ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜୁ ଜୟନ୍ତୀରେ ନବୀନଙ୍କ ଘୋଷଣା। ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବି ହେଲେ ସଙ୍ଗଠନ ସମ୍ପାଦକ।

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ହାତରେ ବିଜେଡିର ସାଙ୍ଗଠନିକ ଡୋର। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ଏହି ନୂଆ ଦାୟିତ୍ୱ ବବିଙ୍କୁ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡିରେ ସଙ୍ଗଠନ ସମ୍ପାଦକ ଭଳି ନୂଆ ପଦବୀ ସୃଷ୍ଟି କରାଯାଇ ବବିଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି। ବବି ଏଣିକି ବିଜେଡିର ବିଭିନ୍ନ ସାଙ୍ଗଠନିକ କଥା ବୁଝିବେ।

ବବି ପୂର୍ବରୁ ବିଜେଡିର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟରେ ଆଗରେ ରହୁଥିଲେ। ଦଳର କାର୍ଯ୍ୟକ୍ରମ ଯେଉଁଠି ହେଉଥିଲା ସେଠି ବବିଙ୍କୁ ଆଗରେ ଦେଖିବାକୁ ମିଳୁଥିଲା। ହେଲେ ବବିଙ୍କୁ କୌଣସି ପଦ ପଦବୀ ମିଳିନଥିଲା। ପଞ୍ଚମ ପାଳି ସରକାର ଆରମ୍ଭ ହେବାର ୭ ମାସ ପରେ ବବିଙ୍କୁ ସଙ୍ଗଠନ ସମ୍ପାଦକ ଭାବେ ଦାୟିତ୍ୱ ଦେଇ ନବୀନ ବିଜେଡିକୁ କ୍ୟାଡର ଭିତ୍ତିକ ଦଳ କରିବାକୁ ଚାହୁଁଛନ୍ତି କି ବୋଲି ଚର୍ଚ୍ଚା ଚାଲିଛି।

ବିଜୁ ଜନତା ଦଳ ଗଠନକୁ ୨୨ ବର୍ଷ ପୂରିଲାଣି। ୨୨ ବର୍ଷ ଭିତରେ ଯାହା ହୋଇ ନଥିଲା ତାହା ଏବେ ଦେଖିବାକୁ ମିଳୁଛି। ସଙ୍ଗଠନ କଥା ବୁଝିବା ପାଇଁ ଦଳରେ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଏବଂ କୋଷାଧ୍ୟକ୍ଷ ପଦବୀ ରହିଥିଲା। ହେଲେ ପ୍ରଥମ ଥର ପାଇଁ ସଙ୍ଗଠନ ସମ୍ପାଦକ ପଦବୀ ସୃଷ୍ଟି କରାଗଲା କାହିଁକି?

କାହିଁକି ପ୍ରଣବଙ୍କୁ ନୂଆ ପଦବୀ?

୨୦୦୯ରେ ପ୍ରଥମ ଥର ପାଇଁ ପ୍ରଣବ ପ୍ରକାଶ ଦାସ ଯାଜପୁର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବାପା ଅଶୋକ ଦାସ ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ଦଳରେ ତାଙ୍କର ଗୁରୁତ୍ୱ ବଢ଼ିଥିଲା। ୨୦୦୯ରେ ପ୍ରଥମ ଥର ପାଇଁ ପ୍ରଣବ ବିଧାୟକ ହୋଇଥିବାରୁ ଦଳରେ ତାଙ୍କର ବେଶି ଦବ୍‌ଦବା ନଥିଲା। ହେଲେ ୨୦୧୪ ନିର୍ବାଚନ ପରେ ପ୍ରଣବ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିବାରୁ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଶକ୍ତି ବିଭାଗର ମନ୍ତ୍ରୀ ପଦ ମିଳିଥିଲା। କେବଳ ପ୍ରଣବ ନୁହନ୍ତି, ନବୀନଙ୍କ ଯୁଗ ବ୍ରିଗେଡର ଭାବେ ପରିଚିତ ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ବି ମନ୍ତ୍ରୀ ପଦ ପାଇଥିଲେ।

ହେଲେ ୨୦୧୭ରେ ଏହି ଯୁବ ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବା ପାଇଁ କୁହାଗଲା। ଦଳୀୟ ସଙ୍ଗଠନ କଥା ବୁଝିବା ପାଇଁ ଏମାନେ ଇସ୍ତଫା ଦେଇଥିଲେ। ଏହି ଯୁବ ନେତାମାନଙ୍କୁ ସାଙ୍ଗଠନିକ ଦାୟିତ୍ୱରେ ରଖା ଯାଇଥିଲା। ପ୍ରଣବ ଏବଂ ସଞ୍ଜୟ ଦଳର ସାଧାରଣ ସମ୍ପାଦକ ହୋଇଥିଲେ। ହେଲେ ପ୍ରଣବଙ୍କ ପ୍ରଭାବ ଦଳ ଭିତରେ ବଢ଼ିଥିଲା।

୨୦୧୯ ନିର୍ବାଚନ ବେଳେ ଦଳ ଏବଂ ସରକାର ଭିତରେ ପ୍ରଣବ ଯୋଗସୂତ୍ର ରକ୍ଷା କରୁଥିବା ଚର୍ଚ୍ଚା ହେଲା। ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଣବ ଆଗରେ ରହୁଥିଲେ। ସବୁବେଳେ ଗଣମାଧ୍ୟମଠାରୁ ଦୂରତା ରକ୍ଷା କରୁଥିବା ପ୍ରଣବ ପରଦା ପଛରେ ରହି ଦଳରେ ଗୋଟି ଚାଳନା କରୁଥିବା ପାୱାର କରିଡରରେ ଆଲୋଚନା ହେଉଛି।

