ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଭୟା ଦୋଷୀଙ୍କୁ ୭ ଦିନ ସମୟ ଦେଲେ ଦିଲ୍ଲୀ ହାଇକୋର୍ଟ। ସପ୍ତାହକ ଭିତରେ ଯାହାବି ଆଇନଗତ ପ୍ରକ୍ରିୟା ବାକି ରହିଛି ତାହା ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୪ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ କୋର୍ଟ ମନା କରିଦେଇଛନ୍ତି। ଫଳରେ ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ସମସ୍ତ ୪ ଦୋଷୀଙ୍କୁ ଝୁଲାଯିବ।
ନିର୍ଭୟା ମାମଲାରେ କେନ୍ଦ୍ର ସରକାର ଓ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ଗତ ରବିବାର କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ବୁଧବାର କୋର୍ଟ ତାଙ୍କ ରାୟ ପ୍ରକାଶ କରିଛନ୍ତି।
ଯେଉଁମାନଙ୍କର ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇନି ସେମାନଙ୍କୁ ଛାଡ଼ି ଅନ୍ୟ ଦୋଷୀଙ୍କୁ ଫାଶୀ ଦେଇ ଦେବାକୁ କେନ୍ଦ୍ର ସରକାର କୋର୍ଟରେ ଆବେଦନ କରିଥିଲେ। ଦୋଷୀ ନ୍ୟାୟିକ ବ୍ୟବସ୍ଥାର ଭୁଲ୍ ଫାଇଦା ଉଠାଇ ଫାଶୀ ଘୁଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି କେନ୍ଦ୍ର ସରକାର ତାଙ୍କ ଆବେଦନରେ କହିଥିଲେ।


















