ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଗାତର ଅଷ୍ଟମ ଥର ଲାଗି ବିଜୁ ଜନତା ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟାନାୟକ। ଦଳୀୟ କାର୍ଯ୍ୟାଳୟରେ ବସିଥିବା ରାଜ୍ୟ ପରିଷଦ ବୈଠକରେ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ତାଙ୍କ ନାଁ ଘୋଷଣା କରିଛନ୍ତି।

ସଭାପତି ପଦ ପାଇଁ ଗତ ୨୩ ତାରିଖରେ ନବୀନ ଏକାକୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେ ର୍ନିଦ୍ୱନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବୈଠକରେ ସମସ୍ତ ସାଂସଦ, ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ଛାତ୍ର ବିଜେଡି, ମହିଳା ବିଜେଡି ଏବଂ ଅନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ।

‘‘ଲୋକଙ୍କ ସେବା ପାଇଁ ଭଲପାଇବା ପାଇବା ପାଇଁ ବିଜେଡି ଲଢ଼େ। ନିର୍ବାଚନ ଜିତିବାକୁ ନୁହେଁ। ଲୋକଙ୍କ ହୃଦୟ ଜିତିବାକୁ କାମ କରିବାକୁ ସର୍ବଦା କହୁଥିଲେ ବିଜୁବାବୁ’’, ଦାୟିତ୍ୱ ଗ୍ରହଣ ପରେ ବିଜବାବୁ ଦେଇଥିବା ପରାମର୍ଶକୁ ନବୀନ ମନେ ପକାଇ ଏହି କଥା କହିଛନ୍ତି।

ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନବୀନ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଏଥିସହିତ ରାଜ୍ୟ କାର୍ଯ୍ୟକାରିଣୀକୁ ନିର୍ବାଚିତ ହୋଇଥିବା ୮୦ ଜଣ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି। ଏହି ସଦସ୍ୟମାନେ ମଧ୍ୟ ୨୩ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

Comment