ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୬ ଡବଲ ମର୍ଡର ଘଟଣାରେ ବନ୍ଧା ହେଲେ ଅନୁପ ସାଏ।

ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଏବେ ଅଡୁଆରେ। କେବଳ ସେ ଅଡୁଆରେ ନାହାନ୍ତି, ବିଜେଡିକୁ ବି ଅଡୁଆରେ ପକାଇଛନ୍ତି। ୨୦୧୪ ପୂର୍ବରୁ ଅନୁପ ବିଜେଡିକୁ ଅଡୁଆରେ ପକାଇ ଆସୁଥିଲେ। ଏବେ ୨୦୧୬ ମସିହାର ଡବଲ ମର୍ଡର ଘଟଣାରେ ଅନୁପ ବିଜେଡି ପାଇଁ ଅଡୁଆ ସୃଷ୍ଟି କରିଛନ୍ତି।

ବିରୋଧୀ ବିଜେଡିକୁ ଘେରିବା ପୂର୍ବରୁ ଦଳ ତାଙ୍କ ହାତ ଛାଡ଼ି ଦେଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପଙ୍କୁ ଦଳରୁ ବହିଷ୍କାର କରିବା ସହ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ବିଦା କରିଛନ୍ତି। ଏବେ ଅନୁପ ପୋଲିସ ହେପାଜତରେ ଅଛନ୍ତି। ହେଲେ ଯେଉଁ ଘଟଣା ପାଇଁ ବିଜେଡି ଅନୁପଙ୍କ ହାତ ଛାଡ଼ିଦେଲା ସେହି ଘଟଣା ବିଜେଡିରେ ଥିବା ବେଳେ ହିଁ ଘଟିଥିଲା। ଏଣୁ ବିରୋଧୀ ଏହି ପ୍ରସଙ୍ଗକୁ ଛାଡୁଛନ୍ତି ନା ଧରୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

୨୦୧୪ ପୂର୍ବରୁ ଅନୁପ

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଟାଣୁଆ ନେତା ଥିଲେ ଅନୁପ ସାଏ। ଯେତେବେଳେ ସାରା ରାଜ୍ୟରେ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ହାୱା ବହୁଥିଲା ସେତେବେଳେ ବ୍ରଜରାଜନଗରରେ ଏହାର କାଣିଚାଏ ପ୍ରଭାବ ପଡ଼ି ନଥିଲା। ଅନୁପଙ୍କ ଦକ୍ଷ ସଙ୍ଗଠନ ଆଗରେ ବିଜେଡି ହାର ମାନୁଥିଲା। ଫଳରେ ଅନୁପ ୨୦୦୦ରୁ ୨୦୧୪ ଯାଏଁ କଂଗ୍ରେସ ଟିକେଟରୁ ଲଗାତର ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

କଂଗ୍ରେସରେ ଥିବା ବେଳେ ଅନୁପ ଶାସକ ବିଜେଡିକୁ କଥା କଥାକେ ଘେରୁଥିଲେ। ବିଧାନସଭା ଭିତରେ ଏବଂ ବାହାରେ ଅନୁପ ବିଜେଡିକୁ କଟୁ ସମାଲୋଚନା କରିବାକୁ ପଛାଉ ନଥିଲେ। ବିରୋଧୀ ଦଳରେ ଥିବା ବେଳେ ଅନୁପ ବିଜେଡିକୁ ଅଡୁଆରେ ପକାଇ ଆସୁଥିଲେ। ୨୦୦୪ରୁ ୨୦୦୯ ବିଧାନସଭା ଅଧିବେଶନକୁ ଯେଉଁମାନେ ଦେଖିଛନ୍ତି ସେମାନେ ହିଁ ଜାଣିଛନ୍ତି ଅନୁପ ଶାସକ ବିଜେଡିକୁ ଅଡୁଆରେ ପକାଇବା ପାଇଁ କେମିତି ଅସ୍ତ୍ର ପ୍ରୟୋଗ କରୁଥିଲେ।

୨୦୦୪ରୁ ୨୦୦୯ ଯାଏଁ ଓଡ଼ିଶାରେ ଚାଲିଥିଲା ବିଜେପି-ବିଜେଡି ମେଣ୍ଟ ସରକାର। ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ। ଏହି ସମୟରେ ବିଧାନସଭାର ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା କଂଗ୍ରେସ। ବିରୋଧୀ ଦଳ ନେତା ଥିଲେ ଜାନକୀବଲ୍ଲଭ ପଟ୍ଟନାୟକ। କଂଗ୍ରେସର ବିଧାୟକ ସଂଖ୍ୟା ବି ୩୦ ଉପରେ ରହିଥିଲା। ଏଣୁ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ସରକାରଙ୍କୁ ଅଡୁଆରେ ପକାଉଥିଲେ।

କଂଗ୍ରେସର ଯେଉଁ କିଛି ବିଧାୟକ ସରକାରଙ୍କୁ ଅଡୁଆରେ ପକାଉଥିଲେ ସେମାନଙ୍କ ଭିତରେ ଅନୁପ ଥିଲେ ଅନ୍ୟତମ। ଗୃହରେ ଘଣ୍ଟ ବଜାଇବାଠାରୁ ଆରମ୍ଭ କରି ମୃଦଙ୍ଗ ବଜାଇବା, ମୁଖ୍ୟମନ୍ତ୍ରୀଙ୍କ ଗୋଡରେ ଟେବୁଲ ପକାଇବାଠୁ ଆରମ୍ଭ କରି ରେଜା ପଇସା ଆଣି ହୋ ହଲ୍ଲା କରିବାକୁ ନେଇ ଅନୁପ ଚର୍ଚ୍ଚାରେ ରହିଥିଲେ।

