ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ମୋଡ଼ ନେଉଛି ବହୁଚର୍ଚ୍ଚିତ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମାମଲା। ବଲିଉଡର ଦୁଇ ଅଭିନେତ୍ରୀ ଏହି କାରଣରୁ ଏବେ ମୁହାଁମୁହିଁ ହୋଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଥିବା ଅଭିନେତ୍ରୀ ନୋରା ଫତେହୀ ଦିଲ୍ଲୀ କୋର୍ଟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ୍ ଓ ଅନେକ ମିଡିଆ କମ୍ପାନି ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି।

ନୋରା ଅଭିଯୋଗ ଆଣିଛନ୍ତି କି ସୁକେଶ ଚନ୍ଦ୍ରଶେଖରଙ୍କ ୨୧୫ କୋଟି ମନି ଲଣ୍ଡ୍ରିଂ ମାମଲାରେ ତାଙ୍କ ନାମକୁ ଜବରଦସ୍ତି ଯୋଡ଼ା ଯାଉଛି। ସେ ଅଭିଯୋଗ କରି କହିଛନ୍ତି, “ମୋର ସୁକେଶ ସହିତ କୌଣସି ସିଧାସଳଖ ସଂପର୍କ ନାହିଁ। ସୁକେଶଙ୍କ ପତ୍ନୀ ଲୀନା ମାରିଆଙ୍କ ଜରିଆରେ ସୁକେଶଙ୍କୁ ଜାଣିଥିଲି। ମୁଁ ସୁକେଶଙ୍କ ଠାରୁ କୌଣସି ଉପହାର ନେଇ ନାହିଁ। ମିଡିଆରେ ଏଭଳି କଥା ପ୍ରଚାର ହେବା ଫଳରେ ମୋ ମର୍ଯ୍ୟାଦା ନଷ୍ଟ ହେଉଛି।”

ସୁକେଶ ଚନ୍ଦ୍ରଶେଖରଙ୍କ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କ ଟାର୍ଗେଟରେ ଉଭୟ ନୋରା ଫତେହୀ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ୍ ରହିଛନ୍ତି। ଏନେଇ ଇଡି ତରଫରୁ ଉଭୟଙ୍କୁ ଅନେକଥର ଜେରା କରାଗଲାଣି। ନୋରା ଫତେହୀଙ୍କ ଉପରେ ସୁକେଶ ଚନ୍ଦ୍ରଶେଖରଙ୍କଠାରୁ ଅନେକ ଦାମୀ ଉପହାର ନେଇଥିବା ଅଭିଯୋଗ ରହିଛି।

Tags: #JacquelineFernandez #NoraFatehi #SukeshChandrasekhar #ConMan #MoneyLaundering #DelhiHighCourt #DefamationCase

Comment