ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି।

ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବିଜୁ ପଟ୍ଟନାୟକ। ଭାରତର ତିନି ମହାପୁରଷଙ୍କ ବ୍ୟକ୍ତିତ୍ୱର ସମାହାର ଥିଲେ ବିଜୁବାବୁ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ସେ ଯେତିକି ଦୁର୍ଦ୍ଧର୍ଷ ଓ ଦୁଃସାହସୀ ଥିଲେ, ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପରି ସେତିକି ଦରଦୀ ମଣିଷ ଥିଲେ, ଆଉ ପଣ୍ଡିତ ଜବାହରଲାଲ ନେହରୁଙ୍କ ପରି ସେ ଥିଲେ ଦୂରଦ୍ରଷ୍ଟା।

ଦେଶ ଓ ଜାତିର ବିକାଶ ପାଇଁ ବଡ଼ ବଡ଼ ସ୍ୱପ୍ନ ଦେଖୁଥିଲେ ଏବଂ ଅସମ୍ଭବ ଲାଗୁଥିବା କାର୍ଯ୍ୟକୁ ସମ୍ଭବ କରିବା ଲାଗି ଥିଲା ତାଙ୍କର ଅଦ୍ଭୁତ ଦକ୍ଷତା। କ୍ଷମତା ତାଙ୍କ ଉପରେ ଅଜାଡ଼ି ହୋଇପଡିଛି, ହେଲେ କ୍ଷମତାକୁ ସେ କେବେ ବି ଜାବୁଡ଼ି ଧରିନାହାନ୍ତି। ସଫଳତାର ଯେତେ ଉଚ୍ଚ ଶିଖରରେ ପହଁଚିଥିଲେ ବି ସାଧାରଣ ଲୋକଙ୍କ ନିକଟକୁ ସେ ସବୁବେଳେ ଓହ୍ଲାଇ ଆସିଥା’ନ୍ତି। ସେମାନଙ୍କ ସୁଖଦୁଃଖରେ ସାମିଲ ହୋଇଥାନ୍ତି।

ବିଜୁବାବୁଙ୍କ ଜୀବନ ଏତେ ସହଜ ନଥିଲା। ତାଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଛି, ସଂଘର୍ଷ କରିବାକୁ ପଡିଛି। ଅନେକ ଥର କଠିନ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି ସେ। ତେବେ ଭୀରୁ ଭଳି କୌଣସି ଚ୍ୟାଲେଂଜକୁ ଆଡେ଼ଇ ନଦେଇ ସାମ୍ନା କରିଛନ୍ତି ଏବଂ ସଫଳତାର ସହ ମୁକାବଲା କରିଛନ୍ତି। ଆଉ ଏହି ସବୁ ସମୟରେ ପାଖରେ ଛିଡ଼ା ହୋଇଛନ୍ତି ତାଙ୍କ ଜୀବନ ଓ ତାଙ୍କ କର୍ମମୟ ଜୀବନର ସାଥୀ ପତ୍ନୀ ଜ୍ଞାନ ଦେବୀ।

ହୁଏତ ଅନେକଙ୍କୁ ଜଣାନଥିବ ଜ୍ଞାନ ଦେବୀ ରାଓ୍ୱଲପିଣ୍ଡିର ବାସିନ୍ଦା (ବର୍ତ୍ତମାନ ପାକିସ୍ତାନରେ)। ଏକ ପଞ୍ଜାବୀ ସଂଭ୍ରାନ୍ତ ସେଟ୍ଟୀ ପରିବାରରେ ତାଙ୍କର ଜନ୍ମ। ୧୯୩୯ ମସିହାରେ ବିଜୁବାବୁଙ୍କୁ ବିବାହ କରିବା ପରେ ଜ୍ଞାନ ସେଟ୍ଟୀରୁ ଜ୍ଞାନ ପଟ୍ଟନାୟକ ବା ଜ୍ଞାନ ଦେବୀ ଭାବେ ସେ ପରିଚିତ ହେଲେ।

ତାଙ୍କର ଆଉ ଏକ ବଡ଼ ପରିଚୟ ରହିଛି। ୧୯୩୦ ଦଶକରେ ଜ୍ଞାନ ପଟ୍ଟନାୟକ ସମ୍ଭବତଃ ପ୍ରଥମ ଭାରତୀୟ ମହିଳା ଭାବେ କମର୍ସିଆଲ ପାଇଲଟ୍ ଲାଇସେନ୍ସ ହାସଲ କରିଥିଲେ। ଖୁବ କମ୍ ଲୋକଙ୍କୁ ଜଣାଥିବ ଯେ ବିଜୁବାବୁଙ୍କ ବହୁଚର୍ଚ୍ଚିତ ଇଣ୍ଡୋନେସିଆ ଅଭିଯାନରେ କୋ-ପାଇଲଟ୍ ଭାବେ ବିମାନରେ ଯାତ୍ରା କରିଥିଲେ ଜ୍ଞାନ।

