ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁରରେ ରବିବାର ଗୋଟିଏ ବରଯାତ୍ରୀ ବସ୍‌ରେ ୧୧ କେଭି ତାର ଲାଗିଯାଇଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ଗୁରୁତର ହୋଇଥିବା ସୂଚନା ମିଳିଛି। ବସ୍‌ଟି ୪୩ ଜଣ ଲୋକଙ୍କୁ ନେଇ ଏକ ନିର୍ବନ୍ଧ ଉତ୍ସବରେ ଯାଉଥିବାବେଳେ ଏହି ଅଘଟଣ ଘଟିଛି। ଅନ୍ୟ ଆହତ ଲୋକମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବ୍ରହ୍ମପୁର ସହର ଗୋଳନ୍ଥରା ଥାନା ମୋଲପତୁରି ନିକଟରେ ଏହି ବସଟି ଯାଉଥିବାବେଳେ ଏକ ୧୧ କେଭି ବିଦ୍ୟୁତ ତାର ବସରେ ଲାଗିଯାଇଥିଲା। ଫଳରେ ବସରେ ଥିବା ଯାତ୍ରୀମାନେ ବିଦ୍ୟୁତ୍ ଆଘାତ ପାଇଥିଲେ। ଏହି ବିଦ୍ୟୁତ ଆଘାତ ଲାଗିବା ଦ୍ୱାରା ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସ୍ଥାନୀୟ ଲୋକମାନେ ବିଦ୍ୟୁତ୍ କାଟିବା ସହ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଲୋକଙ୍କୁ ବ୍ରହ୍ମପୁର ଏମ୍‌କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ସହିତ ୫ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ଆହତ ଲୋକମାନଙ୍କୁ ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର କରାଯାଉଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବିଦ୍ୟୁତ ବିଭାଗକୁ ଦୋଷ ଦେଇଛନ୍ତି ସ୍ଥାନୀୟ ଲୋକେ। ଏହାସହ ଘଟଣାସ୍ଥଳରେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଛି।

Comment