ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦିନେ ଏନ୍‌ସିପିର ରାଜ୍ୟ ସଭାପତି ଥିବା ଉତ୍କଳ ଏବେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡିର ମଙ୍ଗ ଧରିଲେ।

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡିର ସଭାପତି ଭାବରେ ଆଜି ବରିଷ୍ଠ ରାଜନେତା ଉତ୍କଳ ପରିଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡିର ସଭାପତି ପଦ ପାଇଁ ଶୁକ୍ରବାର ସାଙ୍ଗଠନିକ ନିର୍ବାଚନ ହେବାର ଥିଲା। ହେଲେ ଏକମାତ୍ର ପ୍ରାର୍ଥୀ ଭାବରେ ଉତ୍କଳ ତାଙ୍କର ପ୍ରସ୍ତାବକ ଓ ସମର୍ଥକମାନଙ୍କ ସହିତ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ପ୍ରସ୍ତାବକ ରହିଥିବା ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା ସମର୍ଥକ ରହିଥିଲେ। ନିର୍ବାଚନ ପରିଚାଳନା କରୁଥିବା କେନ୍ଦ୍ରାପଡା ପୌର ସଂସ୍ଥାର ପୂର୍ବତନ ଅଧ୍ୟକ୍ଷ ଧୀରେନ କୁମାର ସାହୁ କେନ୍ଦ୍ରାପଡା ଜିଲ୍ଲା ବିଜେଡିର ସଭାପତି ଭାବେ ଉତ୍କଳ କେଶରୀ ପରିଡାଙ୍କୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ଘୋଷଣା କରିଥିଲେ। ଉତ୍କଳ ଜିଲ୍ଲା ବିଜେଡିର ସଭାପତି ଭାବରେ ଘୋଷିତ ହେବାପରେ ସାରା ଜିଲ୍ଲାରୁ ଆସିଥିବା ବିଜେଡି କର୍ମୀମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଓ ଫୁଲହାର ପିନ୍ଧାଇ ଶୁଭେଚ୍ଛା ଜଣାଇଥିଲେ। ବିଜୁ ଲିଗାସୀଙ୍କର ପୁନର୍ବାର ବିଧିବଦ୍ଧ ଗୃହ ପ୍ରବେଶ ହୋଇଥିବାରୁ ବିଜେଡି ପରିବାରରେ ଆନନ୍ଦ ଖେଳିଯାଇଛି ।

ଉତ୍କଳ କେଶରୀ ପରିଡାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରୁ। ୧୯୯୦ରୁ ୧୯୯୫ ବିଜୁବାବୁ ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ବେଳେ ଉତ୍କଳ ଜନତାଦଳ ସମର୍ଥନରେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ବିଜୁବାବୁଙ୍କ ଦେହାନ୍ତ ପରେ ନବଗଠିତ ବିଜୁ ଜନତାଦଳରେ ବିଜୟ ମହାପାତ୍ରଙ୍କ ଦୃଢ ସମର୍ଥକ ଥିବା ଉତ୍କଳ ସାମିଲ ହୋଇଥିଲେ। ୨୦୦୦ ମସିହାରେ ବିଜୁ ଜନତା ଦଳରୁ ବିଜୟଙ୍କ ଟିକେଟ କଟିବା ପରେ ବିଜୟଙ୍କ ସହିତ ଉତ୍କଳ ବିଜେଡି ଛାଡ଼ିଥିଲେ।

ବିଜେଡି ଛାଡ଼ିବା ପରେ ବିଜୟ ମହାପାତ୍ର ଓଡିଶା ଗଣ ପରିଷଦ ବା ଓଜିପି ନାମରେ ନୂଆ ରାଜନୈତିକ ଦଳ ଗଠନ କରିଥିଲେ। ୨୦୦୪ ମସିହା ସାଧାରଣ ନିର୍ବାଚନରେ ବିଜୟଙ୍କ ଓଜିପି ଦଳ ସହିତ କଂଗ୍ରେସର ଗଠବନ୍ଧନରେ କେନ୍ଦ୍ରାପଡା ବିଧାନସଭା ଆସନରୁ ଉତ୍କଳ ଓଜିପିର ପ୍ରାର୍ଥୀ ଭାବରେ କପ୍ ପ୍ଲେଟ ଚିହ୍ନରେ ଲଢିଥିଲେ। ତତ୍କାଳୀନ ବିଜେଡି-ବିଜେପି ମେଣ୍ଟରୁ ବିଜେପି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲାଙ୍କୁ ପରାସ୍ତ କରି ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଓଜିପିର ବିଧାୟକ ଥିଲେ ଉତ୍କଳ।

