ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସରକାରୀ ଚାକିରି ଛାଡ଼ି ରାଜନୀତିରେ ଏଣ୍ଟ୍ରି କରିଥିଲେ ଅରବିନ୍ଦ କେଜରିଓ୍ୱାଲ। ଆସନ୍ତୁ ଜାଣିବା କେମିତି ରହିଛି ତାଙ୍କ ରାଜନୀତିକ ଯାତ୍ରା?

ଅରବିନ୍ଦ କେଜରିଓ୍ୱାଲ ଆଜି ଏକ ଜଣାଶୁଣା ନାଁ। ତୃତୀୟ ଥର ପାଇଁ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହି ଅବସରରେ ଆସନ୍ତୁ ଜାଣିବା କେଜରିଓ୍ୱାଲ ରାଜନୀତିକୁ କେମିତି ପ୍ରବେଶ କରିଥିଲେ ଏବଂ କିଭଳି  ଆମ ଆଦମୀ ପାର୍ଟିର ଗଠନ କରିଥିଲେ?

କେଜରିଓ୍ୱାଲ ରାଜନୀତିକୁ ଆସିବା ପୂର୍ବରୁ ଭାରତୀୟ ରାଜସ୍ୱ ସେବା(ଆଇଆର୍‌ଏସ୍‌)ରେ ଥିଲେ। ପରେ ଚାକିରି ଛାଡ଼ି ସମାଜସେବା କରିବା ସହିତ ରାଜନୀତି ସହିତ ଜଡ଼ିତ ହୋଇଥିଲେ। ସମାଜସେବାରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ସେ ୨୦୦୬ରେ ରମନ ମାଗାସେସେ ସମ୍ମାନରେ ସମ୍ମାନିତ ହୋଇଥିଲେ। କେଜରିଓ୍ୱାଲ ୨୦୧୨ରେ ସମାଜସେବୀ ଆନ୍ନା ହଜାରେଙ୍କ ସହ ମିଶି ସତ୍ୟାଗ୍ରହ କରିବା ପରେ  ନିଜର ରାଜନୈତିକ ଦଳ ଗଠନ କରିଥିଲେ। ଆଜି ତାଙ୍କ ପାର୍ଟିରେ ଦିଲ୍ଲୀରେ ଶାସନ ଚଳାଉଛି।

କିଏ କେଜିରଓ୍ୱାଲ?

ଅରବିନ୍ଦ କେଜରୀଓ୍ୱାଲ ୧୯୬୮ ମସିହାରେ ଅଗଷ୍ଟ ୧୬ରେ ହରିୟାଣାର ହିସାର ଜିଲ୍ଲାରେ ଜନ୍ମ ହୋଇଥିଲେ। ଭାଇଭଉଣୀଙ୍କ ମଧ୍ୟରେ କେଜରିଓ୍ୱାଲ ସମସ୍ତଙ୍କଠୁ ବଡ଼। ତାଙ୍କ ବାପା ଜଣେ ଇଞ୍ଜିନିୟର ଥିଲେ। କେଜରିଓ୍ୱାଲ ଆଇଆଇଟି ଖଡଗପୁରରେ ମେକାନିକାଲ ଇଞ୍ଜିନିୟରିଂ କରିବା ପରେ ସେ ଟାଟା ଷ୍ଟିଲରେ ଚାକିରି କରୁଥିଲେ। ୧୯୯୨ରେ ସେ ଭାରତୀୟ ରାଜସ୍ୱ ସେବାରେ ସାମିଲ ହେଲେ। ୨୦୦୬ରେ ଚାକିରି ଛାଡ଼ି ଥିଲେ।

ରାଜନୀତିରେ କେଜରିଓ୍ୱାଲଙ୍କ ଏଣ୍ଟ୍ରି

୨୦୧୧ରେ କେଜିରଓ୍ୱାଲ ଆନ୍ନ ହଜାରେଙ୍କ ସହ ମିଶି ଜନଲୋକପାଳ ବିଲ୍‌ ଆଣିବା ପାଇଁ ଆନ୍ଦୋଳନ କରିଥିଲେ। ଏଥିପାଇଁ ସେ ଅନଶନରେ ବସିଥିଲେ। ଏହି ଛୋଟ ଆନ୍ଦୋଳନ ଧୀର ଧୀରେ ବଡ଼ ଆନ୍ଦୋଳନର ରୂପ ନେଲା। ଏହି ଆନ୍ଦୋଳନ ଆଗରେ ସରକାର ହାର୍‌ ମାନିଥିଲେ। ଜନଲୋକପାଳ ବିଲ୍‌ ପାସ୍‌ କରିବା ପ୍ରସ୍ତାବକୁ ସ୍ୱୀକାର କରିଥିଲେ। ତଥାପି ଏହି ବିଲ୍‌ ପାସ ହୋଇପାରିନଥିଲା। ଏହାପରେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହୋଇଥିଲା। ଏହି ଆନ୍ଦୋଳନ ଜରିଆରେ କେଜରିଓ୍ୱାଲ ରାଜନୀତିକୁ ପ୍ରବେଶ କରିଥିଲେ।

କେମିତି ଗଠନ ହେଲା ଆପ୍‌?

