ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: କୋରୋନା ଭାଇରସ୍ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି କଟକ ଏସ୍‌ସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ଆବଶ୍ୟକ ଭିତ୍ତିଭୂମି ଏବଂ ଚିକିତ୍ସା ସୁବିଧା ଅଛି କି ନାହିଁ ସେ ସମ୍ପର୍କରେ ଗୁରୁବାର କେନ୍ଦ୍ରୀୟ ଟିମ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ୩ ଜଣିଆ ବିଶେଷଜ୍ଞ ଟିମ୍ ଏସ୍‌ସିବି ଡାକ୍ତରଖାନା ପରିଦର୍ଶନ କରିଥିଲେ। କୋରୋନା ପାଇଁ ଖୋଲାଯାଇଥିବା ସ୍ୱତନ୍ତ୍ର ୱାର୍ଡରେ ସ୍ଥିତି ଅନୁଧ୍ୟାନ କରିଥିଲେ।

ନାସନାଲ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍(ଏନ୍‌ସିଡିସି) ପକ୍ଷରୁ ଡାକ୍ତର ଶିଖା ବର୍ଦ୍ଧନ୍, ଡାକ୍ତର କପୁର ଚୌଧୁରୀ ଓ ଡାକ୍ତର ଅନୁରାଧା ସୁଲତାନିଆଙ୍କୁ ନେଇ ଗଠିତ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ ଏସ୍‌ସିବି ଆସିଥିଲେ। ଏହି ଟିମ୍‌ ସ୍ୱତନ୍ତ୍ର ୱାର୍ଡର ଭିତ୍ତିଭୂମି, ଚିକିତ୍ସା ବ୍ୟବସ୍ଥା, ଆଇସିୟୁ ସ୍ଥିତି ଓ ସତର୍କତା ଲାଗି କି ପ୍ରକାର ବ୍ୟବସ୍ଥା କରାଯାଇଛି ସେସବୁ ଯାଞ୍ଚ୍ କରିଥିଲେ।

ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର, ନର୍ସ ଓ ଆଟେଣ୍ଡାଣ୍ଟ୍ ଯେପରି କୋରୋନା ଭାଇରସର ସଂକ୍ରମିତ ନହୁଅନ୍ତି ସେଥିପ୍ରତି ଡାକ୍ତରଖାନା ପକ୍ଷରୁ ପଦକ୍ଷେପ ନିଆଯାଇଛି କି ନାହିଁ ସେ ଦିଗରେ ମଧ୍ୟ କେନ୍ଦ୍ରୀୟ ଟିମ୍ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଥିଲେ।

କୋରୋନା ଭାଇରସ୍ ଚିକିତ୍ସା ପ୍ରସ୍ତୁତିକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଉପରେ ମଧ୍ୟ କେନ୍ଦ୍ରୀୟ ଟିମ୍ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏସ୍‌ସିବି  ଚକ୍ଷୁ ବିଭାଗ ଉପର ମହଲାରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି। ଉକ୍ତ ୱାର୍ଡରେ ୮୬ ଟି ଶଯ୍ୟା ରହିଛି। ଛାତି ଓ ଯକ୍ଷ୍ମା ରୋଗ ବିଭାଗ ଅଧୀନରେ ଖୋଲାଯାଇଥିବା ଉକ୍ତ ୱାର୍ଡରେ ରେସିଣ୍ଡେଣ୍ଟ୍ ଡାକ୍ତର, ଫାର୍ମାସିଷ୍ଟ, ନର୍ସ ଓ ଆଟେଣ୍ଡାଣ୍ଟ୍ ମଧ୍ୟ ସ୍ୱତନ୍ତ୍ର ଭାବେ ନିୟୋଜିତ କରାଯାଇଛି।

ନିକଟରେ ଚୀନରୁ ଫେରିଥିବା ଓଡ଼ିଆ ଡାକ୍ତରୀ ଛାତ୍ର ମୃତ୍ୟୁଞ୍ଜୟ ମୁନିଙ୍କର ଥଣ୍ଡା ଏବଂ ଛିଙ୍କ ଲାଗି ରହିବା ସହ ଅସୁସ୍ଥ ଅନୁଭବ କରିବାରୁ ଗତ ୧ ତାରିଖ ବିଳମ୍ବିତ ରାତିରେ ଏସ୍‌ସିବି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପୁନେସ୍ଥିତ ନାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ ତାଙ୍କ ରକ୍ତ ନମୁନା ପରୀକ୍ଷା ହେବା  ପରେ ରିପୋର୍ଟ ନେଗେଟିଭ୍ ଆସିଥିଲା। ନେଗେଟିଭ୍ ରିପୋର୍ଟ ଆସିବା ପରେ ମୃତ୍ୟୁଞ୍ଜୟଙ୍କୁ ଏସ୍‌ସିବିରୁ ଡିସ୍‌ଚାର୍ଜ କରାଯାଇଛି।

ସେହିପରି ଚୀନରୁ ଫେରିଥିବା ଆଉ ଜଣେ ଛାତ୍ରୀଙ୍କ ସହ ତାଙ୍କ ସ୍ୱାମୀ ମଧ୍ୟ ଏବେ କୋରୋନା ସଂକ୍ରମିତ ସନ୍ଦେହରେ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ଦମ୍ପତିଙ୍କ ନମୁନା ପରୀକ୍ଷା ପାଇଁ ପୁନେ ପଠାଯାଇଛି।

LEAVE A REPLY

Please enter your comment!
Please enter your name here