୧୯୪୭ ମସିହା ଜୁଲାଇ ମାସ। ପଣ୍ଡିତ ଜବାହରଲାଲ ନେହରୁଙ୍କ ଅନୁରୋଧ ପରେ ନିଜ ଡାକୋଟା ବିମାନ ଧରି ଇଣ୍ଡୋନେସିଆ ଅଭିଯାନରେ ବାହାରି ପଡ଼ିଲେ ବିଜୁ ପଟ୍ଟନାୟକ। ଜୀବନର ଘଡ଼ିସନ୍ଧି ମୁହୂର୍ତ୍ତ। ପତ୍ନୀ ଜ୍ଞାନ ପଟ୍ଟନାୟକ ବୁଝିସାରିଥିଲେ ଏହି ଅଭିଯାନ ଦେଶ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ସ୍ୱାମୀ ବିଜୁଙ୍କ ପାଇଁ ସେତିକି ଦୁଃସାହସିକ ଯାତ୍ରା। ପ୍ରତି ପାଦରେ ରହିଥିଲା ବିପଦର କଳାବାଦଲ। ବିଜୁବାବୁଙ୍କ କୋ-ପାଇଲଟ ଭାବେ ସାଙ୍ଗରେ ଯିବାକୁ ଜିଦ୍ ଧରିଲେ ପତ୍ନୀ ଜ୍ଞାନ ପଟ୍ଟନାୟକ। ସାତଦରିଆ ପାରି ହୋଇ ଡାକୋଟାରେ ଉଡ଼ି ଇଣ୍ଡୋନେସିଆ ଅଭିଯାନରେ ଯାଇଥିଲେ ବିଜୁଦମ୍ପତି। ଏହି ବିପଦପୂର୍ଣ୍ଣ ଅଭିଯାନରେ ସ୍ୱାମୀଙ୍କ ପାଖେ ପାଖେ ରହି ଉଭୟ ସହଧର୍ମିଣୀ ଓ ସହକର୍ମୀଙ୍କ ଭୂମିକା ତୁଲାଇଥିଲେ ଜ୍ଞାନ ଦେବୀ। ଏକଥା ଆଜି ନାଟକର କାହାଣୀ ଭଳି ମନେ ହେବ।

ସ୍ୱାମୀ ବିଜୁ ପଟ୍ଟନାୟକ ଯେତିକି ଦୁର୍ଦ୍ଧର୍ଷ ଓ ଦୁଃସାହସୀ ଥିଲେ, ପତ୍ନୀ ଜ୍ଞାନ ଦେବୀ ଥିଲେ ସେତିକି ଦୃଢ଼ମନା ଓ ଉଦାର। କେବଳ ଇଣ୍ଡୋନେସିଆ ଅଭିଯାନ କାହିଁକି ବିଜୁବାବୁଙ୍କ ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ ଓ ସମର୍ଥନ କରୁଥିଲେ ଜ୍ଞାନ ଦେବୀ। ବାପାଙ୍କୁ କିପରି ମାଆ ସହଯୋଗ କରୁଥିଲେ, ଝିଅ ଗୀତା ମେହେଟ୍ଟାଙ୍କ ଲେଖାରୁ ବୁଝାପଡେ।

Absconders’ Paradise ପୁସ୍ତକରେ ଗୀତା ମେହେଟ୍ଟା ଲେଖିଛନ୍ତି, ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ବ୍ରିଟିସ୍ ସରକାର ବିଜୁବାବୁଙ୍କୁ ଜେଲଦଣ୍ଡ ଦେଇଥିଲେ। ସେହି କଠିନ ସମୟରେ ସ୍ୱାମୀଙ୍କ ସପକ୍ଷରେ ଖୁଣ୍ଟ ଭଳି ଛିଡ଼ା ହୋଇଥିଲେ ଜ୍ଞାନ ଦେବୀ। ବିଜୁବାବୁଙ୍କୁ ଜେଲରେ ଦେଖାକରିବା ପାଇଁ ଜ୍ଞାନ ଦେବୀ ଦୁଇ ପିଲାଙ୍କୁ ସାଇକେଲରେ ବସାଇ ନେଇଯାଉଥିଲେ। ସେଠାରେ କେବଳ ସ୍ୱାମୀଙ୍କ ସୁଖଦୁଃଖ ପଚାରି ବୁଝୁନଥିଲେ, ସ୍ୱାଧୀନତା ସଂଗ୍ରାମ ସଂପର୍କରେ ମଧ୍ୟ ଆଲୋଚନା କରୁଥିଲେ। ବାହାରେ କ’ଣ ଚାଲିଛି, ସବିଶେଷ ବିବରଣୀ ପ୍ରଦାନ କରୁଥିଲେ। ଆଉ ପିଲାଙ୍କ ଜୋତା ଭିତରେ ଭର୍ତ୍ତି କରି ବିପ୍ଲବୀମାନଙ୍କ ଉଦ୍ଦେଶ୍ୟରେ ବିଜୁବାବୁ ଦେଉଥିବା ଚିଠି ନେଇଆସୁଥିଲେ ଜ୍ଞାନ। ଏହିଭଳି ଭାବେ ସ୍ୱାମୀଙ୍କ ସଂଗ୍ରାମୀ ଜୀବନର ସହଭାଗୀ ହୋଇଥିଲେ ସେ।

୧୯୯୭ ମସିହାରେ ବିଜୁ ପଟ୍ଟନାୟକଙ୍କ ପରଲୋକ ହୋଇଥିଲା ଏବଂ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଗଢ଼ାଯାଇଥିଲା ବିଜୁ ଜନତା ଦଳ। ଏହି ଆଂଚଳିକ ଦଳ ଗଠନ ପଛରେ ମଧ୍ୟ ରହିଥିଲା ବିଜୁବାବୁଙ୍କ ସହଧର୍ମିଣୀ ଜ୍ଞାନ ଦେବୀଙ୍କ ଆର୍ଶୀବାଦ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିର ସଫଳତା ଏବଂ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଦଳର ପ୍ରତିଷ୍ଠା ଦିନ ହିଁ ଶୁଭାଶୀର୍ବାଦ ଓଜାଡ଼ି ଦେଇଥିଲେ ଜ୍ଞାନ ଦେବୀ।

Comment