ହୁଇଲ୍ ଚେୟାର) ଟାଇଟଲ୍ ହାସଲ କରିଥିଲେ। ସେହିପରି ଅନ୍ତର୍ଜାତୀୟ ବଡି ବିଲ୍ଡର ପ୍ରତିଯୋଗିତା ମିଷ୍ଟର ଅଲିମ୍ପିଆରେ ମଧ୍ୟ ଟାଇଟଲ୍ ହାସଲ କରିଥିଲେ।

ଲେଖକ ଆଲେନ୍ ଉଡମ୍ୟାନ୍ ତାଙ୍କ ଜୀବନୀ ଉପରେ “ୱେଟ୍ଲେସ୍: ଏ ଟ୍ରୁ ଷ୍ଟୋରୀ ଅଫ୍ କରେଜ୍ ଆଣ୍ଡ ଡିଟର୍ମିନେସନ୍” ପୁସ୍ତକ ଲେଖିଛନ୍ତି। ଏହି ପୁସ୍ତକ ୨୦୧୫ ମସିହାରେ ପ୍ରକାଶିତ ହୋଇ ବେଶ ଆଦୃତି ଲାଭ କରିଥିଲା।

‘‘ଯଦି ଆପଣ ହୁଇଲ୍ ଚେୟାରରେ ବସି ରହୁଛନ୍ତି ତେବେ କେବେ ବି ଭାବନ୍ତୁ ନାହିଁ ଯେ ଜୀବନ ଏଇଠି ସରିଗଲା’’, ଏହା କହିଥିଲେ ଆର୍ନୋଲ୍ଡ।

ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଜଣେ ବ୍ୟକ୍ତି ଯଦି ସକାରାତ୍ମକ ମନୋଭାବ ରଖିବ ତେବେ ରୋଗ ତା’ଠାରୁ ଦୂରେଇ ଯିବ।

ଚଳିତବର୍ଷର ବିଶ୍ୱ କର୍କଟ ଦିବସର ଥିମ୍ ରହିଛି ‘ମୁଁ କରିପାରିବି’ । ଏହି ଥିମ ସମ୍ପର୍କରେ ସମ୍ ହସ୍ପିଟାଲର ଅଙ୍କୋସାଇନ୍ସ ବିଭାଗର ଅଙ୍କୋସର୍ଜନ୍ ପ୍ରଫେସର ସୁନିଲ୍ ଅଗ୍ରୱାଲ୍ କହିଥିଲେ ଯେ, କ୍ୟାନ୍ସର ଚିହ୍ନଟ ହେବା ପରେ ଏହି ପରିସ୍ଥିତିକୁ ବ୍ୟକ୍ତି ଜଣକ କିପରି ଗ୍ରହଣ କରୁଛି ତାହା ଉପରେ ସବୁକିଛି ନିର୍ଭର କରେ।

ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ପ୍ରଫେସର ସାହୁ କହିଥିଲେ, ‘‘ଗର୍ଭାଶୟ କ୍ୟାନ୍ସରର ନିରାକରଣ ହୋଇପାରିବ। କାରଣ ବର୍ତ୍ତମାନ ଏହି ରୋଗ ପାଇଁ ପ୍ରତିଷେଧକ ଭ୍ୟାକ୍ସିନ୍ ଉପଲବ୍ଧ ରହିଛି।’’

ସୋଆର ଇନଷ୍ଟିଚ୍ୟୁଟ ଅଫ୍ ଡେଣ୍ଟାଲ୍ ସାଇନ୍ସେସର ଡିନ୍ ପ୍ରଫେସର ନୀତା ମହାନ୍ତି କହିଥିଲେ, ‘‘ଆଇଡିଏସ୍ ପକ୍ଷରୁ ନିୟମିତ ଭାବେ କ୍ୟାନ୍ସର ଚିହ୍ନଟ ପାଇଁ ବିଭିନ୍ନ ସ୍ଥାନମାନଙ୍କରେ ସଚେତନତା ଶିବିର ଆୟୋଜନ କରାଯାଉଛି। ଅନୁଷ୍ଠାନ ତରଫରୁ ତମାଖୁ ବନ୍ଦ କରିବା କେନ୍ଦ୍ର ମଧ୍ୟ ଖୋଲାଯାଇଛି।’’

ଏହି କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏବଂ ମେଡିକାଲ୍ ଅଙ୍କୋଲୋଜିଷ୍ଟ ଡାକ୍ତର ସୌମ୍ୟ ସୁରଥ ପଣ୍ଡା ମଧ୍ୟ ବକ୍ତବ୍ୟ ରଖିଥିଲେ।

ମେଡିକାଲ୍ ଏବଂ ନର୍ସିଂ ଛାତ୍ରଛାତ୍ରୀଙ୍କ ପକ୍ଷରୁ କ୍ୟାନ୍ସର ସଚେତନତା ନେଇ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ସେହିପରି କ୍ୟାନ୍ସରରୁ ନୂଆ ଜୀବନ ପାଇଥିବା ମହିଳା ଓ ପୁରୁଷଙ୍କୁ ନେଇ ରାମ୍ପ ସୋ’ କରାଯାଇଥିଲା।

Comment