ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୪ ନିର୍ବାଚନ ପୂର୍ବରୁ ୨୦୨୩ରେ ଓଡ଼ିଶାରେ ହେବ ହକି ବିଶ୍ୱକପ୍‌।

ହକିରେ ବି ଭୋଟ ଅଛି! ଏକଥାକୁ ଆଉ କିଏ ବୁଝୁ କି ନବୁଝୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲଭାବେ ବୁଝିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ହକି ବିଶ୍ୱକପ୍‌ ଆୟୋଜନ ହେବା ପରେ ୨୦୨୪ ନିର୍ବାଚନ ଉପରେ ଏବେ ନବୀନଙ୍କ ନଜର ରହିଛି। ୨୦୨୩ରେ ହକି ବିଶ୍ୱକପ୍‌ ଆୟୋଜନ କରି ନବୀନ ୨୦୨୪ ନିର୍ବଚନ ବୈତରଣୀ ପାର୍ ହେବାକୁ ଗୋଟି ଚାଳନା କରୁଥିବା ଚର୍ଚ୍ଚା ହେଉଛି।

ଗତ ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଯାଇଥିଲେ। ୧୫୦୦ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ସୁନ୍ଦରଗଡ଼ବାସୀଙ୍କ ପାଇଁ ଉତ୍ସର୍ଗ କରିବା ସହ ଭବାନୀଭବନ ପଡ଼ିଆରେ ଆୟୋଜିତ ଦଳୀୟ ସମାବେଶରେ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ନବୀନ ୨୦୨୩ ହକି ବିଶ୍ୱକପ୍‌ କଥା କହିଥିଲେ।

‘‘ସୁନ୍ଦରଗଡ଼ ହେଉଛି ହକିର ପ୍ରାଣକେନ୍ଦ୍ର। ହକି ଖେଳକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି। ହକିର ବିକାଶ ପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି ସରକାର। ୨୦୨୩ରେ ପୁଣିଥରେ ହକି ବିଶ୍ୱକପ୍‌ ଓଡ଼ିଶାରେ ଆୟୋଜନ କରାଯିବ। ରାଉରକେଲା ଷ୍ଟାଡିୟମରେ ହକି ମ୍ୟାଚ ଅନୁଷ୍ଠିତ ହେବ’’, କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜନୀତି ପାଣିପାଗ ତାତିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୩ରେ ହକି ବିଶ୍ୱକପ୍‌ ଆୟୋଜନ କରି ବିଜେଡି ସରକାର ପୁଣିଥରେ ଲୋକଙ୍କ ନିକଟତର ହେବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। ତେବେ ସୁନ୍ଦରଗଡ଼ରେ ହକି ବିଶ୍ୱକପ୍‌ କାହିଁକି ବୋଲି ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ସୁନ୍ଦରଗଡ଼ ହେଉଛି ହକିର ପ୍ରାଣକେନ୍ଦ୍ର। ଏହି ଜିଲ୍ଲାରୁ ହିଁ ବହୁ ଖେଳାଳି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଦିଲ୍ଲୀପ ତିର୍କୀଙ୍କଠାରୁ ଆରମ୍ଭ କରି ସୁନିତା ଲାକ୍ରାଙ୍କ ପର୍ଯ୍ୟନ୍ତ ହକି ତାରକା ଓଡ଼ିଶା ପାଇଁ ଗୌରବ ଆଣିଦେଇଛନ୍ତି। ଏଣୁ ସୁନ୍ଦରଗଡ଼ରେ ୨୦୨୩ ହକି ବିଶ୍ୱକପ୍‌ ଆୟୋଜନ କରିବା ପାଇଁ ନବୀନ ଘୋଷଣା କରିଛନ୍ତି। ହେଲେ ବିରୋଧୀ ଏଥିରୁ ରାଜନୀତିର ବାସ୍ନା ବାରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ୨୦୧୯ରେ ବିଜେଡିର ପଲ୍ଲା ଭାରି ନଥିବାରୁ ହକି ବିଶ୍ୱକପ୍‌ ଆୟୋଜନ କରି ୨୦୨୪ରେ ନବୀନ ମାଷ୍ଟ୍ରରଷ୍ଟ୍ରୋକ ମାରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି।

ସୁନ୍ଦରଗଡ଼ ଲୋକସଭା ଆସନକୁ ବିଜେଡି ଆଜି ଯାଏଁ କବ୍‌ଜାକୁ ଆଣିପାରି ନାହିଁ। ବିଜେଡି ଗଠନ ହେବା ଦିନରୁ ଏହି ଆସନଟି ସବୁବେଳେ ବିଜେପି ଏବଂ କଂଗ୍ରେସ ହାତରେ ରହି ଆସିଛି। ୨୦୦୯ରେ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ହେମାନନ୍ଦ ବିଶ୍ୱାଳ ଜିତିଥିବା ବେଳେ ୨୦୧୪ରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ୨୦୧୯ରେ ବିଜେପି ହାତରୁ ଏହି ଆସନ ଛଡ଼ାଇ ଆଣିବାକୁ ବିଜେଡି ମହିଳା ପ୍ରାର୍ଥୀ ଦେଇଥିଲା। କଂଗ୍ରେସରୁ ଆସିଥିବା ସୁନିତା ବିଶ୍ୱାଳଙ୍କୁ ବିଜେଡି ଏଠାରେ ଟିକେଟ ଦେଇଥିଲା। ହେଲେ ବିଜେଡି ଏଠାରେ ଫେଲ୍‌ ମାରିଥିଲା। ଜୁଏଲ ପୁଣି ବିଜୟୀ ହୋଇଥିଲେ।