୨୦୦୯ ସାଧାରଣ ନିର୍ବାଚନରେ ଓଜିପିକୁ ଏନସିପିରେ ମିଶ୍ରଣ କରିଥିଲେ ବିଜୟ। ଏହି ସମୟରେ ବିଜୟ ଉତ୍କଳଙ୍କୁ ରାଜ୍ୟ ଏନସିପିର ସଭାପତି କରାଇଥିଲେ। କିଛିଦିନ ପରେ ଏନସିପି ବିଜେଡିରେ ମିଶିଯିବା ପରେ ବିଜୟ ବିଜେପିରେ ମିଶିଗଲେ। ବିଜେପି ସହିତ ବିଜୟଙ୍କର ମତଭେଦ ହେବାପରେ ବିଜେପିର ଏକ ଶକ୍ତିଶାଳୀ ଗୋଷ୍ଠୀ ବିଜୟଙ୍କୁ ଦଳୀୟ ସଙ୍ଗଠନଠାରୁ ଦୂରେଇ ରଖିଥିଲା। ଉତ୍କଳ ୨୦୧୭ ମସିହାରେ କେନ୍ଦ୍ରାପଡାର ଇଛାପୁର ବଳଦେବଜୀୟୁଙ୍କ ରଥଦାଣ୍ଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହୋଇଥିଲେ।

୨୦୧୭ରୁ ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଉତ୍କଳ ବିଜେପିକୁ କେନ୍ଦ୍ରାପଡା ଜିଲ୍ଲାରେ ତୃଣମୂଳ ସ୍ତରରୁ ମଜଭୂତ କରିବାକୁ ଅଣ୍ଟା ଭିଡିଥିଲେ। ପାଟକୁରା ଆସନରୁ ୨୦୧୯ ନିର୍ବାଚନରେ ବିଜେପିରୁ ଲଢିବାକୁ ସମସ୍ତ ଯୋଜନା କରିସାରିଥିଲେ ଉତ୍କଳ। ଉତ୍କଳ ପାଟକୁରାରେ ବିଜେପିର ସଙ୍ଗଠନକୁ ସଜାଡି ସାରିଥିବା ବେଳେ ବିଜେପିର କେନ୍ଦ୍ରୀୟ ମୁଖିଆ ବିଜୟଙ୍କୁ ପୁଣି କେନ୍ଦ୍ରାପଡାରେ ବିଜେପିର ସକ୍ରିୟ ସାଙ୍ଗଠନିକ ଦିୟିତ୍ୱ ପ୍ରଦାନ କରିବାରୁ ଉତ୍କଳ ବିଜେପି ଛାଡି ନବୀନ ନିବାସରେ ବିଜେଡିରେ ସାମିଲ ହୋଇଯାଇଥିଲେ। ଉତ୍କଳଙ୍କ ସ୍ଥାନରେ ବିଜୟଙ୍କୁ ବିଜେପି ୨୦୧୯ ନିର୍ବାଚନରେ ପାଟକୁରା ଆସନରୁ ଲଢିବାକୁ ଟିକେଟ ଦେଇଥିଲା।  ତେବେ ବିଜୟଙ୍କ ସହ ଉତ୍କଳଙ୍କ ସମ୍ପର୍କ କାହିଁକି ତିକ୍ତ ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି।

ବିଜୟଙ୍କୁ ଟକ୍କର ଦେବାକୁ ଉତ୍କଳଙ୍କୁ ଏକ ଅସ୍ତ୍ର ଭାବରେ ପାଇଲା ବିଜେଡି। ଉତ୍କଳ ଅସ୍ତ୍ରକୁ ବ୍ୟବହାର କରି ପାଟକୁରା ନିର୍ବାଚନରେ ବିଜୟଙ୍କୁ ପରାସ୍ତ କରିବାରେ ସମର୍ଥ ହୋଇଥିଲା ବିଜେଡି। ଏହାପରେ ଦଳରେ ଉତ୍କଳଙ୍କ ଗୁରୁତ୍ୱ ବୃଦ୍ଧି ପାଇଥିଲା। ଇତିମଧ୍ୟରେ ଉତ୍କଳଙ୍କୁ ନବୀନ ଚିଲିକା ଉନ୍ନୟନ ପରିଷଦର ଉପଦେଷ୍ଟା ପଦବୀରେ ନିଯୁକ୍ତ କରିଛନ୍ତି।