୨୦୦୯ରେ ବି ଅନୁପ ବିଧାନସଭାକୁ ଆସିଥିଲେ। ହେଲେ ପୂର୍ବ ଭଳି ତାଙ୍କର ଦବଦବା ରହି ନଥିଲା। କାରଣ କଂଗ୍ରେସର ବହୁ ତୁଙ୍ଗ ନେତା ପରାଜିତ ହୋଇଥିଲେ। ଭୁପିନ୍ଦର ସିଂ ବିରୋଧୀ ଦଳ ନେତା ରହିଥିଲେ। ଅନୁପ ମଧ୍ୟ ସରକାରଙ୍କୁ ସମାଲୋଚନା କରୁଥିଲେ। ହେଲେ ୨୦୦୪ରୁ ୨୦୦୯ ଯାଏଁ ଯେମିତି ଢଙ୍ଗରେ ଅନୁପ ସରକାରଙ୍କୁ ଘେରୁଥିଲେ ତାହା ୨୦୦୯ ପରେ ଦେଖିବାକୁ ମିଳି ନଥିଲା।

ଯେଉଁ ଅନୁପ ନବୀନ ଏବଂ ବିଜେଡିର କଟ୍ଟର ବିରୋଧୀ ଥିଲେ। ସେ ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡି ହାତ ଧରିଥିଲେ।

୨୦୧୪ ପରେ ଅନୁପ

ପଶ୍ଚିମ ଓଡ଼ିଶାର ପ୍ରମୁଖ ଜିଲ୍ଲା ଝାରସୁଗୁଡ଼ାକୁ କବ୍‌ଜାକୁ ଆଣିବା ପାଇଁ ବିଜେଡି ଅଭିଯାନ ଆରମ୍ଭ କରିଥିଲା। ତିନି ତିନି ଥର କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିବା ଅନୁପଙ୍କୁ ବିଜେଡି ଦଳରେ ମିଶାଇଥିଲା। ୨୦୧୪ ନିର୍ବାଚନରେ ଅନୁପଙ୍କୁ ବ୍ରଜରାଜନଗରରୁ ଟିକେଟ ଦେଇଥିଲା ବିଜେଡି। ହେଲେ ବିଜେଡିର ଏହି ଗୋଟି କାମ କରି ନଥିଲା। ଫାଇଦା ବିଜେପିକୁ ଯାଇଥିଲା।

ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କଠାରୁ ଅନୁପ ପରାଜିତ ହୋଇଥିଲେ। ଏହି ପରାଜୟ ଅନୁପ ଏବଂ ବିଜେଡି ପାଇଁ ବଡ଼ ଧକ୍କା ଥିଲା। ଶେଷରେ ଅନୁପଙ୍କୁ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିଲା।  ହେଲେ ୨୦୧୪ ପୂର୍ବରୁ କଂଗ୍ରେସ ରାଜନୀତିରେ ଅନୁପ ଯେମିତି ସକ୍ରିୟ ଥିଲେ ତାହା ବିଜେଡିରେ ଦେଖିବାକୁ ମିଳି ନଥିଲା।

୨୦୧୯ ନିର୍ବାଚନରେ ଅନୁପ ଟିକେଟ ପାଇଁ ଆଶାୟୀ ଥିଲେ। କିନ୍ତୁ ତାହା ସମ୍ଭବ ହୋଇ ନଥିଲା। ୨୦୧୯ରେ ରାଜ୍ୟ ରାଜନୀତି ପାଣିପାଗ ବଦଳି ଯାଇଥିଲା। ଝାରସୁଗୁଡ଼ା ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ନବ ଦାସ କଂଗ୍ରେସ ଛାଡ଼ି ବିଜେଡି ଆସିଥିଲେ। ଫଳରେ ନବଙ୍କୁ ବିଜେଡି ଝାରସୁଗୁଡ଼ାରେ ଟିକେଟ ଦେଇଥିଲା।

ନବଙ୍କୁ ଟିକେଟ ମିଳିବା ପରେ ମୂଳ ବିଜେଡି ନେତା କିଶୋର ମହାନ୍ତି ଋଷିଥିଲେ। ଏଣୁ ମାନ ଭଞ୍ଜନ କରିବା ପାଇଁ ବିଜେଡି ବ୍ରଜରାଜନଗରରେ କିଶୋରଙ୍କୁ ଟିକେଟ ଦେଇଥିଲା। ନବ-କିଶୋରଙ୍କୁ ଥଇଥାନ କରି ବିଜେଡି ଅନୁପଙ୍କୁ ବଳି ପକାଇ ଦେଇଥିଲା।

ନିର୍ବାଚନ ପରେ ଅନୁପଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ କରାଯାଇଥିଲା। ହେଲେ ଏହି ପଦ ବେଶୀ ଦିନ ରହିଲା ନାହିଁ। ୨୦୧୬ର ଡବଲ ମର୍ଡର ଘଟଣାରେ ଏହି ପଦବୀ ଚାଲି ଯାଇଛି। ଏବେ ଅନୁପ ଛତିଶଗଡ଼ ପୋଲି ହେପାଜତରେ ରହିଛନ୍ତି।

୨୦୧୪ ନିର୍ବାଚନ ପୂର୍ବରୁ କଂଗ୍ରେସରେ ଥାଇ ବିଜେଡିକୁ ଅଡୁଆରେ ପକାଉଥିବା ଅନୁପ ଏବେ ଦଳରେ ଥାଇ ମଧ୍ୟ ବିଜେଡିକୁ ଅଡୁଆରେ ପକାଇଛନ୍ତି।

Comment