ସେହିପରି ସୁନ୍ଦରଗଡ଼ ବିଧାନସଭା ଆସନରେ ବି ବିଜେଡି ବିଜୟ ବାନା ଉଡ଼ାଇ ପାରିନଥିଲା। ୨୦୧୪ରେ ଏହି ଆସନ କଂଗ୍ରେସ ହାତକୁ ଚାଲି ଯାଇଥିଲା। ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ଥିବା ଯୋଗେଶ ସିଂ ବିଜେଡିକୁ ଆସିଥିଲେ। ଯୋଗେଶଙ୍କୁ ବିଜେଡି ଟିକେଟ ଦେଇଥିଲା। ହେଲେ କୁସୁମ ଟେଟେ. ଏହାକୁ ବିରୋଧ କରି ବିଜେପିରେ ମିଶିଥିଲେ। ଫଳରେ ବିଜେଡିକୁ ଝଟ୍‌କା ଲାଗିଥିଲା। ସୁନ୍ଦରଗଡ଼ ବିଧାନସଭା ଆସନ ବିଜେପି ହାତକୁ ଆସିଥିଲା।

ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବଣାଇ, ବୀରମିତ୍ରପୁର, ତଳସରା ବିଧାନସଭା ଆସନ ମଧ୍ୟ ୨୦୧୯ରେ ବିଜେଡି ଖାତାକୁ ଆସିପାରି ନଥିଲା। ବଣାଇ ସିପିଏମ୍‌ ହାତରେ ରହିଥିବା ବେଳେ ବୀରମିତ୍ରପୁର ଏବଂ ତଳସରା ବିଜେପି ହାତରେ ରହିଥିଲା। ୨୦୨୪ରେ ସୁନ୍ଦରଗଡ଼ ଜିଲ୍ଲାକୁ ବିଜେଡି କବ୍‌ଜା କରିବା ପାଇଁ ଏବେଠୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି।

ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଅଷ୍ଟମ ଥର ପାଇଁ ବିଜେଡି ସଭାପତି ହେବା ପରେ ଗତ ୩ ତାରିଖରେ ସୁନ୍ଦରଗଡ଼ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ବିଜେଡିର ବିଧାୟକ ଏବଂ କର୍ମୀମାନଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ଏବଂ ଶିଳାନ୍ୟାସ କରିବା ସହିତ ହକି ବିଶ୍ୱକପ୍‌ ୨୦୨୩ରେ ରାଉରକେଲାରେ ହେବ ଘୋଷଣା କରି ନବୀନ ୨୦୨୪ ନିର୍ବାଚନୀ କାର୍ଡ ଖେଳିଥିବା ଚର୍ଚ୍ଚା ହେଉଛି।

୨୦୧୮ ହକି ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଖେଳାଳିମାନଙ୍କ ପାଇଁ ନୂଆ ଜର୍ସି ଉନ୍ମୋଚନ ହୋଇଥିଲା। ଏହି ନୂଆ ଜର୍ସିରେ ଓଡ଼ିଶାର ଲୋଗୋ ରହିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହାର ଉଦଘାଟନ କରି ଓଡ଼ିଶା ହକି ଖେଳକୁ ପ୍ରୋତ୍ସାହନ ଦେଉଥିବା ବାର୍ତ୍ତା ଦେଇଥିଲେ।

୨୦୧୮ ହକି ବିଶ୍ୱକପ୍‌କୁ ସଫଳ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ। ‘ମାଇଁ ହାର୍ଟବିଟ୍ସ ଫର୍‌ ହକି’ କ୍ୟାମ୍ପେନ ଆରମ୍ଭ ହୋଇଥିଲା। ଗାଁ ଗାଁରେ ହକି ବିଶ୍ୱକପ୍‌ର ପ୍ରଚାର ପ୍ରସାର କରାଯାଇଥିଲା। ଫଳରେ ୨୦୧୮ ହକି ବିଶ୍ୱକପ୍‌ ସଫଳ ହୋଇଥିଲା। ୨୦୨୩ରେ ପୁଣି ହକି ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଛି ଓଡ଼ିଶା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବିଶ୍ୱକପ୍‌ ଆୟୋଜନ ହେଉଥିବାରୁ ରାଜନୀତି କରିଡ଼ରରେ ଏବେ ଚର୍ଚ୍ଚା ଜୋର୍‌।

Comment