୨୦୧୯ ନିର୍ବାଚନ ଏବଂ ପାଟକୁରା ଓ ବିଜେପୁର ଉପନିର୍ବାଚନ ବେଳେ ବି ପ୍ରଣବ ପ୍ରଛଦପଟ୍ଟରେ ରହିଥିବା ଚର୍ଚ୍ଚା ହେଉଥିଲା। ଏଣୁ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ଲାଗି ପ୍ରଣବଙ୍କ ପାଇଁ ନୂଆ ପଦବୀ ଖୋଲା ଯାଇଥିବା କୁହାଯାଉଛି।

କ୍ୟାଡର ଭିତ୍ତିକ ଦଳ ହେବ କି?

ବିଜେଡି ହେଉଛି ଏକ ଆଞ୍ଚଳିକ ଦଳ। ଏହି ଦଳରେ ନବୀନ ହିଁ ସର୍ବମାନ୍ୟ ନେତା ବୋଲି ଦଳ ପକ୍ଷରୁ ବାରମ୍ବାର କୁହାଯାଇ ଆସୁଛି। ପ୍ୟାରୀ ମୋହନ ମହାପାତ୍ର ଥିବା ବେଳେ ବିଜେଡିରେ ଦ୍ୱିତୀୟ କ୍ଷମତା କେନ୍ଦ୍ର କଥା ଉଠିଥିଲା। ହେଲେ ଏହାକୁ ସେତେବେଳେ ଦଳର ବରିଷ୍ଠ ନେତା ଏବଂ ନିଜେ ନବୀନ ଖଣ୍ଡନ କରିଥିଲେ। କଂଗ୍ରେସରେ ଯେମିତି ହାଇକମାଣ୍ଡ ସବୁକିଛି, ବିଜେଡିରେ ସେମିତି ନବୀନ ସର୍ବେସର୍ବା ବୋଲି ବାର୍ତ୍ତା ଦିଆଯାଇଥିଲା। ହେଲେ ଏବେ ସଙ୍ଗଠନ ସମ୍ପାଦକ ଭଳି ପଦବୀ କାହିଁକି ସୃଷ୍ଟି କରାଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସବୁଠୁ ବଡ଼ କଥା ହେଉଛି ବିଜେଡିରେ ସଙ୍ଗଠନ ସମ୍ପାଦକ ପଦବୀ ହେଉଛି ସମ୍ପୂର୍ଣ୍ଣ ନୂଆ। ଏହି ପଦବୀ କେବଳ ବିଜେପିରେ ହିଁ ରହିଛି। ସଂଘ ପରିବାରର ଜଣେ ସଦସ୍ୟଙ୍କୁ ଏହି ପଦବୀରେ ରଖାଯାଇଥାଏ। ହେଲେ ବିଜେଡିରେ ଏହି ପଦବୀ ଖୋଲାଯିବା ସହ ପ୍ରଣବଙ୍କୁ ଦାୟିତ୍ୱ ଦିଆଯାଇ ଥିବାରୁ ଦଳର ସ୍ଥିତି କ’ଣ ହେଉଛି ତାହା ଅପେକ୍ଷା କରି ଦେଖିବାର କଥା।

ପଞ୍ଚମ ପାଳିରେ ଯୁବ ବ୍ରିଗେଡ

ଚତୁର୍ଥ ପାଳି ସରକାରରେ ନବୀନଙ୍କ ଯୁବ ବ୍ରିଗେଡ୍‌ ଭାବେ ପରିଚିତ ପ୍ରଣବ, ସଞ୍ଜୟ, ଅରୁଣ, ଅତନୁଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ହେଲେ ପଞ୍ଚାୟତ ନିର୍ବାଚନ ପରେ ମନ୍ତ୍ରିମଣ୍ଡଳରେ ଅଦଳ ବଦଳ କରିଥିଲେ ନବୀନ। ସଞ୍ଜୟ, ଅରୁଣ, ଅତନୁଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ବବି ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ସାଙ୍ଗଠନିକ କଥା ବୁଝିବା ପାଇଁ ଏହି ଯୁବ ବ୍ରିଗେଡ୍‌ମାନେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା କୁହାଗଲା।

ପଞ୍ଚମ ପାଳି ସରକାରରେ ଯୁବ ବ୍ରିଗେଡ୍‌ଙ୍କ ପାଳି ପଡ଼ିପାରେ ବୋଲି ଚର୍ଚ୍ଚା ହେଲା। ହେଲେ ସଞ୍ଜୟ ତାଙ୍କ ନିର୍ବାଚନମଣ୍ଡଳୀରେ ପରାଜିତ ହୋଇଥିଲେ। ବବି, ଅତନୁ ଏବଂ ଅରୁଣ ନିର୍ବାଚିତ ହୋଇଥିଲେ। କେବଳ ଅରୁଣ ହିଁ ମନ୍ତ୍ରିମଣ୍ଡଳକୁ ଫେରିଥିଲେ। ଅତନୁ ଏବଂ ବବି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନଥିଲେ। ଏବେ ବବିଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ନବୀନ। ବିଜୁ ବାବୁଙ୍କ ଜୟନ୍ତୀରେ ବବିଙ୍କୁ ସଙ୍ଗଠନ ସମ୍ପାଦକ ଭଳି ପଦବିରେ ଥଇଥାନ କରି ଦଳକୁ ଆହୁରି ସଙ୍ଗଠିତ କରିବା ପାଇଁ ଲନବୀନ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି।

Comment