ଜନଲୋକପାଳ ବିଲ୍‌ ପାଇଁ କେଜରିଓ୍ୱାଲ ଆନ୍ଦୋଳନ କରିବା ପରେ ସେ ନିଜର ଏକ ରାଜନୈତିକ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ପରେ ଆନ୍ନା ହଜାରେ ଆନ୍ଦୋଳନରୁ ଦୂରେଇ ଯାଇଥିଲେ। ଆନ୍ଦୋଳନରେ ସାଥ୍‌ ଦେଇଥିବା ମନୀଷ ସିସୋଦିଆ, ପ୍ରଶାନ୍ତ ଭୂଷଣ, କୁମାର ବିଶ୍ୱାସ, ଗୋପାଳ ରାୟ, ଯୋଗେନ୍ଦ୍ର ଯାଦବଙ୍କ ସହ ମିଶି କେଜରିଓ୍ୱାଲ ନୂଆ ଦଳ ଗଠନ କରିଥିଲେ। ଅକ୍ଟୋବର ୨, ୨୦୧୨ରେ ଆମ୍‌ ଆଦମୀ ପାର୍ଟିର ଗଠନ ହେଲା। ଏହାର ଦଳୀୟ ଚିହ୍ନ ଝାଡ଼ୁ ରଖାଯାଇଥିଲା।

୨୦୧୩ରେ ଆପ୍‌ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିଥିଲା କଂଗ୍ରେସର ବରିଷ୍ଠ ନେତ୍ରୀ ଶିଲା ଦୀକ୍ଷିତଙ୍କୁ ହରାଇ କେଜରିଓ୍ୱାଲ ଚହଳ ସୃଷ୍ଟି କରିଥିଲେ। ପ୍ରଥମ ଥର ନିର୍ବାଚନ ଲଢ଼ିଥିବା ଆପ୍‌ ୨୮ଟି ଆସନ ସହିତ ଦିଲ୍ଲୀରେ ଏକ ବଡ଼ ପଲିଟିକାଲ ପାର୍ଟି ଭାବେ ଠିଆ ହୋଇଥିଲା। ଏହାପରେ କଂଗ୍ରେସ ସହ ଆପ୍‌ର ମେଣ୍ଟ ହେଲା। କେଜରିଓ୍ୱାଲ ମୁଖ୍ୟମନ୍ତ୍ରୀ ହେଲେ। ମାତ୍ର ଏହି ମେଣ୍ଟ ବେଶୀ ଦିନ ଚାଲିପାରିଲାନି।

୪୯ଦିନ ପରେ କେଜରିଓ୍ୱାଲଙ୍କ ଇସ୍ତଫା

ମୁଖ୍ୟମନ୍ତ୍ରୀ ହେବାର ମାତ୍ର ୪୯ ଦିନ ପରେ କେଜରିଓ୍ୱାଲ ନିଜ ପଦରୁ ଇସ୍ତଫା ଦେଇଥିଲେ। ବିଜେପି ଓ କଂଗ୍ରେସ ଜନଲୋକପାଳ ବିଲ୍‌ ପାସ୍‌ କରିବାକୁ ଦେଉନାହାନ୍ତି ବୋଲି ଅଭିଯୋଗ କରି ସେ ଏହି ଇସ୍ତଫା ଦେଇଥିଲେ। ଏହାପରେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା।

୨୦୧୫ରେ ପ୍ରବଳ ବହୁମତ ସହ ଫେରିଲା ଆପ୍‌

୨୦୧୫ରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହୋଇଥିଲା। ସମୁଦାୟ ୭୦ଟି ଆସନରୁ ୬୭ଟି ଆସନରେ ଆପ୍‌ ବିଜୟୀ ହୋଇଥିଲା। ବିଜେପି ମାତ୍ର ୩ଟି ଆସନ ହାସଲ କରିଥିଲା। ଦୀର୍ଘ ୧୫ ବର୍ଷ ଦିଲ୍ଲୀରେ ଶାସନ କରିଥିବା କଂଗ୍ରେସ ଏଥର ଖାତା ଖୋଲିପାରିନଥିଲା।

Comment