ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡିସି) କପ୍ ୨୦୨୦ ଫୁଟବଲ ଚାମ୍ପିଅନସିପରେ ଡବଲ ବିଜୟ ହାସଲ କରିଛି ସୁନ୍ଦରଗଡ଼। ଉଭୟ ପୁରୁଷ ଏବଂ ମହିଳା ଟିମ୍ ଏସ୍‌ଡିସି କପ୍-୨୦୨୦ର ଟାଇଟଲ ଜିତି ଚାମ୍ପିଅନ ହୋଇଥିବାରୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଅଭିନନ୍ଦନ ଜଣାଇଛନ୍ତି।

ପୁରୁଷ ଏବଂ ମହିଳା ଫୁଟବଲ୍ ଟିମର ଅଧିନାୟକ ଏବଂ ପ୍ରତ୍ୟେକ ଖେଳାଳିଙ୍କୁ ଜିଲ୍ଲାପାଳ ଅଭିନନ୍ଦନ ଜଣାଇଛନ୍ତି।

“କ୍ରୀଡ଼ା କ୍ଷେତ୍ର ପାଇଁ ସୁନ୍ଦରଗଡ଼ ହେଉଛି ଉପଯୁକ୍ତ ସ୍ଥାନ। ସୁନ୍ଦରଗଡ଼ ମାଟିରୁ ବହୁ ହକି ତାରକା ବାହାରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ସୁନ୍ଦରଗଡ଼ରେ କ୍ରୀଡ଼ାର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ହକି, ଫୁଟବଲ, କ୍ରିକେଟ ଭଳି କ୍ରୀଡ଼ାର ବିକାଶ ପାଇଁ ଭିତିଭୂମି ସୁଦୃଢ଼ କରିବା ଉପରେ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ଏସ୍‌ଡିସି କପ୍‌ରେ ସୁନ୍ଦରଗଡ଼ ଜିଲ୍ଲା ଯୁବ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି। ଗୋଟିଏ ଦିନରେ ଦୁଇ ଦୁଇଟି ଟାଇଟଲ୍ ହାସଲ କରିବା ସୁନ୍ଦରଗଡ଼ ପାଇଁ ସ୍ମରଣୀୟ ହୋଇ ରହିବ।

୯ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜିଲ୍ଲାର ଯୁବ ଖେଳାଳିମାନଙ୍କୁ ନେଇ ଏଭଳି ଚାମ୍ପିଅନସିପ୍ ଆୟୋଜନ କରାଯାଇଥିବାରୁ ଜିଲ୍ଲାପାଳ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କଟକ ବାରବାଟୀ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ହୋଇଥିଲା ଏସ୍‌ଡିସି କପ୍-୨୦୨୦ର ଫାଇନାଲ। ଏହି ମ୍ୟାଚରେ ସୁନ୍ଦରଗଡ଼ ମହିଳା ଟିମ୍ ରାଇରଙ୍ଗପୁରକୁ ୨-୦ ଗୋଲରେ ପରାସ୍ତ କରିଥିବା ବେଳେ ପୁରୁଷ ଟିମ୍ ବାରିପଦାକୁ ୪-୧ ଗୋଲରେ ପରାଜିତ କରିଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଚାମ୍ପିଅନ୍ ଏବଂ ରନର୍ସଅପ୍ ଟିମ୍‌କୁ ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ପୁରୁଷ ଫୁଟବଲ ଟିମର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁତିଆ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ସୁଜିତ କୁମାର, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଅନୁସୂଚିତ ଜାତି ଏବଂ ଜନଜାତି ବିକାଶ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ଏସ୍‌ଡିସି କପ୍‌ରେ ପୁରୁଷ ଓ ମହିଳା ଚାମ୍ପିଅନସ୍ ଟିମ୍‌କୁ ୨ ଲକ୍ଷ ଟଙ୍କା ଲେଖାଏଁ  ଆର୍ଥିକ ପୁରସ୍କାର ଦିଆଯାଇଥିଲା। ସେହିପରି ରନର୍ସଅପ୍ ଟିମ୍‌କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

Comment