ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାରେ ଆସନ୍ତା ଗ୍ରୀଷ୍ମ ଋତୁରେ ତାପମାତ୍ରା ୪୩ ଡିଗ୍ରୀ ଓ ତାହାଠାରୁ ଅଧିକ ଟପିପାରେ। ମୁଖ୍ୟତଃ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସ ପାଇଁ ଏହି ପାଣିପାଗ ଆକଳନ କରାଯାଇଛି। ଦେଶର ସବୁଠାରୁ ଉତ୍ତପ୍ତ ଅଞ୍ଚଳରେ ତାପମାନ ସାଧାରଣ ତାପମାନଠାରୁ ଅଧିକ ରହିବ ବୋଲି ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି।

ପ୍ରାକ ମୌସୁମୀ ସମୟରେ ଦେଶର କେତେକ ରାଜ୍ୟରେ ତାପମାତ୍ରା ସାଧାରଣ ତାପମାତ୍ରା ତୁଳନାରେ ପ୍ରାୟ ଏକ ଡିଗ୍ରୀ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସବୁ ରାଜ୍ୟ ହେଲା ଓଡ଼ିଶା, ଜାମ୍ମୁ କାଶ୍ମୀର, ହରିୟାଣା, ଚଣ୍ଡୀଗଡ଼, ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ ଓ ପୂର୍ବ ରାଜସ୍ଥାନ।

ଏପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଉତ୍ତର ପଶ୍ଚିମ ଦିଗରୁ ଗରମ ପବନ ବହିବା ଫଳରେ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ତା’ଛଡ଼ା, କ୍ରମବର୍ଦ୍ଧିଷ୍ଣୁ ସହରିକରଣ ଓ ସମୁଦ୍ର ଜଳରେ ତାପମାନ ବୃଦ୍ଧି ଯୋଗୁଁ ଏବର୍ଷ ପାରଦ ଉପର ସ୍ତରରେ ହିଁ ରହିବ। ସାଧାରଣତଃ ଗ୍ରୀଷ୍ମପ୍ରବାହ ସତର୍କ ସୂଚନା ଦିଆଯାଇଥାଏ ଯେତେବେଳେ ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ୪/୫ ଡିଗ୍ରୀ ଅଧିକ ହୋଇଥାଏ।

Comment