ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା ପାଇଁ ସାରା ଦେଶ ବର୍ତ୍ତମାନ ଲକ୍‌ଡାଉନ୍‌। ଏଥିପାଇଁ ରେଳ ପଥରେ ଚାଲି ଚାଲି ଅନ୍ୟ ରାଜ୍ୟକୁ ଯାଉଥିଲେ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରିଛି ରାୟଗଡ଼ା ପୋଲିସ। ୭ ଜଣ ଶ୍ରମିକ ଆନ୍ଧ୍ର-ଓଡିଶା ସୀମାନ୍ତ କୁନେରୁର ସୋଲୁଆରୁ ଛତିଶଗଡ ଅଭିମୁଖେ ଯାଉଥିଲେ।

ଉଦ୍ଧାର ଶ୍ରମିକମାନେ ସମସ୍ତେ ଛତିଶଗଡ଼ର ରାଜନାଦ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବୋଲି ଜଣାପଡ଼ିଛି। ଦୀର୍ଘ ୪ ମାସ ଧରି ସମସ୍ତେ କୁନେରୁର ସୋଲୁଆ ଗ୍ରାମରେ ରହି ଜଣେ ରେଳବାଇ କଣ୍ଟ୍ରାକ୍ଟର ଅଧିନରେ କାମ କରୁଥିଲେ। ଲକ୍‌ଡାଉନ୍‌ ପରେ ରୋଜଗାର ବନ୍ଦ ହୋଇଯିବା ପରେ ଏମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ପରେ ରେଳ ଲାଇନରେ ଚାଲି ଚାଲି ନିଜ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ରାୟଗଡ଼ା ଟାଉନ ଥାନା ପୋଲିସ ଏମାନଙ୍କୁ ଅଟକ ରଖି ପ୍ରଶାସନକୁ ହସ୍ତାନ୍ତର କରିଛି। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କଲା ପରେ ସେମାନଙ୍କୁ କ୍ଵାରେଣ୍ଟାଇନ୍‌କୁ ପଠାଯାଇଥିବା ସୂଚନା ମିଳିଛି।

Comment