କେନ୍ଦ୍ରାପଡା ଜିଲ୍ଲାର ଉନ୍ନୟନ ଦାୟିତ୍ୱ ନିଜେ ନବୀନ ପଟ୍ଟନାୟକ ନେବାକୁ ନିର୍ବାଚନ ସମୟରେ ଘୋଷଣା କରିଥିଲେ। ପରେପରେ ପାଟକୁରା ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ପାଟକୁରାର ଉନ୍ନୟନ ଦାୟିତ୍ୱ ନେବାକୁ ନବୀନ ନିଜେ ଘୋଷଣା କରିଥିଲେ। ଦଳକୁ ତୃଣମୂଳ ସ୍ତରରେ ସୁଦୃଢ କରିବାକୁ ନବୀନ ପୁଣି ଉତ୍କଳଙ୍କ ଉପରେ ଭରସା କରିଛନ୍ତି।
୨୦୧୯ ସାଧାରଣ ନିର୍ବାଚନ ସମୟରେ କେନ୍ଦ୍ରାପଡା ବିଧାନସଭା ଆସନରୁ ପୂର୍ବତନ ବିଧାୟକ କିଶୋର ତରାଇଙ୍କ ଟିକେଟ କାଟି ଶଶୀଭୂଷଣ ବେହେରାଙ୍କୁ ବିଜେଡି ଏଠାରୁ ପ୍ରାର୍ଥୀ କରିଥିଲା। କିଶୋର ବିଦ୍ରୋହୀ ପ୍ରାର୍ଥୀ ଭାବେ ଛିଡା ହେବାକୁ ପ୍ରସ୍ତୁତ ହେଉଥିବା ଜାଣି କିଶୋରଙ୍କୁ ସନ୍ତୁଷ୍ଟ କରିଥିଲା ଦଳ। ରାଜନଗରର ବର୍ତ୍ତମାନ ବିଧାୟକ ଧ୍ରୁବ ସାହୁଙ୍କଠାରୁ ସଭାପତି ପଦ କାଢ଼ି କିଶୋରଙ୍କୁ ପ୍ରଦାନ କରାଯାଇଥିଲା।

ନିର୍ବାଚନ ପରେ କିଶୋରଙ୍କ ଉପରେ ନବୀନ ଖପ୍ପା ହୋଇଥିବା କୁହାଯାଉଛି। ଏହାର କାରଣ ମଧ୍ୟ ଅନେକ ଥିବା କୁହାଯାଉଛି। କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଦୁଇଟି ଗ୍ରାମ ପଞ୍ଚାୟତର ଉପନିର୍ବାଚନରେ କେନ୍ଦ୍ରାପଡା ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ପରାଜିତ କରି କିଶୋର କୁଆଡେ ତାଙ୍କର ନିଜ ସମର୍ଥିତ ପ୍ରାର୍ଥୀମାନଙ୍କୁ ବିଜୟୀ କରାଇ ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗ ହୋଇଥିଲା। ଏ କଥା ପହଞ୍ଚିଥିଲା ନବୀନ ନିବାସରେ। ଏଣୁ କିଶୋରଙ୍କ ଜାଗାରେ ଉତ୍କଳଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଥିବା ଚର୍ଚ୍ଚା ହେଉଛଇ।

କୁହାଯାଉଛି ଗୋଟିଏ ଗୁଳିରେ ଏବେ ଦୁଇଟି ଶିକାର କରିଛି ବିଜେଡି। ଗୋଟିଏପଟେ କିଶୋରଙ୍କୁ କ୍ଷମତାଚ୍ୟୁତ କରିବା ସହିତ କେନ୍ଦ୍ରାପଡ଼ାରେ ବିଜୟଙ୍କ ଦୁର୍ଗ ଭାଙ୍ଗିବା ପାଇଁ ତାଙ୍କ ରାଜନୀତିକ ଛାତ୍ର ଉତ୍କଳଙ୍କୁ ଦଳ ଗୁରୁ ଦାୟିତ୍ୱ ଦେଇଥିବା ଆଲୋଚନା ହେଉଛି।

Comment