ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏସ୍‌ଡିସି କପ୍‌ ୨୦୨୦ ଫୁଟ୍‌ବଲ ଚାମ୍ପିଅନ୍‌ସିପ୍‌ ମହିଳା ବିଭାଗରେ ଟାଇଟଲ୍‌ ଜିତିଲା ସୁନ୍ଦରଗଡ଼ ଦଳ। ଫାଇନାଲ ମ୍ୟାଚ୍‌ରେ ସୁନ୍ଦରଗଡ଼ ଦଳ ରାଇରଙ୍ଗପୁରକୁ ୨-୦ ଗୋଲରେ ପରାସ୍ତ କରି ଚାମ୍ପିଅନ୍‌ ହୋଇଛି।

ଆଦିବାସୀ ପିଲାଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବିଶେଷକରି ଫୁଟ୍‌ବଲ୍‌କୁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ କରାଯାଇଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏସ୍‌ଡିସି କପ୍‌ ୨୦୨୦।

ଗୁରୁବାର ସକାଳେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଏହି ମ୍ୟାଚ୍‌ର ଆରମ୍ଭରୁ ସୁନ୍ଦରଗଡ଼ ଟିମ୍‌ ତାଙ୍କର ଟାଣୁଆ ପ୍ରଦର୍ଶନ କରିଥିଲେ। ଶେଷରେ ସେମାନେ ୨-୦ ଗୋଲରେ ରାଇରଙ୍ଗପୁର ଦଳକୁ ହରାଇଥିଲେ। ସୁନ୍ଦରଗଡ଼ ଟିମ୍‌ର ଲଢ଼ୁଆ ପ୍ରଦର୍ଶନ ଆଗରେ ରାଇରଙ୍ଗପୁର ଟିମ୍‌ ମୁକାବିଲା କରିପାରି ନଥିଲା।

ସୁନ୍ଦରଗଡ଼ ଦଳ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ହିଁ ଭଲ ଖେଳିଥିଲା। ସୁନ୍ଦରଗଡ଼ ଦଳର ଅଞ୍ଜଳି ବରୁଆ ଓ ରଜନି ହାଂସଦା ଗୋଟିଏ ଗୋଟିଏ ଗୋଲ ଦେଇଥିଲେ। ସୁନ୍ଦରଗଡ଼ ମହିଳା ଦଳର କ୍ୟାପଟେନ୍‌ ଥିଲେ ମ୍ୟାକ୍ସିମା କୁଜୁର ଓ ଏହାର ସିନିୟର କୋଚ୍‌ ମ୍ୟାନେଜର ସଞ୍ଜୁକ୍ତା ତିର୍କି ଓ କୋଚ୍‌ ଥିଲେ ସୀମା ତିର୍କି।

ଏହି ସିରିଜ୍‌ରେ ସୁନ୍ଦରଗଡ଼ କୌଣସି ଗୋଟିଏ ବି ମ୍ୟାଚ୍‌ ହାରି ନାହିଁ। ସିରିଜ୍‌ରେ ସୁନ୍ଦରଗଡ଼ ଦଳ ମୋଟ୍‌ ୭୮ଟି ଗୋଲ କରିଛି। ସେହିପରି ଦଳର ଲଢ଼ୁଆ ଖେଳାଳି ଅଞ୍ଜଳି ସର୍ବାଧିକ ୧୮ଟି ଗୋଲ୍‌ ହାସଲ କରିଛନ୍ତି।

ଏହାପୂର୍ବରୁ ସେମି ଫାଇନାଲ ମ୍ୟାଚ୍‌ରେ ସୁନ୍ଦରଗଡ଼ ଦଳ କେନ୍ଦୁଝର ମହିଳା ଫୁଟବଲ୍‌ ଟିମ୍‌କୁ ୯-୦ ଗୋଲ୍‌ରେ ପରାସ୍ତ କରି ଫାଇନାଲ୍‌କୁ ଉନ୍ନୀତ ହୋଇଥିଲା।

ଏହି ଟୁର୍ଣ୍ଣାମେଣ୍ଟରେ ମହିଳା ବିଭାଗର ଚାମ୍ପିଅନ୍‌ ଦଳକୁ ୨ ଲକ୍ଷ ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ୍‌ ଦଳକୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯାଇଛି। ଏହାସହ ସୁନ୍ଦରଗଡ଼ ଟିମ୍‌ର ମ୍ୟାକ୍ସିମା କୁଜୁରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍‌ ଭାବେ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସେହିପରି ରାଇରଙ୍ଗପୁରର ଦିଗି ମାଝିଙ୍କୁ ପ୍ଲେୟାର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ଭାବେ ୨୦ ହଜାର ଟଙ୍କା ଦେଇ ପୁରସ୍କୃତ କରାଯାଇଛି। ଟୁର୍ଣ୍ଣାମେଣ୍ଟରେ ଜ୍ୟୋସ୍ନା ଟପ୍ପୋଙ୍କୁ ଶ୍ରେଷ୍ଠ ଗୋଲ କିପର ଭାବେ ବିବେଚିତ କରାଯାଇଛି।

ସୁନ୍ଦରଗଡ଼ ମହିଳା ଟିମ୍‌ର ଏହି ବିଜୟ ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଟିମ୍‌ର ସଦସ୍ୟ ଏବଂ ଅଫିସିଆଲମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comment