ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାୟଗଡ଼ ଡବଲ ମର୍ଡର ଘଟଣାରେ ଅନୁପ ସାଏଙ୍କ ମୁଖା ଖୋଲିଲା ପୋଲିସ। ମୃତ ମହିଳାଙ୍କ ସ୍ଵାମୀ ରଖିଲେ ପ୍ରତିକ୍ରିୟା।

“ମୋ ୧୪ ବର୍ଷର ଝିଅ କ’ଣ ଅପରାଧ କରିଥିଲା? ତାକୁ ବି ଛାଡ଼ିଲାନି, ମୋ ନିରୀହ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ପରିଚୟ ନଷ୍ଟ କରିବା ପାଇଁ ତା ମୁହଁରେ ଗାଡ଼ି ଚଢ଼ାଇ ଦିଆଯାଇଛି। ଅନୁପଙ୍କୁ ଫାଶୀ ହେବା ଦରକାର। ମୁଁ ଛତିଶଗଡ଼ ପୋଲିସକୁ ଧନ୍ୟବାଦ ଦେଉଛି ଏତେ ପୁରୁଣା ଘଟଣାର ସତ୍ୟତା ସାମ୍ନାକୁ ଆଣିଛନ୍ତି” କହିଛନ୍ତି କଳ୍ପନା ଦାସ୍‌ଙ୍କ ସ୍ଵାମୀ।

୨୦୧୬ ଛତିଶଗଡ଼ ସୀମାରେ କଳ୍ପନା ଓ ତାଙ୍କ ୧୬ ବର୍ଷର ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟା ଅଭିଯୋଗରେ ରାୟଗଡ଼ ପୋଲିସ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଝାରସୁଗୁଡ଼ାରୁ ଗିରଫ କରିଥିଲା। ଗିରଫ ପରେ ସବୁ କଥା ସାମ୍ନାକୁ ଆସିଥିଲା।

ନିଜେ ଅନୁପ ସାଏ କଳ୍ପନା ଓ ତାଙ୍କ ଝିଅକୁ ହତ୍ୟା କରିଥିବା ରାୟଗଡ଼ ପୋଲିସ ଆଗରେ କହିଥିଲେ। ଗିରଫ ପରେ ଏବେ ଅଧିକ ତଥ୍ୟ ପାଇଁ ଅନୁପଙ୍କ ନାର୍କୋ ଟେଷ୍ଟ କରିବ ପୋଲିସ।

ପୋଲିସ କହିବା ଅନୁୟାୟୀ, ୨୦୦୫ରେ କଳ୍ପନାଙ୍କ ସହ ତାଙ୍କ ସ୍ଵାମୀଙ୍କର ଛାଡ଼ପତ୍ର ହୋଇଥିଲା। ପରେ କଳ୍ପନା ଅନୁପଙ୍କ ସଂପର୍କରେ ଆସିଥିଲେ। ଉଭୟ ୫ ବର୍ଷ ଧରି ଭୁବନେଶ୍ଵରରେ ରହିଥିଲେ। ପରେ କଳ୍ପନା ଅନୁପଙ୍କୁ ବିବାହ କଥା କହିଥିଲେ। ଏହି କଥା ଅନୁପଙ୍କ ଚିନ୍ତା ବଢ଼ାଇ ଦେଇଥିଲା।

କଳ୍ପନାକୁ ବିବାହର ପ୍ରତିଶ୍ରୁତି ଦେଇ ନିଜ ବିଶ୍ଵସ୍ତ ଡ୍ରାଇଭର ସହାୟତାରେ ରାୟଗଡ଼ ନେଇଯାଇଥିଲେ। ସେଠାରେ ଏକ ଜଙ୍ଗଲ ପାଖରେ ଗାଡ଼ି ରଖି ରଡ୍‌ରେ ପିଟିପିଟି କଳ୍ପନାକୁ ହତ୍ୟା କରିଥିଲେ। ହତ୍ୟା ବିଷୟରେ କଳ୍ପନାଙ୍କ ଝିଅ ଜାଣିଥିବାରୁ ତାକୁ ମଧ୍ୟ ହତ୍ୟା କରିଥିଲେ। ପରେ ମୃତଦେହକୁ ଛତିଶଗଡ଼ ସୀମାରେ ପକାଇ ଗାଡ଼ି ଚଢ଼ାଇ ପରିଚୟ ନଷ୍ଟ କରି ଦେଇଥିଲେ।

LEAVE A REPLY

Please enter your comment!
Please enter your name here